ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର, 12/06 (ନିପ୍ର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତି ଅସୁରକ୍ଷିତ ରହିବାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ରାଜ୍ୟ ସରକାର ଦୋଷୀକୁ ଧରିବା ପାଇଁ ଠୋସ ଆଇନଗତ ପଦକ୍ଷେପ ନେବା ପରିବର୍ତେ  ଘଟଣାରୁ ଦୃଷ୍ଟି ହଟାଇବା ପାଇଁ କେବଳ ସମୟ ଗଡାଇ ଦେବା ପାଇଁ ଅପଚେଷ୍ଟା କରୁଛନ୍ତି ।

ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପ୍ରତି ଅବହେଳା ପ୍ରଦର୍ଶନ, ରତ୍ନଭଣ୍ଡାର ଚାବି ହଜିବା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତିକୁ ଅସୁରକ୍ଷିତ ରଖିଥିବା ରାଜ୍ୟସରକାରଙ୍କ ବିରୁଦ୍ଧରେ ସାରା ରାଜ୍ୟରେ ଜନ ଜାଗରଣ କାର୍ଯ୍ୟକ୍ରମ ହୋଇଛି । ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଖୋର୍ଦ୍ଧା, ଭୁବନେଶ୍ବର, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ବାଲେଶ୍ବର,ବଲାଙ୍ଗିର, କୋରାପୁଟ, ତାଳେଚର, କୁଚିଣ୍ଡା, ବାଙ୍କୀ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡିଆ ଜାତିର ଭାବାବେଗ ସହ ମହାପ୍ରଭୁଙ୍କ ଅତୁଟ ସମ୍ବନ୍ଧ ରହିଛି । ଦୀର୍ଘ ଦିନରୁ ଏହି ଚାବି ନଥିବା ଜାଣି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଜାଣିଶୁଣି ଚାବି ହଜିଥିବା କଥାକୁ ଲୁଚାଇଥିଲେ । ମହାପ୍ରଭୁ ଓ ଶ୍ରୀମନ୍ଦିରର ରତ୍ନଭଣ୍ଡାର ସହିତ ରାଜ୍ୟର ସାଢେ ୪ କୋଟି ଓଡିଆ, ଭାରତ ତଥା ବିଶ୍ବର ଅଗଣିତ ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ବାସ ଓ ଭାବାବେଗ ସହ ଜଡିତ । ଚାବି ହଜିବା ଘଟଣା ଓଡିଶା ତଥା ଭାରତବର୍ଷର କୋଟିକୋଟି ହିନ୍ଦୁ, ସନାତନ ଧର୍ମାବଲମ୍ବୀ, ଜଗନ୍ନାଥପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ସହ ଜଡିତ ଶ୍ରଦ୍ଧାଳୁଙ୍କ ଭାବାବେଗକୁ କୁଠାରଘାତ କରିଛି ।

ଚାବି ହଜିବା ଘଟଣାକୁ ଏକ ସାଧାରଣ ଘଟଣା ବୋଲି କହିବା ସହ ଲକ୍ଷ ଲକ୍ଷ ଆଇନ ଦେଶରେ ଏମିତି ଭାଙ୍ଗୁଛି ବୋଲି ଶାସକ ବିଜେଡି ସାଂସଦ ପିନାକୀ ମିଶ୍ର ବୟାନ ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟସରକାର ନିଜର ଅପରାଧୀକ ଷଡଯନ୍ତ୍ରକୁ ଚପାଇଦେବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହି ଅପରାଧୀକ ଷଡଯନ୍ତ୍ରରେ ଶ୍ରୀମନ୍ଦିର ପ୍ରଶାସନ  ଏବଂ ରାଜ୍ୟସରକାର ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ, ରାଜ୍ୟ ସରକାରଙ୍କ ମୁଖ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଚପାଇ ଦେବା ଭଳି ଅପରାଧୀକ ଷଡଯନ୍ତ୍ର ରଚନା କରିଛନ୍ତି ।  ରତ୍ନଭଣ୍ଡାରର ସୁରକ୍ଷାରେ ଦାୟୀତ୍ବରେ ଥାଇ ମଧ୍ୟ ଆଇନର ଖୋଲା ଉଲ୍ଲଘଂନ କରି ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସପ୍ତାହ ଧରି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟବାସୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସ୍ବତଃପ୍ରବୃତ ଭାବେ ସାମିଲ ହୋଇ ରାଜ୍ୟସରକାରଙ୍କ ଏଭଳି ଦାୟୀତ୍ବହୀନ କାର୍ଯ୍ୟକଳାପକୁ କଟୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ସାଧାରଣ ଜନତାଙ୍କ ମନରେ ସୃଷ୍ଟି  ହୋଇଥିବା ସନ୍ଦେହକୁ ଦୂରିଭୂତ କରନ୍ତୁ ବୋଲି ବିଜେପି ଦାବି କରିଛି ।

Share

Leave a Reply

Your email address will not be published. Required fields are marked *

3 × 5 =