ସମ୍ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ କୋଭିସିଲ୍ଡ ଟୀକା ଉପଲବ୍ଧ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି । ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟୀକାକୁ ଜନସାଧାରଣ କୋ-ୱିନ ଆପର ପଞ୍ଜୀକରଣ କରି ପାରିବେ କିମ୍ବା ସିଧାସଳଖ ଆସି ସମ୍ ହସ୍ପିଟାଲରେ ନେଇ ପାରିବେ । ସମ୍ ହସ୍ପିଟାଲରେ ଗତ ଜୁନ୍ ୧୭ ତାରିଖରୁ ଏହି କୋଭିସିଲ୍ଡ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସରକାରଙ୍କର ପକ୍ଷରୁ ଘରୋଇ ହସ୍ପିଟାଲରେ ଟୀକାକରଣ ନିମନ୍ତେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହି ଟୀକାକରଣ କରାଯାଉଛି ବୋଲି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି । ପ୍ରତ୍ୟେକ ଡୋଜର ମୂଲ୍ୟ ୭୮୦ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହାକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ମୂଲ୍ୟ ଅଟେ । ଏହି ନିର୍ଦ୍ଧାରିତ ମୂଲ୍ୟରୁ କୌଣସି ଅଧିକ ଟଙ୍କା ନିଆଯାଉନାହିଁ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।

ଟୀକାକରଣ ନେଇ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତର ଯେଉଁ କେତୋଟି କେନ୍ଦ୍ରରେ କୋଭାକ୍ସିନ ଟୀକା ଟ୍ରାଏଲ୍ କରାଯାଇଥିଲା ସେଥିମଧ୍ୟରୁ ଅନ୍ୟତମ ଥିଲା ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ । ସେହିପରି ଜାନୁୟାରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶବ୍ୟାପି ଟୀକାକରଣର ଶୁଭାରମ୍ଭ ହୋଇଥିବାବେଳେ ସମ୍ ହସ୍ପିଟାଲରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜାନୁୟାରୀରୁ ମେ ମାସ ମଧ୍ୟରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲର ଟୀକାକରଣର ନୋଡାଲ ଅଫିସର ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡ. ଲିପିଲେଖା ପଟ୍ଟନାୟକ ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଟୀକାକରଣ ହିଁ ଏକମାତ୍ର ଅସ୍ତ୍ର । ତେଣୁ ସମସ୍ତ ଜନସାଧାରଣ ଟୀକା ଗ୍ରହଣ କରିବା ଉଚିତ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି । ସମ୍ ହସ୍ପିଟାଲରେ ଟୀକାକରଣ ପ୍ରକ୍ରିୟାରେ ପ୍ରଫେସର ପଟ୍ଟନାୟକ, କମ୍ୟୁନିଟି ମେଡିସିନର ଆସିଷ୍ଟାଂଟ ପ୍ରଫେସର ଡ. ସୁଧାଂଶୁ ଶେଖର ଲେଙ୍କା ଏବଂ ଶିଶୁରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ. ବ୍ରଜକିଶୋର ବେହେରା ସାମିଲ୍ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + two =