ମରୁଡ଼ି ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ସରକାର

ଭୁବନେଶ୍ୱର () 2018 ମରୁଡ଼ି ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । 33 ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବା ଅଣ ଜଳସେଚିତ ଅଂଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା 6800 ଟଙ୍କା ଓ ନିଶ୍ଚିତ ଜଳସେଚିତ ଅଂଚଳର ଚାଷୀଙ୍କୁ ହେକ୍ଟର ପିଛା 13,500 ଟଙ୍କା ଏବଂ ବର୍ଷବ୍ୟାପୀ ଫସଲ ପାଇଁ ହେକ୍ଟର ପିଛା 18000 ଟଙ୍କା କ୍ଷତିପୂରଣ ଦିଆଯିବ । ପ୍ରତି ଚାଷୀଙ୍କୁ ସର୍ବାଧିକ 2 ହେକ୍ଟର ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ । ବର୍ଷବ୍ୟାପୀ ଫସଲ ପାଇଁ ସର୍ବନିମ୍ନ 2000 ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ସର୍ବନିମ୍ନ 1000 ଟଙ୍କା ହେକ୍ଟର ପିଛା ଇନପୁଟ ସବସିଡ଼ି ପ୍ରଦାନ କରାଯିବ ।

ରବି 2018-19ରେ 1ଲକ୍ଷ ଡାଲି ମିନିକିଟ, 30 ହଜାର ତୈଳବୀଜ ମିନିକିଟ ଓ 29 ହଜାର ପନିପରିବା ବିହନ ମିନିକିଟ ମରୁଡି ପ୍ରଭାବିତ ଚାଷୀଙ୍କୁ ମାଗଣାରେ ଯୋଗାଇଦିଆଯିବା । 3ହଜାର ଚାଷୀଙ୍କୁ ଶତକଡା 50 ପ୍ରତିଶତ ରିହାତିରେ ପାଣି ପମ୍ପ ଦିଆଯିବ । ସୌର ଜଳନିଧି ଯୋଜନାରେ 90 ପ୍ରତିଶତ ରିହାତିରେ ହଜାରେ ସୌର ପମ୍ପ ଯୋଗାଇଦିଆଯିବା ।
ମରୁଡି ପ୍ରଭାବିତ ସବୁ ଗାଁରେ ସବୁ ଅଚଳ ଉଠା ଜଳସେଚନ ପ୍ରକଳ୍ପର ମରାମତି ସହ ଶକ୍ତି ବିଭାଗ ସବୁ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦେଶ ଦିଆଯାଇଛି । 33 ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବା ଅଂଚଳରେ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମାଧ୍ୟମ ଅବଧିରେ ପରିବର୍ତ୍ତନ କରିବାର ଅବଧିକୁ 2019 ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଧାର୍ଯ୍ୟ ସମୟରେ ଋଣ ପରିଶୋଧକାରୀଙ୍କୁ 3 ପ୍ରତିଶତ ସୁଧ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ।
33 ପ୍ରତିଶତରୁ ଅଧିକ ଫସଲ ହାନୀ ହୋଇଥିବା ଅଂଚଳରେ ଚାଷୀଙ୍କୁ ଖଜଣା ଓ ଜଳକର ସମ୍ପୂର୍ଣ ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ମରୁଡ଼ି ପ୍ରଭାବିତ ଅଂଚଳରେ ସବୁ ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ଓ ଟ୍ୟୁସନ ଫି ସମ୍ପୂର୍ଣ ଛାଡ଼ କରିବାକୁ ନିର୍ଦେଶ ଦିଆଯାଇଛି । ପ୍ରଭାବିତ ଅଂଚଳରେ ମହାଜନୀ କାରବାର କରୁଥିବା ଏବଂ ଚାଷୀଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଷ୍ଟି ରଖି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପୋଲିସକୁ ନିର୍ଦେଶ ଦିଆଯାଇଛି ।
Share

Leave a Reply

Your email address will not be published. Required fields are marked *

14 + 16 =