ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର: ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର । ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା । ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ ବେକରେ ଗୁରୁତର କ୍ଷତ ହୋଇଥିଲା । ଏଥି ସହିତ ତା’ର ଛାତି, ପେଟ, ହାତ ଏବଂ ଗୋଡ ପୋଡି ହୋଇଯାଇଥିବା ବେଳେ ତା’ ପେଟ ମଧ୍ୟରୁ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା ।
ଡାକ୍ତରମାନେ ପ୍ରଥମେ ଶିଶୁଟିର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ପ୍ରାଥମିକ ଚିକିତ୍ସା କରିବା ସହ ତା’ ଶରୀରରେ ଥିବା କ୍ଷତଗୁଡିକର ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରିଥିଲେ ।

ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଯଦିଓ ଗୁରୁତର ଭାବେ ପୋଡି ହୋଇଯାଇଥିବା ଏହି ବାଳକଟିର ଅବସ୍ଥା ଖୁବ୍ ସଙ୍କଟାପନ୍ନ ଥିଲା ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତି ନିଆଯାଇଥିଲା । ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା । ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା । “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭି ଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟ୍ରିକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି ।

ବାଳକଟିର ଚିକିତ୍ସା ନିମନ୍ତେ ଗଠିତ ଟିମ୍ରେ ଜେନେରାଲ୍ ସର୍ଜରୀ ବିଭାଗର ଡାକ୍ତର ଜେ.ଏନ୍ ସେନାପତି ଓ ଡାକ୍ତର ସୋନାଲି ମହାନ୍ତି, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଡାକ୍ତର ସୁଧାଂଶୁ ଏସ୍ ପାତ୍ର, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସୁଶାନ୍ତ ମିଶ୍ର ଓ ଡାକ୍ତର ରାଜେଶ ଗନ୍ତାୟତ, ରେଡିଓଲୋଜି ବିଭାଗର ଡାକ୍ତର ସତ୍ୟ ଏସ୍. ମହାପାତ୍ର ଏବଂ ଆନେସ୍ ଥେସିଆ ବିଭାଗର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ରୋହନ୍ ନାୟକ, ଡାକ୍ତର ଅଶୋକ ଓ ଡାକ୍ତର ମିନଲ୍ ପ୍ରମୁଖ ସାମିଲ ଥିଲେ । ଏହି ଟିମ୍କୁ ଫାର୍ମାସିଷ୍ଟ ସସ୍ମିତା ଓ ପ୍ରଣତୀ ଏବଂ ନର୍ସି ଂ ଷ୍ଟାଫ୍ ବିଶ୍ୱରଞ୍ଜନ,ପୁଷ୍ପଲତା, ସ୍ମୃତିରେଖା ଓ ତୋଫାନ୍ ପ୍ରମୁଖ ସାହାଯ୍ୟ କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 4 =