ବଦଳିବ ରାଜ୍ୟ ଗ୍ରନ୍ଥାଗାର

ବଦଳିବ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଚେହେରା । ପାଠକମାନଙ୍କ ସୁବିଧା ପାଇଁ ଆଗାମୀ ଦିନରେ ସୂଚନା ପ୍ରଯୁକ୍ତି ମାଧ୍ୟମରେ ପୁସ୍ତକ ପଞ୍ଜୀକରଣ, ପାଠକ ପଞ୍ଜୀକରଣ କରାଯାଇ ଏହାକୁ ଅତ୍ୟାଧୁନିକ ପାଠାଗାରରେ ପରିଣତ କରାଯିବ । ଏଥିପାଇଁ ସରକାର ଯୋଜନା କରୁଛନ୍ତି ବୋଲି ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ।

ରାଜଧାନୀ ପ୍ରତିଷ୍ଠା ଦିବସ, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଓ ବିଷୁବ ଉତ୍ସବ ଅବସରରେ ଗ୍ରନ୍ଥାଗାରରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି । ଏଥିରେ ଶ୍ରୀ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ପାଠାଗାର କର୍ମଚାରୀମାନେ ରାଜ୍ୟ ଗ୍ରନ୍ଥାଗାରର ପୂର୍ବ ସଫଳତା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଗ୍ରନ୍ଥାଗାରିକ ବିଦ୍ୟାଧର ପଣ୍ଡା ନୂତନ ପଞ୍ଜିକା ପାଠ କରି ଆସନ୍ତା ବର୍ଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ସମ୍ୟକ୍‌ ସୂଚନା ଦେଇଥିଲେ । ଶେଷରେ ଦେବେନ୍‌ ମହାନ୍ତ ଧନ୍ୟବାଦ ଦେଇଥିଲେ । ପରେ କର୍ମଚାରୀମାନେ ଓଡ଼ିଆ ନବବର୍ଷ ଅବସରରେ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

seven − five =