ମୁଖ୍ୟ ସଚିବ ପାହ୍ୟାର ପାଉଣା ପାଉଛନ୍ତି ପିଏମୟୁ କର୍ମଚାରୀ

ଭୁବନେଶ୍ୱର : ଠିକା ଚାକିରି । ହେଲେ ମାସିକ ପାଉଣା ଶାସନ ସଚିବ ସ୍ତରର କିମ୍ବା ଏହାଠାରୁ ଅଧିକ । କେତେକ ତ ମୁଖ୍ୟ ଶାସନ ସଚିବଙ୍କ ପାହ୍ୟାର ମାସିକ ପାଉଣା ପାଉଛନ୍ତି । ତେବେ ଏହି ମୋଟା ବେତନଧାରୀମାନେ ରାଜ୍ୟର କି ମଙ୍ଗଳ କରୁଛନ୍ତି ତାହା ସାଧାରଣ ଲୋକଙ୍କ ଗୋଚର ବାହାରେ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେତେକ ସରକାରୀ ଦପ୍ତରରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‍ (ପିଏମ୍‍ୟୁ) ଗଠନ ହୋଇଛି । ଏଠାରେ ନିଯୁକ୍ତ ଅଧିକାରୀମାନେ ମୋଟା ଅଙ୍କର ବେତନ ପାଉଛନ୍ତି । କାହାର ଲକ୍ଷେ ତ ଆଉ କାହାର ଦେଢ ଲକ୍ଷ । କେତେକ କର୍ମଚାରୀ ମାସିକ ଅଢେଇ ଲକ୍ଷ ବି ପାଉଛନ୍ତି । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ, ବିଏମ୍‍ସି ଆଦିରେ ଏଭଳି ମୋଟା ବେତନଧାରୀମାନେ ବସିଥିବାେଳେ ଏବେ ପରିବହନ ବିଭାଗ ପକ୍ଷରୁ ଏଭଳି ପିଏମ୍‍ୟୁ ଗଠନ କରାଯାଇ ମାସିକ ଅଢେଇ ଲକ୍ଷ ଟଙ୍କା ବେତନରେ କିଛି ଯୁବ ଚେହେରାଙ୍କୁ ନିଯୁକ୍ତି ଦେବାପାଇଁ କସରତ ଆରମ୍ଭ ହୋଇଛି ।

ତେବେ ଏହି ମ୍ୟାନେଜମେଣ୍ଟ ଡିଗ୍ରୀଧାରୀମାନେ ଯୁଗ୍ମ ସଚିବ, ଶାସନ ସଚିବ ଏପରିକି ମୁଖ୍ୟ ଶାସନ ସଚିବମାନଙ୍କ ଠାରୁ ଅଧିକ ଦରମା ପାଉଥିବାବେଳେ ଏମାନେ ରାଜ୍ୟର କି ପ୍ରକାର ମଙ୍ଗଳ କରୁଛନ୍ତି ତାହା ସାଧାରଣ ଲୋକେ, ବିଶେଷକରି ଯେଉଁମାନଙ୍କ ଟିକସ ପଇସାରୁ ଏମାନେ ପାଉଣା ପାଉଛନ୍ତି, ସେମାନେ ଜାଣିପାରୁ ନାହାନ୍ତି । ବିଭିନ୍ନ ବିଭାଗରେ ଗଢି ଉଠିଥିବା ଏହି ପିଏମ୍‍ୟୁରେ ମ୍ୟାନେଜମେଣ୍ଟ ଡିଗ୍ରୀଧାରୀ ଯୁବକ ଯୁବତୀମାନେ ନିଯୁକ୍ତ ହୋଇଛନ୍ତି । ଏମାନେ ମୁଖ୍ୟତଃ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ପ୍ରଶାସନିକ ସଂସ୍କାର ଯୋଜନାକୁ ଚଳାଉଛନ୍ତି ।

ତେବେ ଏହି କାର୍ଯ୍ୟ କରିବାପାଇଁ ରାଜ୍ୟ ସରକାରଙ୍କ ନିକଟରେ କ’ଣ ଯୋଗ୍ୟ ଅଧିକାରୀ ନାହାନ୍ତି କି ବୋଲି ପ୍ରଶ୍ନ ଉଠିଲାଣି । ଯଦି ଠିକାରେ କାମ କରି ଏମାନେ ଶାସନସଚିବଙ୍କ ଠାରୁ ଅଧିକ ପାଉଣାପାଇବେ ତେବେ ସେମାନେ କାହିଁକି ସରକାରରେ ଥିବା ବାବୁମାନଙ୍କୁ ଖାତିର କରିବେ ? ଏଭଳି ପ୍ରଶାସନିକ ସଙ୍କଟ ଏବେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି । ଯେହେତୁ ପିଏମ୍‍ୟୁରେ ନିଯୁକ୍ତ ଏହି କର୍ମଚାରୀମାନେ ଅଧିକାଂଶ ବଡ ବଡ ଅଧିକାରୀଙ୍କ ସମ୍ପର୍କୀୟ କିମ୍ବା ଚିହ୍ନା ପରିଚୟରେ କାମ ପାଇଛନ୍ତି ତେଣୁ ତଳିଆ ଅଫିସରମାନେ ସେମାନଙ୍କୁ କିଛି କହିବାକୁ ସାହସ କୁଳାଇ ପାରୁନାହାନ୍ତି । ସେମାନଙ୍କ ଦରମା କଥା ଭାବିଲା ବେଳକୁ ପାଟି ଚୁପ୍‍ ହୋଇଯାଉଛି ।

ତେବେ ଏହି ସୂଚନା ଅନୁଯାୟୀ ବାସ୍ତବରେ ଲକ୍ଷାଧିକ ଟଙ୍କାର ପାଉଣା ପାଉଥିବାଏହି ବାବୁମାନଙ୍କ ପକେଟକୁ ସବୁ ଟଙ୍କା ଯାଉନାହିଁ । ଏମାନେ ମୁଖ୍ୟତଃ ବିଭିନ୍ନ କର୍ମଚାରୀ ଯୋଗାଣକାରୀ ସଂସ୍ଥା ବା ସର୍ଭିସ ପ୍ରୋଭାଇଡରଙ୍କ ଜରିଆରେ ଆସୁଛନ୍ତି । କର୍ମଚାରୀଙ୍କ ମୋଟା ପାଉଣାରୁ ଏହି କର୍ମଚାରୀ ଯୋଗାଣକାରୀ ସଂସ୍ଥାମାନେ ସିଂହଭାଗ ପାଉଛନ୍ତି । ସେହି ସିଂହଭାଗରେ ବିଭିନ୍ନ ଲୋକଙ୍କର ଭାଗ ବି ରହୁଛି । ତେଣୁ ପିଏମ୍‍ୟୁ ନାମରେ ରାଜ୍ୟ ପ୍ରଶାସନରେ ଏହି ମୋଟା ଅଙ୍କର କର୍ମଚାରୀମାନେ ନିଯୁକ୍ତି ପାଉଛନ୍ତି । ଯେଉଁ କାମକୁ ଅଳ୍ପ ଦରମା ପାଉଥିବା ସରକାରୀ କର୍ମଚାରୀମାନେ ସହଜରେ କରିପାରନ୍ତେ ପିଏମ୍‍ୟୁ ନାମରେ ସେହି କାମ ପାଇଁ ଏବେ ମୋଟା ଅଙ୍କର ଅର୍ଥ ରାଜକୋଷରୁ ଯାଉଛି । ତେବେ ବର୍ତ୍ତମାନ ସେଭଳି କିଛିକାମ ନଥାଇ ପିଏମୟୁ ଆଢୁଆଳରେ ପରିବହନ ବିଭାଗରେ କିଛି ଯୁବକ ଯୁବତୀଙ୍କୁ ଥଇଥାନ ପାଇଁ ଜୋରଦାର ଉଦ୍ୟମ ଚାଲିଛି ।

Share

Leave a Reply

Your email address will not be published. Required fields are marked *

seventeen − ten =