ଆଜି ପବିତ୍ର ବିଶ୍ୱକର୍ମା ପୂଜା

ଭୁବନେଶ୍ୱର: ଗାଁଠୁ ସହର ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଚଳଚଞ୍ଚଳ ହୋଇପଡ଼ିଛି ସହରର ସମସ୍ତ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ବୈଷୟିକ ଶିକ୍ଷାନୁଷ୍ଠାନ। ଆଜି ଧରାବତରଣ କରୁଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା। ବର୍ଷତମାମ ଯେଉଁ ମେସିନ୍ ଆମ ଶ୍ରମକୁ ଲାଘବ କରିଛି, ବର୍ଷ ବର୍ଷ ଧରି ଯେଉଁ କାରଖାନା ଆମକୁ ରୋଜଗାର ତଥା ସାମଗ୍ରୀ ଯୋଗାଇଛି; ସେଗୁଡ଼ିକୁ ବିରାମ ଦେଇ କୃତଜ୍ଞତା ଜଣାଯିବ। ସିନ୍ଦୂର, ଚନ୍ଦନ ସହ ଧୂପଦୀପରେ ପୂଜାର୍ଚ୍ଚନା କରାଯିବ ଦେବଶିଳ୍ପୀଙ୍କ ସହ ସମସ୍ତ ମେସିନ, କଳ ଓ ପ୍ରତିଟି ଲୁହା ଜିନିଷକୁ। ଏ ନେଇ ଆଜି ସହରର ବିଭିନ୍ନ ଶିଳ୍ପାଞ୍ଚଳରେ ମଧ୍ୟରାତ୍ର ପର୍ୟ୍ୟନ୍ତ ପ୍ରସ୍ତୁତି ଚାଲିଥିଲା।

ଦେବଶିଳ୍ପୀଙ୍କ ଆରାଧନା ଓ ଆବାହନରେ ରାତିପାହିଲେ ଉତ୍ସବମୁଖର ହେବ ସମସ୍ତ କାର୍ୟ୍ୟାଳୟ, ଦୋକାନ, ଗ୍ୟାରେଜ୍, ସିଲେଇ ଦୋକାନ ଓ କିଛି ପୂଜା ମଣ୍ଡପ। କଳ୍ପନା ଛକ, ରାଜମହଲ, ଖାରବେଳନଗର ଆଦି ଅଞ୍ଚଳର ଅଟୋ ମାଲିକ ସଂଘ, ବୁଦ୍ଧନଗର ଓ ଚନ୍ଦ୍ରଶେଖରପୁର ସେସୁ କାର୍ୟ୍ୟାଳୟ, ଓମ୍ଫେଡ୍ କାର୍ୟ୍ୟାଳୟ ଓ ରେଳଡବା ମରାମତି କାରଖାନା ଆଦିରେ ବେଶ୍ ଜାକଜମକରେ ଏହି ପୂଜା ପାଳିତ ହେବ। କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ୱକର୍ମା ମନ୍ଦିରରେ ମଧ୍ୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହା ପାଳିତ ହେବ। ସକାଳୁ ମଞ୍ଚେଶ୍ୱର, ରସୁଲଗଡ଼ ଓ ଚନ୍ଦକା ଶିଳ୍ପାଞ୍ଚଳ ଦିନ ଶିଳ୍ପାଞ୍ଚଳ ଆଜି କନିଆ ଭଳି ସଜେଇ ହୋଇଛନ୍ତି। ଆସନ୍ତାକାଲି ସକାଳୁ ସକାଳୁ ଗାଡ଼ି ପୂଜା ପାଇଁ ଲୋକଙ୍କ ଲମ୍ବାଭିଡ଼ ବିଭିନ୍ନ ମନ୍ଦିର ତଥା କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ବକର୍ମା ମନ୍ଦିରରେ ଦେଖିବାକୁ ମିଳିବ।

Share

Leave a Reply

Your email address will not be published. Required fields are marked *

10 − 6 =