ଘରୋଇ ହସପିଟାଲରେ ରୋଗୀଙ୍କ ପାଇଁ ରହିବେ ‘ସ୍ବାସ୍ଥ୍ୟ ମିତ୍ର’

ଭୁବନେଶ୍ବର () ଡିସେମ୍ବର 31 ତାରିଖରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ବନ୍ଦ ହେବା ପରେ ରାଜ୍ୟର 70 ଲକ୍ଷ ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛନ୍ତି । ଏହି ପରିବାରମାନେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସପିଟାଲରେ କାର୍ଡ ମାଧ୍ୟମରେ ବିନା ନଗଦରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟ ଆଶ୍ବାସନ ସମିତିର ପରିଚାଳନା ପରିଷଦ ବୈଠକରୁ ଏହା ଜଣାପଡିଛି ।

ରାଜ୍ୟରେ ସ୍ବାସ୍ଥ୍ୟ ବୀମା, ରାଜ୍ୟ ସ୍ବାସ୍ଥ୍ୟ ଚିକିତ୍ସା ପାଣ୍ଠି, ବିଜୁ କୃଷକ କଲ୍ୟାଣ ଯୋଜନା ଆଦିର କାର୍ଯ୍ୟକାରିତା ସମୀକ୍ଷା କରି ଯୋଜନା ଅନ୍ତର୍ଭୁକ୍ତ ପରିବାରମାନଙ୍କର ଘରୋଇ ହସପିଟାଲରେ ଚିକିତ୍ସା ସହଜଲବ୍ଧ ଓ ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ହସପିଟାଲଟରେ କାର୍ଡଧାରୀ ରୋଗୀଙ୍କ ସହାୟତା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ସମିତି ପକ୍ଷରୁ ‘ସ୍ବାସ୍ଥ୍ୟ ମିତ୍ର’ ସେବା ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଯୋଜନାର ସଠିକ କାର୍ଯ୍ୟାନ୍ବୟନ, ପରିଚାଳନା, ସେବା ଯୋଗାଣରେ ଗୁଣାତ୍ମକ ବିକାଶ, ପାଣ୍ଠି ବିନିଯୋଗ ଆଦିକୁ ତୃତୀୟ ପକ୍ଷ ବିଶେଷଜ୍ଞ ସଂସ୍ଥା ଦ୍ବାରା ଯାଂଚ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତୃତୀୟ ପକ୍ଷ ଯାଂଚ ରିପୋର୍ଟ ଆଧାରରେ ଆଗାମୀ ବର୍ଷ ମାନଙ୍କରେ ଯୋଜନାର କାର୍ଯ୍ୟାନ୍ବୟନକୁ ଅଧିକ ଲକ୍ଷ୍ୟଭେଦୀ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ତଥା ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 70 ଲକ୍ଷ ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି । ସେମାନେ ଉଭୟ ଘରୋଇ ଓ ସରକାରୀ ଡାକ୍ତରଖାନାରେ ମାଗଣା ସ୍ବାସ୍ଥ୍ୟ ସେବା ପାଉଛନ୍ତି । ରାଜ୍ୟ ଭିତରେ ବର୍ତ୍ତମାନ 200ଟି ଘରୋଇ ହସପିଟାଲ ଓ ରାଜ୍ୟ ବାହାରେ 20ଟି ବଡ ବଡ ହସପିଟାଲ ଚେନର ସୁପର ସ୍ପେଶିଲିଟି ହସପିଟାଲମାନଙ୍କୁ ତାଲିକାଭୁକ୍ତ କରାଯାଇଛି । ଆଗାମୀ ଦିନରେ ରାଜ୍ୟ ବାହାରେ ଅଧିକ ସୁପର ସ୍ପେଶିଆଲିଟି ହସପିଟାଲକୁ ଏହି ଚେନରେ ସାମିଲ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

9 − 8 =