ଉତ୍କଳ ବିଶ୍ବବିଦ୍ୟାଳୟରେ ପୋଲିସ ଛାତ୍ରଛାତ୍ରୀ ଧସ୍ତାଧସ୍ତି

ଭୁବନେଶ୍ବର () 10 ଦଫା ଦାବି ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଦାବି ପୁରଣ ନେଇ ଛାତ୍ରଛାତ୍ରୀମାନେ କୂଳପତିଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ଭୁବନେଶ୍ବର ଡିସିପି ଘଟଣାସ୍ଥଳରେ ପହଁଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି ।

ରାଜରାସ୍ତାରୁ ଭୁଲ ରାସ୍ତାରେ ବିଶ୍ବବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ଫଳରେ ବିଭିନ୍ନ ଦୁର୍ଘଟଣା ହେଉଛି । ରାଜା ହୋଟେଲ ଥିବା ସ୍ଥାନରେ ମୁଖ୍ୟ ପ୍ରବେଶ ଫାଟକ କରାଯାଉ ଏବଂ ବର୍ତ୍ତମାନର ଫାଟକକୁ ପ୍ରସ୍ଥାନ ଫାଟକ କରାଯାଉ । ପରୀକ୍ଷା ଓ ପରୀକ୍ଷା ଫଳରେ ନିୟମିତତା ରକ୍ଷା କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ରଖାଯାଉ ଯାହାଫଳରେ ପରୀକ୍ଷା ଗୁଡିକ ଏକା ସମୟରେ ବିଭାଗରେ ଅନୁଷ୍ଠିତ ହୋଇପାରିବ ଏବଂ 45 ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ସେହିଭଳି ଗତ ଦୁଇ ବର୍ଷ ହେଲାଣି ପ୍ରବେଶିକା ପରୀକ୍ଷା ଠାରୁ ଆରମ୍ଭ କରି ହଷ୍ଟେଲ ଓ ମାଇଗ୍ରେସ ଫି ଦୁଇଗୁଣା ହୋଇଛି । ଏହାର ପ୍ରତ୍ୟାହାର କରାଯିବା ସହ ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟ ପରି ଉତ୍କଳ ବିଶ୍ବବିଦ୍ୟାଳୟରେ ମଧ୍ୟ ଜାତୀୟ ପତାକା ଉଡିବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଶ୍ବବିଦ୍ୟାଳୟର ପରିବେଶ ଓ ପରିସର ଓ ଚୋରୀ ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବସ୍ତି ଉଚ୍ଛେଦ ହେବା ସହ ଆବଶ୍ୟକ ସ୍ଥାନରେ ସିସିଟିଭି କାର୍ଯ୍ୟକାରୀ ହେବା ଉଚିତ ବୋଲି ଦାବି ହୋଇଛି ।

ବର୍ତ୍ତମାନ ତାଲା ଝୁଲି ରହୁଥିବା ନବନିର୍ମାଣ ଗୃହମାନଙ୍କର ତୁରନ୍ତ ଉପଯୋଗ ହେବା ଆବଶ୍ୟକ । ଛାତ୍ରାବାସର କାନ୍ଥ ଛାତ ଭୁସୁଡିବା ଏବଂ କାଠ ଖଟରେ ଓଡଶ ହେବା ଦ୍ବାରା ଛାତ୍ରମାନେ ତଳେ ଶୋଇବା ଏକ ବଡ ସମସ୍ୟା । ତୁରନ୍ତ ପୁରୁଣା ଖଟକୁ ହଟାଯାଇ ଷ୍ଟିଲ ଖଟ ଦବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଛାତ୍ରୀନିବାସର ପାଣି, ପଇବା ପାଣି, ଖରାପ ଖାଦ୍ୟର ସମସ୍ୟା ଆଦି ନେଇ ଛାତ୍ରଛାତ୍ରୀମାନେ ଆପତ୍ତି ଉଠାଇଛନ୍ତି । ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ସେମିନାର ସମ୍ପାଦକଙ୍କ ପାଖରେ ଛାତ୍ରଛାତ୍ରୀଙ୍କ ଆକ୍ଟିଭିଟି ଫଣ୍ଡକୁ ଅଧ୍ୟାପକ ଓ କର୍ମଚାରୀଙ୍କୁ ଦରାମା ଆକାରରେ ଦେବା ନିନ୍ଦନୀୟ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଥିସହିତ ବିଗତ ବର୍ଷରେ ଏକ ଆମ୍ବୁଲାନ୍ସକୁ ବିଶ୍ବବିଦ୍ୟାୟକୁ ଦାନ କରାଯାଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ବିନା କାରଣରେ କ୍ୟାମ୍ପସକୁ ପ୍ରବେଶକୁ ବାରଣ କରାଯିବା ଉଚିତ ।

Share

Leave a Reply

Your email address will not be published. Required fields are marked *

19 − three =