କେନ୍ଦ୍ରୀୟ ବଜେଟରେ ଓଡିଶା ପ୍ରତି ଅନ୍ୟାୟ

କେନ୍ଦ୍ରୀୟ ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରିଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଓଡିଶାର ନ୍ୟାଯ୍ୟ ଦାବିକୁ ଅଣଦେଖା କରାଯାଇଛି । ଏପରିକି ଦରବୃଦ୍ଧିରେ ପ୍ରଭାବିତ ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଆଜି ଅର୍ଥମନ୍ତ୍ରୀ ନିର୍ମାଣ ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ବଜେଟ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟରେ ଟେକନୋଲୋଜି ଏବଂ ଭିତ୍ତିଭୂମି ବିକାଶକୁ ଫୋକସ କରାଯାଇଛି । କରୋନା ସମୟରେ ଏହା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ସମୟରେ ମନରେଗା ଯୋଜନାରେ ବ୍ୟୟବରାଦ ହ୍ରାସ କରାଯାଇଥିବାରୁ ଗ୍ରାମାଞ୍ଚଳର ଗରିବ ଲୋକେ ସର୍ବାଧିକ ପ୍ରଭାବିତ ହେବେ । ସେପଟେ କୃଷି, କୃଷକ ବିକାଶ ଶିକ୍ଷା, ଗ୍ରାମ୍ୟ ବିକାଶ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବଜେଟରେ ବ୍ୟୟବରାଦ ହ୍ରାସ କରାଯାଇଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଦେଶର ସମନ୍ବିତ ବିକାଶ ପ୍ରଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାର ପୁନର୍ବିଚାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଫସିଆଇ ଦ୍ବାରା ଧାନ ଉଠାଣ ସମସ୍ୟାର ସମାଧାନ ହୋଇନଥିବା ବେଳେ ଏନଏଫଏସଏରେ ରିହାତି ପରିମାଣ ହ୍ରାସ କରାଯିବା ଦ୍ବାରା ଚାଷୀଙ୍କ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡିବ । ଏଥିସହ ଗ୍ରାମାଞ୍ଚଳରେ ଲୋକଙ୍କୁ ପୋଷଣ ସୁରକ୍ଷା ପ୍ରଦାନ କରିବାକୁ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ ମିଶନକୁ କେନ୍ଦ୍ରୀୟ ବଜେଟରେ ସ୍ବୀକୃତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ୨୦୨୩କୁ ମିଲେଟ ମିଶନର ବର୍ଷ ଭାବେ ଘୋଷଣା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି  । ଏଥିସହ ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ ବଜେଟରେ କୌଣସି ଘୋଷଣା ହୋଇନାହିଁ  । ଦର ବୃଦ୍ଧିକୁ ନେଇ ମଧ୍ୟବିତ୍ତ ଅନେକ ସମସ୍ୟାରେ ଜୁଝୁଥିବା ବେଳେ ସେଥିରୁ ମୁକ୍ତି ପାଇଁ କିଛି ବି ଘୋଷଣା ହୋଇନାହିଁ  । ଏଲପିଜି ଗ୍ୟାସ ଉପରେ ରିହାତି ହ୍ରାସ କରାଯାଇଥିବାରୁ ଲୋକଙ୍କ ଦୈନନ୍ଦିନ ଅର୍ଥନୀତି ପ୍ରଭାବିତ ହେବ । ବିଶେଷ କରି ମହିଳାମାନେ ଏହାଦ୍ବାର ଅଧିକ ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାର ସେସ୍ ଓ ସରର୍ଚାର୍ଜ ଜରିଆରେ ୨୦ ପ୍ରତିଶତରୁ ଅଧିକ ଟିକସ ଆଦାୟ କରିବାକୁ ଯୋଜନା କରିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ।  ପିଏମଏଓ୍ବାଇ ଏବଂ ଜଳ ଜବୀନ ମିଶନରେ ଖର୍ଚ ବୃଦ୍ଧି ସ୍ବାଗତଯୋଗ୍ୟ ହୋଇଥିଲେ ବି ଗ୍ରାମୀଣ ଗୃହ ନିର୍ମାଣରେ ଓଡିଶା ପ୍ରତି ଅନ୍ୟାୟ କରାଯାଇଛି । ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆବାସ ଯୋଜନାରେ ଓଡିଶାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି । ହେଲେ ଅନ୍ୟ ରାଜ୍ୟକୁ ଏଦିଗରେ କେନ୍ଦ୍ର ସହଯୋଗର ହାତ ବଢାଇଛନ୍ତି । ସେହିଭଳି ଓଡିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲେ ବି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ମିଳୁନି । ଚଳିତ ବଜେଟରେ ମଧ୍ୟ ଓଡିଶାର ବିପର୍ଯ୍ୟୟ ମୁକାବିଲା ପାଇଁ କୌଣସି ଘୋଷଣା ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 3 =