ସ୍ୱାଭାବିକ ହେବ ଟେଲିକମ ଭଏସ୍ କଲ୍

ଭୁବନେଶ୍ୱର (): କେନ୍ଦ୍ର ଟେଲିକମ ଓ ବିଦ୍ୟୁତ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଫନି ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିକମ ସେବା ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ । କ୍ଷତିଗ୍ରସ୍ତ ଅଞ୍ଚଳରେ ଟେଲିକମ୍, ବିଦ୍ୟୁତ ଓ ବ୍ୟାଙ୍କ ସେବା ପୁନଃ ସଂସ୍ଥାପନା ନିମନ୍ତେ ଏହି ବିଭାଗ ଦ୍ୱୟ ରାଜ୍ୟ ସରକାରଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଖୁବ୍ଶୀଘ୍ର ପ୍ରଭାବିତ ଅଞ୍ଚଳରେ ଉପରୋକ୍ତ ସେବା କ୍ଷେତ୍ରରେ ଯେପରି ସ୍ୱାଭାବିକ ଅବସ୍ଥା ଶୀଘ୍ର ଫେରିଆସିବ, ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଉପକୂଳ ଅଞ୍ଚଳରେ ବିଦ୍ୟୁତ ଓ ଟେଲି ଯୋଗାଯୋଗ ଭିତ୍ତିଭୂମିକୁ ବିପର୍ଯ୍ୟୟ ପ୍ରତିରୋଧ ସମ୍ପନ୍ନ କରିବା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଆସନ୍ତା ୭ଦିନ ମଧ୍ୟରେ ଫନି ପ୍ରଭାବିତ ଅଞ୍ଚଳରେ ଭଏସ୍ ସେବା ପୁନଃ ସଂସ୍ଥାପିତ ହେବ ବୋଲି ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ସୂଚନା ଦେଇଥିଲେ । ସେହିପରି ଅଟ୍ରି ଠାରୁ ପୁରୀ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ୨୨୦ କେଭି ଲାଇନ୍ର ପୁନରୁଦ୍ଧାର ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ନେବ ବୋଲି ବୈଠକରୁ ଜଣାଯାଇଛି । ଆସନ୍ତା ମଇ ୩୧ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ସରକାରୀ ଉଦ୍ୟୋଗର କର୍ମଚାରୀମାନେ ପ୍ରଭାବିତ ଅଞ୍ଚଳରେ ଟ୍ରାନ୍ସମିସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ଲାଇନ ପୁନଃ ସଂସ୍ଥାପନ ନିମନ୍ତେ ସହଯୋଗ ଜାରି ରଖିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ବ୍ୟାଙ୍କ ସେବା ସ୍ୱାଭାବିକ କରିବା ପାଇଁ ଟେଲିକମ୍ ଡିପାର୍ଟମେଣ୍ଟ ତ୍ୱରିତ ପଦକ୍ଷେପ ନେଇଛି ବୋଲି ବୈଠକରୁ ଜଣାଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କେନ୍ଦ୍ର ଶକ୍ତି ସଚିବ, ଉନ୍ନୟନ କମିଶନର, ଟେଲିକମ୍ ବିଭାଗର ଅତିରିକ୍ତ ସଚିବ, ଏନଟିପିସିର ଅଧ୍ୟକ୍ଷ, ପିଜିସିଆଇଏଲର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

7 − two =