ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିକାଶ ଓ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ

ଭୁବନେଶ୍ବର ()ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ, ଗୁଣାତ୍ମକ ଶିକ୍ଷା, ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଏବଂ ସର୍ବୋପରି ଅଣଛାତ୍ରଙ୍କ ଦୌରାତ୍ମକୁ ରୋକିବା ଦିଗରେ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଆଜି 11ଟି ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଏହିଭଳି ତାଗିଦ କରିଛନ୍ତି ।

ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ଆଧୁନିକୀକରଣ ଏବଂ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସଂପର୍କରେ ଉପସ୍ଥିତ ରାଜ୍ୟର ୧୧ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିଥିଲେ । କୁଳପତିମାନଙ୍କଠାରୁ ସେମାନଙ୍କ ପରାମର୍ଶ ଏବଂ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ବିଭିନ୍ନ ସମସ୍ୟାର ଯଥାଶୀଘ୍ର ସମାଧାନ କରି ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଉନ୍ନତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

ଖାଲିଥିବା ଶିକ୍ଷକ ପଦବୀକୁ ଯଥାଶୀଘ୍ର ପୂରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ସହ ବିଦ୍ୟାର୍ଥୀ ତଥା ଅଧ୍ୟାପକମାନଙ୍କ ନିୟମିତ ଉପସ୍ଥାନକୁ ସୁନିଶ୍ଚିତ କରିବା ନିମନ୍ତେ ମଧ୍ୟ କୁଳପତିମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷାଦାନ ପ୍ରକ୍ରିୟାକୁ ବିଶ୍ବସ୍ତରୀୟ କରିବା ସହିତ ଗବେଷଣାକୁ ପ୍ରୋତ୍ସାହନ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।  ସେହିପରି ବିଶ୍ବବିଦ୍ୟାଳୟରେ ଅଣଛାତ୍ରମାନଙ୍କ ଅନୁପ୍ରବେଶକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ବୈଠକରେ ସ୍ପଷ୍ଟ ଭାବେ ଜଣାଇଥିଲେ । ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସାଧାରଣ ପ୍ରବେଶ ପରୀକ୍ଷା, ସ୍ନାତକ ସ୍ତରରେ ଏକକ ସିଲାବସ୍‌ ପ୍ରଚଳନ, ସ୍ନାତକ ଏବଂ ସ୍ନାତକୋତ୍ତର/ସ୍ବୟଂ ଶାସିତ ସ୍ତରରେ ଅନୁଷ୍ଠିତ ପରୀକ୍ଷାରେ ସୁଧାର ଆଣିବା, ଫଳ ପ୍ରକାଶନ ଠିକ୍‌ ସମୟରେ କରିବା ଏବଂ ସ୍ନାତକଧାରୀଙ୍କୁ ନିର୍ଦ୍ଧାରିତ ସମୟରେ ସାର୍ଟିଫିକେଟ୍‌ ପ୍ରଦାନ କରିବା ଉପରେ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିକାଶ ଓ ସଂସ୍କାର ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରତ୍ୟେକ ମହାବିଦ୍ୟାଳୟ ନାକ୍‌ ମାନ୍ୟତା ଲାଭ କରିବା ନିମନ୍ତେ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

4 × 2 =