ମହାପ୍ରଭୁଙ୍କ ଜମି ବିକ୍ରି ନେଇ ମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି କରିବେ ରାଜ୍ୟ ସରକାର। ଏହାକୁ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମଙ୍ଗଳବାର ବିଧାନସଭାରେ କହିଥିଲେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା। ଏ ନେଇ ଖବର ପ୍ରକାଶ ପାଇବା ପରେ ଗୁରୁବାର ଏହା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ସୋଶାଲ ମିଡିଆରେ ଟ୍ୱିଟରରେ ହ୍ୟାଶ ଟ୍ୟାଗ (#SaveJagannathLands) ‘ଜଗନ୍ନାଥ ଜମି ରକ୍ଷା କର’ ଟ୍ରେଣ୍ଡ କରିଛି।ତେବେ ଏନେଇ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ। ଏହି ଖବରକୁ ମନ୍ଦିର ପ୍ରଶାସନ ମିଛ ବୋଲି କହିଛି। ଏଭଳି ଖବରକୁ ନେଇ ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀ ବିଭ୍ରାନ୍ତ ନହେବା ଉଚିତ ବୋଲି ମନ୍ଦିର ପ୍ରଶାସନ କହିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି- ଦୀର୍ଘଦିନରୁ ମହାପ୍ରଭୁଙ୍କ ଅନେକ ଜମି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ କବଜାରେ ରହିଥିଲା । ଉକ୍ତ ଜମିକୁ ମନ୍ଦିର କମିଟି ଦ୍ୱାରା ଏକୀକୃତ ନୀତିରେ ବନ୍ଦୋବସ୍ତ କରାଯାଇଛି । ଏନେଇ ୨୦୦୩ରେ ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ୟୁନିଫାଏଡ ପଲିସି ଅଣାଯାଇଥିଲା । ଜମି ବନ୍ଦୋବସ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମାନତା ଆଣିବା ଏହାର ଲକ୍ଷ୍ୟ । ୨୦୦୧ ମସିହାରୁ ୨୦୨୧ ମସିହା ୯ ବର୍ଷ ମଧ୍ୟରେ ୨୯୧ ଏକର ଜମି ବନ୍ଦୋବସ୍ତ କରାଯାଇଥିବା ବେଳେ ୨୦୧୧ରୁ ୨୦୨୧ ୧୦ ବର୍ଷ ଭିତରେ ୯୬ ଏକ ଜମି ବନ୍ଦୋବସ୍ତ ହୋଇଛି । ଏସବୁ ଜମି ଜନସାଧାରଣଙ୍କ ସ୍ୱାର୍ଥ୍ୱରେ ବିଶେଷ କରି ବିଦ୍ୟାଳୟ, ମେଡିକାଲ କଲେଜ୍, ରାସ୍ତା ହୋଇଛି । ଜନସ୍ୱାର୍ଥ୍ୱ ଦୃଷ୍ଟିରୁ ଭିତ୍ତିଭୂମି ବିକାଶ ପାଇଁ ଏହି ଜମି ଜଗନ୍ନାଥ ମନ୍ଦିର କମିଟିର ନିଷ୍ପତ୍ତି କ୍ରମେ ଦିଆଯାଇଛି ।

ତେବେ ବାରମ୍ବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି ବିକ୍ରି ହୋଇଥିବା ଦୋହରାଇବା ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଏଭଳି ମିଥ୍ୟା ଖବରରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀ ଭ୍ରମିତ ନ ହେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି ।

Share

Leave a Reply

Your email address will not be published. Required fields are marked *

four × 1 =