ଯନ୍ତ୍ରୀଙ୍କୁ ମନ୍ତ୍ରୀ ଦେଲେ ଗ୍ରାମାଞ୍ଚଳ ବିକାଶର ମନ୍ତ୍ର

ଭୁବନେଶ୍ବର () ଓଡିଶା ଏକ ଗ୍ରାମ ବହୁଳ ରାଜ୍ୟ । ଗ୍ରାମର ବିକାଶ ଉପରେ ରାଜ୍ୟର ସାମଗ୍ରିକ ବିକାଶର ସ୍ବରୂପ ନିର୍ଭର କରେ । ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ଉନ୍ନତି ହାସଲ ପାଇଁ ଗ୍ରାମାଞ୍ଚଳର ଭିତ୍ତିଭୂମି ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ ଅତି ଗୁରୁତ୍ବପୂର୍ଣ୍ଣ । ଗ୍ରାମ୍ୟ ଉନ୍ନୟନ ବିଭାଗ ଆଗରେ ବିରାଟ ଲକ୍ଷ୍ୟ । ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଓ ଯନ୍ତ୍ରୀଗଣ ଏହ ଲକ୍ଷ୍ୟ ହାସଲକୁ ଏକ ଆହ୍ବାନ ରୂପେ ଗ୍ରହଣ କରି ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ଅତି ନିଷ୍ଠାର ସହ ସମୟୋଚିତ ଭାବେ ସମାହିତ କଲେ ବିଭାଗ ଉପରେ ନ୍ୟସ୍ତ ଗୁରୁଦାୟିତ୍ବକୁ ଆମେ ସଫଳତାର ସହ ତୁଲାଇ ପାରିବା ଓ ଯାହାଫଳରେ ରାଜ୍ୟର ଗ୍ରାମାଞ୍ଚଳର ଆଖିଦୃଶିଆ ପରିବର୍ତ୍ତନ ହୋଇପାରିବ । ଆଜି ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ପରାମର୍ଶ ଦେଇଛନ୍ତି ।

ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବିଜୁ ସେତୁ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ନାବାର୍ଡ ସହାୟତାରେ ଗ୍ରାମ୍ୟ ରାସ୍ତା ନିର୍ମାଣ, ରାସ୍ତାଘାଟର ଉନ୍ନତି, ଗ୍ରାମ୍ୟ ରାସ୍ତାର ସ୍ବତନ୍ତ୍ର ମରାମତି, ଗ୍ରାମାଞ୍ଚଳ କୋଠାବାଡି ନିର୍ମାଣକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଗ୍ରାଧିକାର ଦେଇଛି । ନିର୍ମାଣ ସମୟରେ କାର୍ଯ୍ୟର କୌଣସି ଅସୁବିଧା ଥିଲେ ଜନସାଧାରଣ ଆପକୁ ବ୍ୟବହାର କରି ଅଭିଯୋଗ କରିପାରିବେ ।

ଇଂଜିନିୟର ଇନ ଚିଫ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ଟିମ ପିଏମୟୁ ସେଟଅପ କରାଯାଇ ଏହାର ସୁପରିଚାଳନା ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ଯାହାଫଳରେ ଆମର ଦାୟିତ୍ବ ବଢିବା ସଙ୍ଗେ ସଙ୍ଗେ ବିଭାଗର ସୁନାମ ହେବ । ଆଜିର ଏହି ସଭାରେ ବିଭିନ୍ନ ଯୋଜନା ଯଥା ପିଏମଜିଏସୱାଇ, ଏମଏମଏସୱାଇ, ବିଜୁ ସେତୁ ଯୋଜନା, ଗ୍ରାମାଞ୍ଚଲ କୋଠାବାଡି ନିର୍ମାଣର ଉନ୍ନୟନ ସଂପର୍କରେ ଆଲୋଚନା ହେବ । ବିଭିନ୍ନ ପ୍ରକଳ୍ପ ସଂପର୍କିତ ସମସ୍ୟାର ଉପସ୍ଥାପନା କରନ୍ତୁ, ଏହାଦ୍ବାରା ପ୍ରକଳ୍ପଗୁଡିକର ବିହିତ ପ୍ରତିକାର ବ୍ୟବସ୍ଥା କରାଯାଇପାରିବ । ଯେଉଁ ପ୍ରକଳ୍ପ କାମ ଦୀର୍ଘଦିନ ଧରି ଚାଲୁ ରହୁଛି ଏବଂ ଏହା ଠିକ ସମୟରେ ହୋଇପାରୁନାହିଁ, ଯାହାଫଳରେ ସରକାରଙ୍କ ପ୍ରଭୂତ ଅର୍ଥ କ୍ଷତି ହେଉଛି । କେତେକ କ୍ଷେତ୍ରରେ ଅଭିଯୋଗ ଆସୁଛି, ଇଂଜିନିୟରମାନେ କ୍ଷେତ୍ର ପରିଦର୍ଶନ କରୁନାହାଁନ୍ତି । ତେଣୁ ସମସ୍ତ ଇଂଜିନିୟର ଆବଶ୍କତା ଅନୁଯାୟୀ କ୍ଷେତ୍ର ପରିଦର୍ଶନ କରି କାମ ମାନ ପରୀକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଏକ ଉତ୍ତରଦାୟୀ କାର୍ଯ୍ୟକ୍ଷମ, ସ୍ବଚ୍ଛ, ସକ୍ରିୟ ପ୍ରଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5-ଟିର ଆହ୍ବାନ ଦେଇଛନ୍ତି । ଟିମୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟାଇମ ଓ ଟ୍ରାନ୍ସଫରମେସନକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଭିନ୍ନ ଫଳପ୍ରସୁ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସେ କହିଛନ୍ତି ।

ପ୍ରକଳ୍ପର ମନିଟରିଂ ପାଇଁ ଡ୍ୟାସବୋର୍ଡର ବ୍ୟବସ୍ଥା କରାଯାଉ । ଯାହାକି ପ୍ରକଳ୍ପକୁ ମନିଟର କରିବାରେ ସବିଧା ହେବ । ସମୟ ଅନୁଯାୟୀ ଅଗ୍ରଗତି କରୁଥିବା ପ୍ରକଳ୍ପଗୁଡିକ ସବୁଜ ରଙ୍ଗ, ସାମାନ୍ୟ ଧିମାଥିବା ପ୍ରକଳ୍ପକୁ ହଳଦିଆ ରଙ୍ଗ ଓ ଅତ୍ୟନ୍ତ ଧିମା ବା ସମସ୍ୟାମୂଳକ ପ୍ରକଳ୍ପକୁ ନାଲି ରଙ୍ଗରେ କୋଡ କରାଯାଉ । ଏଥିସହିତ ବିଭାଗ ମଧ୍ୟରେ କ୍ଷେତ୍ର ଅଧିକାରୀଙ୍କ ବଦଳିରେ ସ୍ବଚ୍ଛତା ଆଣିବାକୁ ଏକ ଆଦର୍ଶ ବଦଳି ନିୟମ ପ୍ରଚଳନ କରାଯିବା ସହ ପ୍ରତି ଡିଭିଜନରେ ର୍ୟାଙ୍କି କରି ଯେଉଁ ଡିଭିଜନ ଉଲ୍ଲେଖନୀୟ କାର୍ଯ୍ୟ କରିବ ସେମାନଙ୍କୁ ପୁରସ୍କୃତ କରଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 19 =