ଶ୍ରୀଜଗନ୍ନାଥ ଓଡିଆ ଜାତିର ପ୍ରାଣକେନ୍ଦ୍ର, ଆମ ଅସ୍ମିତାର ପ୍ରତୀକ

ଶ୍ରୀ ଜଗନ୍ନାଥଙ୍କ ନାମ ସ୍ମରଣ କରି କାମ ଆରମ୍ଭ କଲେ ସବୁ କାମ ଶୁଭ ହୁଏ । ଏହା ଓଡିଆ ଜାତିର ବିଶ୍ବାସ । ପୁରୀ ଓଡିଆ ଜାତିର ପ୍ରାଣକେନ୍ଦ୍ର । ମହାପ୍ରଭୁ ଆମର ଆତ୍ମା । ଶହଶହ ବର୍ଷ ଧରି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଓିଆ ଜାତି ଅନେକ ତ୍ୟାଗ କରିଛି, ଅନେକ ବଳିଦାନ ଦେଇଛି । ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ବୁଲିଛି । ଶହ ଶହ ବର୍ଷ ଧରି ମହାପ୍ରଭୁ ପାତାଳି ହୋଇ ରହିଛନ୍ତି । ବହୁ ବର୍ଷ ଧରି ପବିତ୍ର ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଓଡିଆ ଜାତିକୁ ତାର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ କେହି ଅଲଗା କରିପାରିନାହିଁ, କି କରିପାରିବ ନାହିଁ । ବିଶର ମହାନ୍ତିଙ୍କ ତ୍ୟାଗ ଏ ଜାତି କେବେ ଭୁଲି ନାହିଁ ।

ଆମ ସଂସ୍କତି, ଆମ ପରମ୍ପରା, ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଆମ ଅସ୍ମିତାର ପ୍ରତୀକ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡିଆ ଜାତିର ଧର୍ମ । ବିର୍ତ୍ତମାନ ସାରା ବିଶ୍ବ ପାଇଁ ଆତଙ୍କବାଦ ଏକ ବଡ ସମସ୍ୟା ଭାବେ ଦେଖାଦେଇଛି । ଆତଙ୍କବାଦର ଧର୍ମ ନାହିଁ । ବିଭିନ୍ନ ଧର୍ମ ଅନୁଷ୍ଠନକୁ ସେମାନେ ଟାର୍ଗେଟ କରୁଛନ୍ତି । ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ନିହାତି ଜରୁରୀ ।

ଏଥିରେ କିଛି ପରିବାର ପ୍ରଭାବିତ ହୋଇପାରନ୍ତି । କିନ୍ତୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଏ ତ୍ୟାଗ ଗରୁତ୍ବପୂର୍ଣ୍ଣ । ଆମର ଭବିଷ୍ୟତ ପୀଢି ପାଇଁ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ଜରୁରୀ । ମୁଁ ଚାହେଁ, ଆପଣମାନେ ଏହାକୁ ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ । ଆପଣମାନଙ୍କର ତ୍ୟାଗକୁ ଓଡିଆ ଜାତି ସବୁଦିନ ମନେ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଆପଣଙ୍କୁ କଥା ଦେଉଛି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଯେଉଁମାନଙ୍କ ଘର ବା ଦୋକାନ ଆସୁଛି, ସେମାନଙ୍କର ଠିକ ଭାବେ ଥଇଥାନ କରାଯିବ । ସେହିପରି ସୁରକ୍ଷା ଜୋନରେ ଥିବା ମଠ ଗୁଡିକୁ ପୁଣି ଥରେ ଗଢିବାରେ ରାଜ୍ୟ ସରକାର ପୂରା ସହଯୋଗ କରିବେ ।

ଜଗନ୍ନାଥଙ୍କ ନୀତି ସହିତ ମଠମାନଙ୍କର ସ୍ବତନ୍ତ୍ର ସମ୍ପର୍କ ରହିଛି । ପୁରୀରେ ଥିବା ସବୁ ମଠଗୁଡିକୁ ଅଭଡା ଯୋଜନାରେ ରାଜ୍ୟ ସରକାର ସାହାଯ୍ୟ ଯୋଗାଇ ଦେବେ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ 100 କୋଟି ଟଙ୍କା ରଖାଯାଇଛି । ମଠ ସଂସ୍କୃତିର ସୁରକ୍ଷା ପାଇଁ ସରକାର ପୂରା ସହଯୋଗ ଯୋଗାଇଦେବେ ।

ଫନି ପରେ ମେ ମାସରେ ମୁଁ ପୁରୀ ଯାଇଥିଲି । ସେତେବେଳେ ମହାପ୍ରଭୁଙ୍କ ପବିତ୍ର ଧାନ ପୁରୀର ଅବସ୍ଥା ଦେଖି ମତେ ବହୁତ କଷ୍ଟ ଲାଗିଥିଲା । ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ଗଢିବା ପାଇଁ ମୁଁ ସେହି ଦିନ ହିଁ ସଂକଳ୍ପ ନେଇଥିଲି । ନିକଟରେ ପୁରୀର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର 265 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ପୁରୀର ଐତିହ୍ୟର ସୁରକ୍ଷା ପାଇଁ ଆଉ 500 କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦେଇଛି ।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ପୁରୀ ଧାମର ଗରିମା ବୃଦ୍ଧି ଦିଗରେ ଆମର ଉଦ୍ୟମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ସହ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four − 2 =