ସର୍ବସମ୍ମତ କ୍ରମେ ଗୃହିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଉପସ୍ଥାପିତ କରିଛନ୍ତି । ଏହି ଯୋଜନା ବାବଦରେ ଗୃହକୁ ସମ୍ପୁର୍ଣ୍ଣ ଭାବେ ଅବଗତ କରିଥିଲେ । ଆଜି ସର୍ବସମ୍ମତ କ୍ରମେ ଗୃହରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହିତ ହୋଇଛି ।

ସେ କହିଛନ୍ତି ଯେ, ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ । ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି ।

 

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ସବୁ ଭକ୍ତ/ ତଥା ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା। ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟୀତ୍ୱ ।

ଏହି ପରିପ୍ରେକ୍ଷୀରେ ଯେତେବେଳେ ଜଷ୍ଟିସ ବି.ପି. ଦାଶ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର ପାଇଁ ସୁପାରିଶ କଲେ, ସେତେବେଳେ ତିନୋଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା । ସେଗୁଡିକ ହେଲା :
୧) ଶ୍ରୀମନ୍ଦିରର ନିରାପତ୍ତା
୨) ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭଙ୍କ୍ତମାନଙ୍କର ନିରାପତ୍ତା
୩) ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି

ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ଗୋଷ୍ଠି ସହିତ ବହୁବାର ଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତ କରିଛି । ଏହି ମହାନ କାର୍ଯ୍ୟ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଗଜପତି ମହାରାଜାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏହି ଯୋଜନାକୁ ଆଗେଇ ନେବା ପାଇଁ ସେବାୟତ ତଥା ପୁରୀର ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ସେ ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କୁ, ଡ. ସୁବାସ ପାଣି ଏବଂ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଯେଉଁମାନେ କି ଏହି ମହାନ କାର୍ଯ୍ୟରେ ସେମାନଙ୍କର ଅବଦାନରଖି ସରକାରଙ୍କୁ ଉତ୍ସାହିତ କରିଛନ୍ତି ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନୁହେଁ । ଏ ଯୋଜନା ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହରେ ସେ ସାଢେ ଚାରିକୋଟି ଓଡିଆଙ୍କର ପ୍ରତିନିଧିତ୍ୱ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ତିନୋଟି ପ୍ରସ୍ତାବ ଦେଇଥିଲେ । 

୧) ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶିଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ଦ୍ୟମ କରିବା।
୨) ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା ।
୩) ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ।
ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ।

Share

Leave a Reply

Your email address will not be published. Required fields are marked *

17 + three =