ଲୋକ ପଚାରନ୍ତୁ, ଆପଣ ଓଡିଶାରୁ ତାଲିମ ପ୍ରାପ୍ତ କି?

ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଏବଂ ପ୍ରଶ୍ନ-ଉତ୍ତର

ଭୁବନେଶ୍ବର () : ମେକ ଇନ ଓଡିଶା କନକ୍ଲେଭରେ ଆଜି ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ସୃଷ୍ଟି କରିଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ କରିଥିବା ବେଦାନ୍ତ ଗ୍ରୁପ୍‌ ମୁଖ୍ୟ ଅନୀଲ୍‌ ଅଗ୍ରୱାଲ୍‌ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଆଉ ତା’ପରେ ଗୋଟିକ ପଛକୁ ଗୋଟିଏ ପ୍ରଶ୍ନ ଲମ୍ବିଥିଲା। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଯଦିଓ କେହି ଦ୍ଵିତୀୟଥର ପାଇଁ ପ୍ରଶ୍ନ ପଚାରି ନଥିଲେ କିନ୍ତୁ ବିନା କାଗଜ ଓ ଅମଲାଙ୍କ ସହାୟତା ବିନା ନବୀନ ଯେ ରାଜ୍ୟ ବିଷୟରେ କହିବାକୁ ପାରଙ୍ଗମ ତାହାକୁ ପ୍ରଦର୍ଶନ କରିଥିଲେ।

ପ୍ରଶ୍ନ – ଅନିଲ ଅଗ୍ରୱାଲ : ମୁଖ୍ୟମନ୍ତ୍ରୀ ମହାଶୟ ଆମେ ଶିଳ୍ପ ବାବଦରେ ଅନେକ କଥା ହେଲେ। ଓଡିଶାରେ ଥିବା ଆଉ କିଛି ଆକର୍ଷଣ ପ୍ରସଙ୍ଗକୁ ଆପଣ ପ୍ରାଧାନ୍ୟ ଦେବାକୁ ଚାହିଁବେ? ଏହାର ପ୍ରକୃତି, ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି, ଚିଲିକା ହ୍ରଦ, ପର୍ଯ୍ୟଟନ ଏବଂ ସାରା ବିଶ୍ବ ଆକର୍ଷିତ କରିବା ପାଇଁ କିଛି ଯୋଜନା ରହିଛି କି?

ଉତ୍ତର – ନବୀନ ପଟ୍ଟନାୟକ : ଆମ ପାଖରେ ପର୍ଯ୍ୟଟନର ଅନେକ ସୁଯୋଗ ରହିଛି। 500 କିଲୋମିଟରରୁ ଅଧିକ ଚମତ୍କାର ସମୁଦ୍ର ଉପକୂଳଠୁ ଐତିହାସିକ ମନ୍ଦିର, ସୁନ୍ଦରୀ ଚିଲିକା ତା ସଙ୍ଗେ ବନ୍ୟଜନ୍ତୁ ପାର୍କଙ୍କ ସମାହାର। ଆମେ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଠିନ ପରିଶ୍ରମ କରୁଛୁ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରୁଛି।

ପ୍ରଶ୍ନ – ସଜ୍ଜନ ଜିନ୍ଦଲ : ଆପଣ ଓଡିଶାକୁ କେତେ ଗୁରୁତ୍ବ ଦେଉଛନ୍ତି ? ଆପଣ ଦକ୍ଷତା ବିକାଶକୁ ଗୁରତ୍ବ ଦେଉଛନ୍ତି କି ? ଯେହେତୁ ଶିଳ୍ପାୟନ ପ୍ରକ୍ରିୟା ତ୍ଵରାନ୍ବିତ ହୋଇଛି ଦକ୍ଷତା ବିକାଶ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ରହିଛି।

ଉତ୍ତର – ନବୀନ ପଟ୍ଟନାୟକ : ଆମ ପାଖରେ ଦକ୍ଷତା ବିକାଶ ପାଇଁ ଏକ ସୁନ୍ଦର ନୀତି ରହିଛି। ଆମେ ସିଙ୍ଗାପୁରର ଏକ ସଂସ୍ଥା ସହ ଏଥିନେଇ ଚୁକ୍ତି କରିଛୁ। ସେଠାକୁ ୧୦୦ ଶିକ୍ଷକ ଦକ୍ଷତା ତାଲିମ ପାଇଁ ଯାଇଛନ୍ତି।  ବାସ୍ତବରେ ଆମେ ଏ ଦିଗରେ କଠିନ ପରିଶ୍ରମ କରୁଛୁ। ବାସ୍ତବରେ ଆମେ ଚାହୁଁଛୁ, ଆମ ଯୁବାବର୍ଗଙ୍କୁ ବାହାରେ ଲୋକ ପଚାରନ୍ତୁ ଆପଣ କଣ ଓଡ଼ିଶାରେ ଦକ୍ଷତା ଶିକ୍ଷାଲାଭ କରିଛନ୍ତି?

ପ୍ରଶ୍ନ – ସଙ୍ଗୀତା ରେଡ୍ଡୀ : ରାଜ୍ୟ ପାଇଁ ଆପଣଙ୍କର ପରିବେଶ ନୀତି କଣ ? ରାଜ୍ୟର ସ୍ବାସ୍ଥ୍ୟ ନୀତି କଣ?

ଉତ୍ତର – ନବୀନ ପଟ୍ଟନାୟକ : ପରିବେଶ ପ୍ରସଙ୍ଗରେ ଦେଖିବାକୁ ଗଲେ ଓଡ଼ିଆମାନେ ହେଉଛନ୍ତି ଗଛକୁ ଭଲ ପାଉଥିବା ମଣିଷ। ଓଡ଼ିଶା ହେଉଛି ସେମତି ଏକ ରାଜ୍ୟ ଯେଉଁଠାରେ ଜାତୀୟ ହାରଠାରୁ ଅଧିକ ଗଛ ବା ସବୁଜ ବଳୟ ରହିଛି। ସ୍ଵାସ୍ଥ୍ୟ କ୍ଷେତ୍ରରେ ଆମେ ଏକ ନୂଆ ସ୍ଵାସ୍ଥ୍ୟ ନୀତି ପ୍ରସ୍ତୁତ କରିଛୁ । ଯାହାକୁ ଆପଣ କହିପାରିବେ ଯେ, ସ୍ବାସ୍ଥ୍ୟ ଇନସୁରାନ୍ସର ଆବଶ୍ୟକତା ନାହିଁ l ଯେତେବେଳେ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ନୀତି କେବଳ ବିପିଏଲ୍‌ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆମର ସ୍ଵାସ୍ଥ୍ୟ ସେବା ନୀତି ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।

ପ୍ରଶ୍ନ – ମୁକେଶ ଅମ୍ବାନୀ : ଓଡିଶା ପ୍ରତି ଏବେ ବିଶ୍ବସ୍ତରର ନିବେଶକମାନେ ଆକର୍ଷିତ ହେଉଛନ୍ତି । ତେବେ ଆସନ୍ତା 3ରୁ 5 ବର୍ଷ ମଧ୍ୟରେ ରାଜ୍ୟ ସରକାର କେଉଁ କେଉଁ କ୍ଷେତ୍ରରେ ପୁଂଜି ନିବେଶ ପାଇଁ ପ୍ରାଧାନ୍ୟ ଦେଉଛନ୍ତି । ଦ୍ବିତୀୟ? ପ୍ରଶ୍ନଟି ହେଉଛି, ଆପଣ କ୍ରିଡା ଓ ଶିକ୍ଷା ପ୍ରତି ଆକର୍ଷିତ । ଆମେ ନିବେଶକମାନେ କିଭଳି ଆପଣଙ୍କ କ୍ରିଡା ଓ ଶିକ୍ଷା ପ୍ରତି ରହିଥିବା ଭିଜନରେ ସହଯୋଗ କରିପାରିବୁ, ଯାହାଦ୍ବାରା ଆମେ ରାଜ୍ୟର ଯୁବ ଗୋଷ୍ଠି ସହ ଯୋଡି ହୋଇପାରିବୁ ?

ଉତ୍ତର – ନବୀନ ପଟ୍ଟନାୟକ : ନିବେଶ କ୍ଷେତ୍ର କଥା କହିବାକୁ ଗଲେ ଆମ ସରକାର ଖଣିଜ କ୍ଷେତ୍ରକୁ ଅଧିକ ଧ୍ୟାନ ଦେଉଛି। ଏହାର ସୁବିନିଯୋଗ କିପରି ହେବ ଏବଂ ଓଡ଼ିଶାର ଲୋକମାନେ ଏହାର ଲାଭ ପାଇବେ ଏବଂ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି। ଖଣିଜ ସଂପଦ କ୍ଷେତ୍ରକୁ ବାଦ ଦେଲେ ରାଜ୍ୟରେ ଅନ୍ୟାନ ବହୁ ଦିଗରେ ପୁଂଜି ନିବେଶର ସୁଯୋଗ ରହିଛି । କ୍ରିଡା କ୍ଷେତ୍ରରେ ପୁଂଜି ନିବେଶ ସଂପର୍କରେ କହିବାକୁ ଗଲେ, କ୍ରିଡା ହେଉଛି ଯୁବକଙ୍କ ପାଇଁ ଏବଂ ଯୁବକମାନେ ହେଉଛନ୍ତି ଆଗାମୀକାଲିର ଭବିଷ୍ୟତ । ତେଣୁ କ୍ରୀଡ଼ା କ୍ଷେତ୍ରରେ ନିବେଶ ହେଉଛି ଯୁବଶକ୍ତିଙ୍କ ପାଇଁ ନିବେଶ। ଆଉ ଯୁବଶକ୍ତିଙ୍କ ପାଇଁ ନିବେଶ ହେଉଛି ଭବିଷ୍ୟତ ପାଇଁ ନିବେଶ। ମୁଁ ଏଥିପାଇଁ କୃତଜ୍ଞ ଯେ, କିଛି ଶିଳ୍ପ ଏ କ୍ଷେତ୍ରରେ ନିବେଶ ପାଇଁ ଆଗକୁ ଆସିଛନ୍ତି। ସେ କ୍ଷେତ୍ରରେ କୁମାରମଙ୍ଗଳମ୍‌ ବିର୍ଲାଙ୍କ ପ୍ରସ୍ତାବିତ ଶୁଟିଂ ପ୍ରତିଷ୍ଠାନ ଅନ୍ୟତମ।

Share

Leave a Reply

Your email address will not be published. Required fields are marked *

20 + seven =