ବାତ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ

୧୬ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ବାତ୍ୟା ଫନିରେ ପ୍ରଭାବିତ ଚାଷୀଙ୍କୁ 16ଶହ କୋଟି ତାଙ୍କର ଜୀବନଜୀବିକା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏହି ସହାୟତା ପ୍ରଦାନ କରାଯାଇଛି ।

ବାତ୍ୟାରେ ଅନ୍ୟୁନ 33 ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା 6800 ଟଙ୍କା ଏବଂ ଜଳସେଚିତ ଜମି ପାଇଁ 13000 ହଜାର ଟଙ୍କା ଇନପୁଟ ସବସିଡ଼ି ପ୍ରଦାନ କରାଯିବ । ଆମ୍ବ, କାଜୁ, ନଡ଼ିଆ ଭଳି ସବୁ ପ୍ରକାର ପାରମ୍ପାରିକ ଚାଷ ପାଇଁ 18 ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । କୃଷି ଇନପୁଟ ସବସିଡ଼ି 2ହଜାର ଟଙ୍କାରୁ କମ୍ ହେବନି । ସେହିପରି ଅନ୍ୟାନ ଚାଷ ପାଇଁ ସହାୟତା 1ହଜାର ଟଙ୍କାରୁ କମ୍ ହେବନି ।

ଫନି କ୍ଷତିଗ୍ରସ୍ତ ଚାଷୀଙ୍କୁ 1 ଲକ୍ଷ ପରିବା କିଟ ପ୍ରଦାନ କରାଯିବ । ଖରିଫ ଋତୁରେ ବିଭିନ୍ନ ଫସଲ ପାଇଁ ପ୍ରଭାବିତ ଜିଲ୍ଲାରେ 50 ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଖୁ ଚାଷୀଙ୍କ ପାଇଁ 5000 ହେକ୍ଟର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଜରିଆରେ ହେକ୍ଟର ପିଛା 20 ହଜାର ଟଙ୍କା ଓ ଆଖୁର ଅଙ୍କୁରୋଦଗମ ପାଇଁ ହେକ୍ଟର ପିଛା 12,500 ଟଙ୍କାର ସହାୟତା ପ୍ରଦାନ କରାଯିବ । ବାତ୍ୟା ପ୍ରଭାବିତ ଚାଷୀଙ୍କୁ 50 ପ୍ରତିଶତ ରିହାତିରେ ପମ୍ପ ସେଟ ପ୍ରଦାନ କରାଯିବ । 50 ପ୍ରତିଶତ ରିହାତିରେ 10 ହଜାର ସ୍ପ୍ରେୟାର ପ୍ରଦାନ କରାଯିବ । ଖରିଫ ଋତୁରେ ତୁରନ୍ତ ଚାଷୀଙ୍କୁ ଉନ୍ନତମାନର ବିହନ ଓ ଅନ୍ୟାନ ଇନପୁଟ ସବସିଡ଼ି ପ୍ରଦାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

5 ହଜାର ପାନ ଚାଷୀଙ୍କୁ 15 ହଜାର ଟଙ୍କା ହିସାବରେ କ୍ଷତିପୂରଣ ପ୍ରଦାନ କରାଯିବ। ଛତୁ ଚାଷ ପାଇଁ ଚାଷୀ କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ 40 ହଜାର ଟଙ୍କା ପ୍ରଦାନ କରାଯିବ । ସେହିଭଳି 500 ମହୁ ଚାଷୀ କିମ୍ୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ 2ହଜାର ଟଙ୍କା କିମ୍ବା ମହୁ ବାକ୍ସ ଯୋଗାଇଦିଆଯିବ । 50 ହଜାର ଚାଷୀଙ୍କୁ ଆମ୍ବ ଓ ନଡ଼ିଆ ଚାରା ପ୍ରଦାନ କରାଯିବ । କଦଳୀ ଚାଷୀଙ୍କୁ ହେକ୍ଟର ପିଛା 25 ହଜାର ଟଙ୍କା ପ୍ରଦାନ କରାଯିବ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ 10 ହଜାର ହେକ୍ଟର ଜମିରେ ଫଳ ଗଛର ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Share