ରୋଗପୋକ ଦମନ ପାଇଁ ବ୍ୟବହାର କରୁନ୍ତୁ ମୋବାଇଲ ଆପ

ଭୁବନେଶ୍ବର () ରୋଗପୋକ ଆକ୍ରମଣର ଶିକାର ହେଉଥିବା ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସ୍ବତନ୍ତ୍ର ମୋବାଇଲ ଆପ ଜରିଆରେ ସେମାନେ ରୋକପୋକ ଆକ୍ରମଣରୁ ନିଜ ଫସଲକୁ ସୁରକ୍ଷା ଦେଇପାରିବେ । ଏହି ଆପ ଜରିଆରେ ଚାଷୀ ଓ କ୍ଷେତ୍ର କର୍ମଚାରୀ ଫସଲରେ ଲାଗିଥିବା ରୋଗପୋକର ଫଟୋ ଉଠାଇ ସିଧାସଳଖ ବିଶେଷଜ୍ଞମାନଙ୍କ ନିକଟକୁ ପଠାଇଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆବଶ୍ୟକ ପରାମର୍ଶ ପାଇପାରିବେ ।

ଚାଷୀମାନଙ୍କୁ କୀଟନାଶକର ସଠିକ୍‌ ବ୍ୟବହାର ସଂପର୍କରେ ସଚେତନ କରିପାରିଲେ ଚାଷ ଓ ଚାଷୀଙ୍କୁ ସୁରକ୍ଷିତ କରାଯାଇପାରିବ । ରୋଗପୋକର ଆକ୍ରମଣରୁ ଫସଲକୁ ରକ୍ଷା କରିବା ଓ କୀଟଦମନ ଦିଗରେ ପ୍ରସ୍ତୁତ ଏହି ନୂତନ ଆପ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।

ଆଜି କୃଷିଭବନଠାରେ ରୋଗପୋକ ସର୍ବେକ୍ଷଣ ଫସଲ ସୁରକ୍ଷା ଏବଂ କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସଂପର୍କରେ ମାଷ୍ଟର ଟ୍ରେନରମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏନ୍‌ଆଇସି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ନୂତନ ମୋବାଇଲ୍‌ ଆପ୍‌ର ଲୋକାର୍ପଣ କରିଥିଲେ । ଫସଲରେ କୀଟ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଓ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଅତିଶୀଘ୍ର ବ୍ୟାପୁଥିବାରୁ ଏହାର ଦମନ ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଗ୍ରାମ କୃଷି କର୍ମଚାରୀ, ଜିଲ୍ଲା କୃଷି ଅଧିକାରୀ, ଉପନିର୍ଦ୍ଦେଶକ କୃଷି, କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବିଶେଷଜ୍ଞ ସମସ୍ତେ ଏହି ଆପ ମାଧ୍ୟମରେ ପରସ୍ପର ସହିତ ସଂଯୋଗରେ ରହି କୀଟଦମନ ପାଇଁ ମିଳିତ ଉଦ୍ୟମ କରିବେ ଓ ରାଜ୍ୟସ୍ତରରେ ଏହାର ଗତିବିଧିକୁ ନିରୀକ୍ଷଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଏଥିସହିତ ପୋକ ଦମନ ନିମନ୍ତେ ବ୍ୟବହୃତ କୀଟନାଶକର ସଠିକ୍‌ ମାତ୍ରା, ସଠିକ୍‌ ଫସଲ, ସଠିକ୍‌ ସମୟ ଏବଂ କୀଟନାଶକ ଆଦିର ସୁରକ୍ଷିତ ବ୍ୟବହାର ସଂପର୍କରେ ଚାଷୀମାନଙ୍କର ଅଧିକ ଜାଣିବାର ଆବଶ୍ୟକତା ଦୃଷ୍ଟିରୁ ଚାଷୀମାନଙ୍କୁ ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩ ଲକ୍ଷ ୪୦ ହଜାର ୫୦୦ ଚାଷୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ଭାରତରେ ଏହିପରି ସଚେତନତା ଅଭାବରୁ ପ୍ରତିବର୍ଷ ପ୍ରାୟ ୧୦ ହଜାର ଲୋକ ଚର୍ମ, ଆଖି, କିଡ୍‌ନୀ, ସ୍ନାୟୁଯନ୍ତ୍ର ଆଦି ରୋଗର ଶିକାର ହୋଇ ମୃତୁ୍ୟବରଣ କରିଥାଆନ୍ତି । ଏଥି ନିମନ୍ତେ ରାଜ୍ୟ, ଜିଲ୍ଲା ଏବଂ ପଞ୍ଚାୟତସ୍ତରରେ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସଂପ୍ରସାରଣ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଦେଶର ଦ୍ବିତୀୟ ରାଜ୍ୟ ଯେଉଁଠାରେ ୱେବ୍‌ ପରିଚାଳିତ ରୋଗପୋକ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ଏହାର ସୁପ୍ରଭାବ ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ କହିଥିଲେ ଯେ ୨୦୧୮ ମସିହାରେ ସଠିକ୍‌ ପଦକ୍ଷେପ ଯୋଗୁଁ ରୋଗପୋକ ଦ୍ବାରା ଫସଲ କ୍ଷତିର ପରିମାଣକୁ ବହୁ ପରିମାଣରେ କମ କରାଯାଇପାରିଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଡ. ସୌରଭ ଗର୍ଗ ବିଶେଷଜ୍ଞ କମିଟି ରିପୋର୍ଟ ନିୟମିତ ଅପଡେଟ କରିବା ଓ ସଠିକ କୀଟନାଶକ ବିକ୍ରିବଟା ଉପରେ ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − nine =