ବାପାଙ୍କ ସ୍ବପ୍ନ, ସାକାର କଲେ ପୁଅ

ଯୁବ ଗୋଷ୍ଠି ମୁଁ ଓଡିଶା କ୍ୟାମ୍ପେନର ଅଗ୍ରଦୂତ : ନବୀନ

ଭୁବନେଶ୍ବର () : ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ସେହି ସ୍ୱପ୍ନକୁ ସାକାର କରିଛନ୍ତି । ଓଡ଼ିଶାରେ ଶିଳ୍ପର ବିକାଶ କରି ଏହାକୁ ଦେଶର ଆର୍ଥିକ ସ୍ୱାବଲମ୍ବୀଶୀଳ ରାଜ୍ୟ ଭାବେ ଗଢ଼ିତୋଳିବାକୁ ବିଜୁ ପଟ୍ଟନାୟକ ସଦାସର୍ବଦା ଚେଷ୍ଟା କରୁଥିଲେ । ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଲଢ଼େଇ କରି ଓଡ଼ିଶାର ହକ୍ ହାସଲ କରିଛନ୍ତି । ଦରିଆ ପାରି ଶିଳ୍ପ ପାଇଁ ବିଜୁ ପଟ୍ଟନାୟକଙ୍କ ଅଧୂରା ସ୍ୱପ୍ନକୁ ପୁରା କରି ଦେଖାଇଛନ୍ତି ନବୀନ ।

ରାଜ୍ୟକୁ ଶିଳ୍ପ ସମୃଦ୍ଧ କରି ବିଶ୍ୱ ଦରବାରରେ ଏହାକୁ ଏକ ଉତ୍ପାଦନଶୀଳ ହବ୍ ଭାବେ ପ୍ରତିଷ୍ଠିତ କରାଇବାକୁ ଗତ ୧୮ ବର୍ଷ ଧରି ଲଗାତାର ଭାବେ ଚେଷ୍ଟା ଚଳାଇଛନ୍ତି ନବୀନ । ଏହିକ୍ରମରେ ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ସଂସ୍କରଣର ଆୟୋଜନ ହୋଇଥିବାବେଳେ ଦୁଇ ବର୍ଷ ପରେ ଆଜି ଦ୍ୱିତୀୟ ସଂସ୍କରଣର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ନେଇ ଗତ କିଛିଦିନ ଧରି ବିରୋଧୀ ଦଳଗୁଡିକ ଚଳାଇଥିବା ନକରାତ୍ମକ କ୍ୟାମ୍ପେନର ଜବାବ ଦେଇଛନ୍ତି ।

ସେ କହିଛନ୍ତି ଯେ, କେହିକେବେ ଭାବିନଥିଲେ ଯେ ଦିନେ ଓଡ଼ିଶା ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଦେଶର ଶ୍ରେଷ୍ଠ ହେବ । କେହି କେବେ ଭାବିନଥିଲେ ଯେ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ ଦକ୍ଷତା ହାସଲ କରିବ । କେହିକେବେ ଭାବିନଥିଲେ ଯେ, ଓଡିଶା ଦେଶର ଖାଦ୍ୟ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । କେହିକେବେ ଭାବିନଥିଲେ ଓଡ଼ିଶାରେ ସର୍ବାଧିକ ଲୋକ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଉଠିବେ । ରାଜ୍ୟ ସରକାର କିନ୍ତୁ ଏସବୁ ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି । ସେହିଭଳି ଭାବେ ଆଗାମୀ ଦିନରେ ଓଡ଼ିଶା ବିଶ୍ୱଦରବାରରେ ନିଜକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଛିଡ଼ା କରାଇବ ।

ଦ୍ବିତୀୟ ପର‌୍ୟ୍ୟାୟ ମେକ ଇନ ଓଡିଶା କନକ୍ଲେଭ ୨୦୧୮କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବରେ ଜାପାନ ଆମ୍ବାସଡରଙ୍କ ସହ ବିଭିନ୍ନ ଦେଶର କନସୋଲେଟ ଜେନେରାଲମାନେ ଯୋଗ ଦେଇଥିଲେ । ଏଥିସହ ଋଷିଆ, ସାଉଦି ଆରବ, ୟୁଏଇ ଆଦି ଦେଶର ୮୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି କନକ୍ଲେଭର ଉଦଘାଟନ କରିବା ସହ ଏହାକୁ ଓଡିଶାର ଶିଳ୍ପ ପାଇଁ ପ୍ରସ୍ତୁତ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ଅବସରରେ ଦେଶ ବିଦେଶର ଶିଳ୍ପପତିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି କନକ୍ଲେଭ ରାଜ୍ୟର ଶିଳ୍ପ ନିପୁରଣର ପ୍ରଦର୍ଶନ ସହ ରାଜ୍ୟରେ ପୁଂଜିନିବେଶ କରିଥିବା ବହୁ ଶିଳ୍ପପତିଙ୍କ ସଫଳତାର କାହାଣୀର ପ୍ରଦର୍ଶନ କରୁଛି । ରାଜ୍ୟରେ ଉତ୍ପାଦନକ୍ଷମ ହୋଇଥିବା ଶିଳ୍ପାନୁଷ୍ଠାନଗୁଡିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଏବଂ ନିୟମିତ ଅଭିବୃଦ୍ଧିରେ ବେଶ ସହାୟକ ହୋଇଛନ୍ତି ।

ଉଚ୍ଚକୋଟିର କଳା ଓ ସଂସ୍କୃତି ପାଇଁ ଦେଶରେ ସୁପରିଚିତ ଥିବା ଓଡିଶା ନିଜର ଦକ୍ଷ ଏବଂ କୁଶଳୀ ମାନବ ସମ୍ବଳ ଦ୍ବାରା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମୀକା ନେବାକୁ ଯାଉଛି । ଏହି ଦକ୍ଷ ଓ କୁଳଶୀ ମାନବ ସମ୍ବଳ ମୁଖ୍ୟତଃ ତାଲିମପ୍ରାପ୍ତ ଯୁବକ ଓ ଯୁବତୀ । ଏହି ଯୁବ ଗୋଷ୍ଠୀ ହିଁ “ମୁଁ ଓଡିଶା କ୍ୟାମ୍ପେନର” ଅଗ୍ରଦୂତ । ତେଣୁ ଆଜିର ଏହି କନକ୍ଲେଭକୁ ସେହି ଯୁବକ ଯୁବତୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କନକ୍ଲେଭର ଆୟୋଜନରେ ଫିକି ଏକ ପାର୍ଟନର ଭାବେ ଗୁରୁତ୍ବପୂର୍ଣ୍ଣ ଭୂମୀକା ନେଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଇଣ୍ଟଷ୍ଟ୍ରି ବଡିକୁ କୃତଜ୍ଞତା ଜଣାଇଥିଲେ । ଏଥିସହିତ ଆଶା ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ଫିକି ରାଜ୍ୟରେ ଶିଳ୍ପର ବିକାଶ ସହ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ସହ ଭାଗିଦାରୀ ହେବ ।

ଓଡିଶା ପୂର୍ବ ଭାରତରେ ଏକ ଉତ୍ପାଦନ ହବ ହୋଇଛି । ଏବଂ ସମଗ୍ର ବିଶ୍ବରେ ଓଡିଶାକୁ ଏକ ଉତ୍ପାଦନ ହବ ଭାବେ ଛିଡା କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉତ୍ପାଦନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଭିତ୍ତିକ ଶିଳ୍ପ, ଟେକ୍ସଟାଇଲ ଭଳି ୬ଟି କ୍ଷେତ୍ରକୁ ଫୋକସରେ ରଖି ରାଜ୍ୟ ସରକାର ଭିଜନ ୨୦୨୫ ପ୍ରସ୍ତୁତ କରିଛନ୍ତି । ଦକ୍ଷତା ବିକାଶରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ରାଜ୍ୟର ଯୁବ ଗୋଷ୍ଠୀକୁ ଶିଳ୍ପ ପାଇଁ ପ୍ରସ୍ତୁତ କରାଯାଉଛି । ଏଥିସହିତ ରାଜ୍ୟ ସରକାର ପୁଂଜିନିବେଶ ପାଇଁ ଆଗ୍ରହୀ ଶିଳ୍ପାନୁଷ୍ଠାନକୁ ମଂଜୁରୀ ପ୍ରଦାନର ଅବଧୀକୁ ୨୦ ଦିନକୁ ହ୍ରାସ କରିଛନ୍ତି । ଏହାଦ୍ବାରା ଅଧିକରୁ ଅଧିକ ପୁଂଜିପୁତି ଆକୃଷ୍ଟ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + 16 =