ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ

ପ୍ରଥମ ଥର ପାଇଁ ଜଣେ ବହିସ୍କୃତ, ଚାରି ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର () ପ୍ରଥମ ଥର ପାଇଁ ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଜଣଙ୍କୁ ଚାକିରିରୁ ବହିସ୍କାର କରାଯାଇଛି । ଓଏଏସ ଅଫିସର ପ୍ରଦୀପ କୁମାର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ବହିସ୍କାର କରାଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ତିନି ଅଫିସର ହେଲେ ଅବକାରୀ ବିଭାଗର ଉପ-କମିଶନର ଦିଲ୍ଲୀପ କୁମାର ନାଗ, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା, ଡିଏଫଓ ଶରତ ଚନ୍ଦ୍ର ପଣ୍ଡା ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀ ।

ମୟୁରଭଂଜ ଜିଲ୍ଲା କପ୍ତିପଦା ତହସିଲଦାର ପ୍ରଦୀପ କୁମାର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ବହିସ୍କାର କରାଯାଇଛି । ସେ ପୂର୍ବରୁ କୋରାପୁଟ ଜିଲ୍ଲ କୋମନାରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ସେ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବାରୁ 2008ରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଦିଲ୍ଲୀପ କୁମାର ନାଗ ଅବକାରୀ ବିଭାଗର ସବୁଠାରୁ ଦୁର୍ନୀତିଗ୍ରସ୍ତ ଅଫସର । ସେ 2012ରେ କଟକରେ ଉପଅବକାରୀ କମିଶନର ଭାବେ ନିଯୁକ୍ତି ପାଇଥିଲେ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଗିରଫ ସମୟରେ ତାଙ୍କ ବାସଭବନରୁ 47 ଲକ୍ଷ 50 ହଜାର କ୍ୟାସ ଜବତ ହୋଇଥିଲା । ତାଙ୍କର ଓ ତାଙ୍କ ପରିବାର ନାଁରେ ମୋଟ 1 କୋଟି 50 ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଏହା ଦ୍ବିତୀୟ ସର୍ବାଧିକ ଅର୍ଥ ଜବତ ହୋଇଥିଲା । ସେ 2012 ନଭେମ୍ବର 20 ତାରିଖରୁ 2015 ମାର୍ଚ୍ଚ 3 ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ । ସରକାରୀ କର୍ମଚାରୀ ଆଚରଣ ଆଇନ 1959ର ବିରୁଦ୍ଧାଚରଣ କରି ସେ ନିଜ ଚାକିରି କାଳ ମଧ୍ୟରେ ଯେତେ ସମ୍ପତ୍ତି ଆହରଣ କରିଥିଲେ ତାହା ସରକାରଙ୍କୁ ଜଣାଇନଥିଲେ ।

ସେହିଭଳି ବସନ୍ତ କୁମାର ବେହେରା ଢେଙ୍କାନାଳ ଆରଟିଏ ଥିବା ସମୟରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା । 2018ରେ ରାଜ୍ୟ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଓ ତାଙ୍କ ପରିବାର ନାଁରେ ଆୟ ବର୍ହିଭୁତ ଭାବେ 2 କୋଟି 50 ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିଲା । ତାଙ୍କ ବାସଘରେ ଚଢାଉ ସମୟରେ 3 ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଥଲା । ଦୁର୍ନୀତି ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିବା ବେଳେ ସରକାର ତାଙ୍କୁ 2018 ଜୁଲାଇ 6 ତାରିଖରୁ ନିଲମ୍ବିତ ହୋଇଛନ୍ତି । ଏଥସହିତ 2014ରେ ବିଭିନ୍ନ ଯାନବାହନରୁ ଟିକସ ଓ ଫାଇନ ବାବଦରେ ଆଦାୟ ହୋଇଥିବା 4 ଲକ୍ଷ 62 ହଜାର 382 ଆତ୍ମସାତ ଅଭିଯୋଗରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ହୋଇଥିଲା । ସେ ସମୟରେ ସେ ବରଗଡ ଆରଟିଓ ଥିଲେ । ଆୟ ବର୍ହିଭୁତ ଭାବେ ବସନ୍ତ ଭୁବନେଶ୍ବରରେ ଦୁଇ ଓ କଟକରେ ଦୁଇଟି ଲେଖାଏଁ ପ୍ଲଟ ରହିଥିଲା, ଯାହାର ଆନୁମାନିକ ମୂଲ୍ୟ 1 କୋଟି 77 ଲକ୍ଷ 32ହଜାର 500 ଟଙ୍କା । ଭୁବନେଶ୍ବର କସ୍ମୋପଲ୍ଲି ଫ୍ଲାଟର ମୂଲ୍ୟ 49 ଲକ୍ଷ 27 ହଜାର 202 ଟଙ୍କା । ବିଭିନ୍ନ ବ୍ୟାଙ୍କରେ 33 ଲକ୍ଷ 80 ହଜାର 704 ଟଙ୍କା ଥିଲା । ଜଣେ ଆରଟିଓ ଓ ତାଙ୍କ ପରିବାର ନାଁରେ ଗୋଟିଏ ମର୍ସଡିସ ବେଂଜ, ହଣ୍ଡା ବ୍ରିୟୋ, ହୁଣ୍ଡାଇ ଆଇ-10, ମହିନ୍ଦ୍ରା ଏକ୍ସୟୁଭି ଓ ଟାଟା ଇନୋଭା ଗାଡି ରହିଥିଲା । ଚଢାଉ ସମୟରେ ଘରୁ 3 ଲକ୍ଷ 44 ହଜାର 890 ଟଙ୍କା କ୍ୟାସ ଜବତ ହୋଇଥିଲା । ଘରେ ଥିବା ଆସବାବପତ୍ରର ମୂଲ୍ୟ 21 ଲକ୍ଷ ଟଙ୍କା ହେବ ।

ବାଧ୍ୟତାମୂଳକ ଅବସର ପାଇଥିବା ଆଉ ଜଣେ ଅଧିକାରୀ ହେଲେ ଖରିଆର ଡିଏଫଓ ଶରତ ଚନ୍ଦ୍ର ପଣ୍ଡା । ସେ ନିଜ ନାଁ ଓ ପରିବାର ନାଁରେ ପ୍ରାୟ ସାଢେ ଚାରି କୋଟି ଟଙ୍କାର ସମ୍ପତ୍ତି ଆହରଣ କରିଥିଲେ । ପରିବାର ଓ ନିଜ ବ୍ୟାଙ୍କ ଆକାଉଣ୍ଟରୁ 4 କୋଟି ଟଙ୍କା ଜମା ଉଦ୍ଧାର କରାଯାଇଥିଲା । 2016 ବିମୁଦ୍ରିକରଣ ସମୟରେ ସେ ଏହି ଟଙ୍କା ନିଜ ଆକାଉଣ୍ଟରେ ଜମା କରିଥିଲେ । 4 କୋଟି 26 ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ଭୁବନେଶ୍ବରରେ 23 ଲକ୍ଷ 97 ଲକ୍ଷ ଟଙ୍କା ମୂଲ୍ୟର ଏକ ତିନି ମହଲା କୋଠା ଓ ଗୋଟିଏ ଦୁଇ ମହଲା କୋଠା ରହିଛି । ଭୁବନେଶ୍ବରରେ 53 ଲକ୍ଷ 80 ହଜାର ଟଙ୍କାର ବାସପଯୋଗୀ ଜମି, 3 ଲକ୍ଷ 80 ହଜାର ଟଙ୍କାର ଗୋଟିଏ କାର  ଓ ଏକାଧିକ ଦୁଇ ଚକିଆ ଯାନ ଜବତ ହୋଇଥିଲା । ସେ 2017 ଫେବୃଆରୀ 26 ତାରିଖରେ ଗିରଫ ହୋଇଥିଲେ ।

ସେହିଭଳି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଏବଂ ମିଲ ମାଲିକଙ୍କୁ ବେଆଇନ ସହାୟତା ପ୍ରଦାନ କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ ମାମଲା ରୁଜୁ ହୋଇଥିବା ବେଳେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗ ହୋଇଛି । ଚାଉଲ ମିଲ ମାଲିକଙ୍କୁ ବେଆଇନ ସହୟତା ଯୋଗାଇଥିବାରୁ ବିଭାଗକୁ ବ୍ୟାପକ କ୍ଷତି ହୋଇଥିଲା । ଫନୀ ବାତ୍ୟା ସମୟରେ ମଧ୍ୟ ସେ ଦାୟିତ୍ବ ସମ୍ପାଦନରେ ବିଫଳ ହୋଇଥିବାରୁ ନିଲମ୍ବିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

two × four =