ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିୟମାବଳୀ ପ୍ରସ୍ତୁତ କର

ଭୁବନେଶ୍ବର () ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଖାଦ୍ୟ ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରାଯାଇଛି । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ନିୟମାବଳୀ ପ୍ରସ୍ତୁତ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧିଷ୍ଟ ପ୍ରସ୍ତାବକୁ ନିୟମାବଳୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ପତ୍ର ଲେଖିଛନ୍ତି ।

ନୂତନ ଆଇନରେ ଗଠିତ ହେବାକୁ ଥିବା କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦରେ ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ସଭ୍ୟ ହିସାବରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଆଇନର ଧାରା ୨୯ ଅନୁଯାୟୀ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗରେ ସଭାପତି ଓ ସଭ୍ୟମାନଙ୍କର ଇସ୍ତଫା ଗ୍ରହଣ ଏବଂ ଅପସାରଣ କ୍ଷମତା ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ କରାଯିବା ଆବଶ୍ୟକ । ସେହିପରି ଧାରା ୩୦ ଅନୁଯାୟୀ ଜିଲ୍ଲା ଆୟୋଗର ସଭାପତି ଓ ସଦସ୍ୟମାନଙ୍କର ଦରମା, ଭତ୍ତା ଆଦି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଅଭିଯୋଗ ଦାଖଲ କରିବା ସମୟରେ ଖାଉଟି ନଗଦ କିମ୍ବା ଇଲେକ୍‌ଟ୍ରୋନିକ୍‌ ଫର୍ମାଟ୍‌ରେ ଦାଖଲ କରିଥିବା ଦେୟଗୁଡ଼ିକ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ହେଡ଼୍‌ ଅଫ୍‌ ଆକାଉଣ୍ଟରେ ଦାଖଲ ହେବ । ଏହି ଅର୍ଥ ରାଶିକୁ ରାଜ୍ୟ ଖାଉଟି କଲ୍ୟାଣ ପାଣ୍ଠିରେ ଜମା ରଖାଯିବ । ଖାଉଟି ବିବାଦ ସମାଧାନ ଆୟୋଗଙ୍କ ଇସ୍ତଫା ଗ୍ରହଣ କିମ୍ବା ଅପସାରଣ କ୍ଷମତା ରାଜ୍ୟ ସରକାରଙ୍କ ନିକଟରେ ନ୍ୟସ୍ତ କରିବା ପାଇଁ ପତ୍ରରେ ପ୍ରସ୍ତାବ ଦିଆଯାଇଛି ।

ସେହିପରି ରାଜ୍ୟ କମିଶନର ସଭାପତି ଓ ସଭ୍ୟମାନଙ୍କର ଦରମା ଓ ଭତ୍ତା ଆଦି ଖର୍ଚ୍ଚ କେନ୍ଦ୍ର ସରକାରଙ୍କ ଦ୍ବାରା ବହନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ନୂତନ ଆଇନ ଅନୁଯାୟୀ ଗଠିତ ହେବାକୁ ଥିବା ଖାଉଟି ମଧ୍ୟସ୍ଥତା ସେଲ୍‌ ରାଜ୍ୟ ସରକାରଙ୍କ ଦ୍ବାରା ସୁପାରିଶ କ୍ରମେ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି । ଇ-କମର୍ସ ଓ ସିଧାସଳଖ ବିକ୍ରି ବ୍ୟବସ୍ଥାରେ ଅନୈତିକ ବ୍ୟବସାୟ ରୋକିବା ଓ ଖାଉଟିମାନଙ୍କର ସ୍ବାର୍ଥରକ୍ଷା ଦିଗରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସମୁଚିତ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ନୂତନ ଆଇନରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ଗଠନକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ସ୍ବାଗତ କରିଥିବାବେଳେ ଏଥିରେ ଥିବା କିଛି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ନିୟମ ଧାରା ୧୬ ଏବଂ ୧୯ ଅନୁସାରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ କୌଣସି ଖାଉଟି ବିବାଦ ସଂପର୍କରେ ସିଧାସଳଖ ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ତଲବ କରିବା ବ୍ୟବସ୍ଥା ରହିଛି । ରାଜ୍ୟ ସରକାରଙ୍କୁ ଏଡାଇ ସିଧାସଳଖ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ତଲବ କରିବା ସୁସ୍ଥ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ମନ୍ତ୍ରୀ ସେ ଉଲ୍ଲେଖ କରିବା ସହିତ ଏହା ରାଜ୍ୟ ସରକାରଙ୍କର ଖାଉଟି ବ୍ୟପାର ବିଭାଗ ମାଧ୍ୟମରେ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଧାରା ୧୦(୩)ରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷଙ୍କ ମୁଖ୍ୟାଳୟରେ ନୂଆଦିଲ୍ଲୀରେ ରଖାଯିବାକୁ ବ୍ୟବସ୍ଥା ଥିବାବେଳେ ଓଡ଼ିଶା ସହିତ ସମସ୍ତ ରାଜ୍ୟମାନଙ୍କରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ରାଜ୍ୟ କିମ୍ବା ଜିଲ୍ଲା କମିଶନର ଖାଉଟି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିବାର କ୍ଷମତା ରହିଥିବାବେଳେ ଏଥିରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି ।

ନିର୍ଦ୍ଧିଷ୍ଟ ମାମଲା ବିଷୟରେ ପ୍ରଥମେ ରାଜ୍ୟ ସରକାରଙ୍କ ମତାମତ ନେବା ପାଇଁ କୁହାଯାଇଛି । ନୂତନ ଆଇନରେ ଜିଲ୍ଲା ତଥା ରାଜ୍ୟ ଖାଉଟି କମିଶନରେ ସଭାପତି ଓ ସଦସ୍ୟମାନଙ୍କର ନିଯୁକ୍ତି ସଂପର୍କରେ ଚୟନ ପ୍ରକ୍ରିୟା, ନିଯୁକ୍ତି ସର୍ତ୍ତାବଳୀ, ନିଯୁକ୍ତି ଅବଧି, ଇସ୍ତଫା, ଅପସାରଣ ଆଦି କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବାବେଳେ ଏହାକୁ ପରିବର୍ତ୍ତନ କରି ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥା କାୟମ ରଖିବା ଉପରେ ପ୍ରସ୍ତାବ ଦିଆଯାଇଛି । ଜିଲ୍ଲା ଓ ରାଜ୍ୟ ଆୟୋଗର ସଭାପତି ଓ ସଦସ୍ୟମାନଙ୍କର ଦରମା ଓ ଭତ୍ତା ଆଦି ଖର୍ଚ୍ଚ ବ୍ୟତୀତ ଏହାର ପରିଚାଳନାଗତ ଖର୍ଚ୍ଚର ୭୫ ପ୍ରତିଶତ କେନ୍ଦ୍ର ସରକାରଙ୍କ ଦ୍ବାରା ବହନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏତଦ୍‌ବ୍ୟତୀତ ମହିଳାମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ବ ଦେବା ଦିଗରେ ଆୟୋଗରେ ଜଣେ ମହିଳା ସଦସ୍ୟା ରଖିବା ପାଇଁ ବାଧ୍ୟତାମୂଳକ ବୋଲି ପ୍ରସ୍ତାବ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 5 =