କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର()  କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।

ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ନିୟମିତ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପରିବେଷଣ କରିଆସୁଛି ।
ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସର୍ବେ ଭବନ୍ତୁ ସୁଖିନଃ” ଜରିଆରେ ଏହି କମ୍ୟୁନିଟି ରେଡିଓ ପକ୍ଷରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ ନେଇ ଆଲୋଚନା କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ଓ ଏଥିରୁ କିଭଳି ଦୂରେଇ ରହିବାକୁ ହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ସୋଆର ଅନେକ ଗବେଷକ ମଧ୍ୟ ଶ୍ରୋତାମାନଙ୍କୁ ଏହି ମାରାତ୍ମକ ଭାଇରସ୍ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରୁଛନ୍ତି ।

ଏହି ମହାମାରୀ ସମୟରେ ମନସ୍ତତ୍ୱବିତ୍‌ମାନେ ସୋଆ କମ୍ୟୁନିଟି ରେଡିଓ ଜରିଆରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା କରୁଥିବା ବେଳେ ଆଶାକର୍ମୀ ଓ ଏଏନ୍‌ଏମ୍ ମାନେ ଶ୍ରୋତାମାନଙ୍କୁ ସୁରକ୍ଷା, ଉପଯୁକ୍ତ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ ସଂଗ୍ରହ ସମ୍ପର୍କରେ ସୂଚନା ଦେଉଛନ୍ତି । ଘରେ ଏକାନ୍ତବାସ, ରୋଗୀଙ୍କର ଘରୋଇ ଚିକିତ୍ସା ଏବଂ ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ, ଅନ୍ଧବିଶ୍ୱାସ ଓ ଅସମାନତା ପ୍ରଭୃତି ବିଷୟବସ୍ତୁକୁ ନେଇ କମ୍ୟୁନିଟି ରେଡିଓ ପକ୍ଷରୁ ପଥପ୍ରାନ୍ତ ନାଟକ ଓ ଜିଙ୍ଗଲ୍ ପରିବେଷଣ କରାଯାଉଛି ।

ଆଂଟିଜେନ୍‌, ଆର୍‌ଟି-ପିସିଆର୍ ଟେଷ୍ଟ, ପ୍ଲାଜ୍‌ମା ଥେରାପି, ପ୍ଲାଜମା ପ୍ରଦାନ ଏବଂ କ୍ୟାନ୍ସର, ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କର କିଭଳି ଏହି ମହାମାରୀ ସମୟରେ ଯତ୍ନ ଓ ଚିକିତ୍ସା କରାଯିବ ସେ ନେଇ ଓଡ଼ିଆ, ହିନ୍ଦୀ, ଓ ଇଂରାଜୀରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ପରିବେଷଣା କରାଯାଉଛି ।
ସୋଆ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରେଡିଓ ଜକି କାର୍ଯ୍ୟକ୍ରମ ‘ସୋଆ ୟଙ୍ଗିସ୍ତାନ’ ସପ୍ତାହରେ ଦୁଇଥର ପରିବେଷଣ କରାଯାଉଥିବା ବେଳେ ଡିଜିଟାଲ୍ କାର୍ଯ୍ୟକ୍ରମ ଜରିଆରେ କୋଭିଡ-୧୯ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ତାଙ୍କ ଘରୁ ହିଁ ଜାରି ରଖିଛନ୍ତି ।

ଟୁଇଟର୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍ ଏବଂ ଫେସ୍‌ବୁକ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ସୋଆ କମ୍ୟୁନିଟି ରେଡିଓ ବେଶ ଜଡିତ ଥିବାବେଳେ ଏନ୍‌ସିଇଆରଟିର ସହଯୋଗରେ ଅନେକ ପାଠ୍ୟକ୍ରମ ଜନିତ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଉଛି ।

ୟୁନିସେଫ୍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍‌ର ସହଯୋଗିତାରେ ଗତ ଜୁନ୍ ମାସରୁ ‘ମିଶନ୍ କରୋନା’ ନାମକ ଏକ କାର୍ଯ୍ୟକ୍ରମର ୧୦ଟି ଏପିସୋଡ୍ ପରିବେଷଣ କରାଯାଇଛି । ଏଥିମଧ୍ୟରୁ କୃଷିଭିତିକ ଦୁଇଟି ଏପିସୋଡ୍‌, ‘ସୋଆ ଏଗ୍ରିକଲ୍‌ଚର୍‌’ ଓ ‘ବାଡି ବଗିଚା’ ନାମରେ ପରିବେଷଣ କରାଯାଇଥିବା ବେଳେ ଏହା ଖୁବ୍ ଆଦୃତି ଲାଭ କରିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ବିଶେଷଜ୍ଞମାନେ ସୋଆ କମ୍ୟୁନିଟି ରେଡିଓକୁ ଆସି ମହିଳାମାନଙ୍କ ଦ୍ୱାରା ଛତୁ ଚାଷ, କୀଟ ନିୟନ୍ତ୍ରଣ, ଜୈବିକ ଚାଷ, ଛାତରେ ଉଦ୍ୟାନ, ଋତୁ ଅନୁଯାୟୀ ଫୁଲ, ଫଳ ଓ ପରିବା ଚାଷ ପ୍ରଭୃତି ସମ୍ପର୍କରେ ବିଶେଷ ଟିପ୍ପଣୀ ଦେଇଛନ୍ତି ।

ରେଡିଓ ପକ୍ଷରୁ ଯୋଗ ସମ୍ପର୍କରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ସୋଆ କମ୍ୟୁନିଟି ରେଡିଓକୁ ବିଭିନ୍ନ ଶ୍ରେଣୀର ଶ୍ରୋତାମାନେ ନିୟମିତ ଶୁଣୁଛନ୍ତି ବୋଲି କହିଛନ୍ତି ରେଡିଓ ଷ୍ଟେସନ୍‌ର ଦାୟିତ୍ୱରେ ଥିବା ଶ୍ରୀମତି ହନି ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

16 + 1 =