ମହାବାତ୍ୟା ଠାରୁ ବି ଭୟଙ୍କର, କିନ୍ତୁ ସମସ୍ତେ ନିରାପଦ : ଏହାହିଁ ପରିବର୍ତ୍ତନ

24 ଘଣ୍ଟାରେ ବିଶ୍ବର ବୃହତ ସ୍ଥାନାନ୍ତରଣ

ବିଦ୍ୟୁତ ଓ ଟେଲିକମ୍ ସେବା ସମ୍ପୂର୍ଣ ଅଚଳ

ଭୁବନେଶ୍ୱର () ବାତ୍ୟା ଫନି ଉପକୂଳ ଓଡିଶାର ପୁରୀ ଓ ଖୋର୍ଦ୍ଧାରେ ତାଣ୍ଡବ ରାଚାଇଛି । ଛାରଖାର ହୋଇଛି ବିଦ୍ୟୁତ ଓ ଟେଲିକମ୍ ସେବା । ଫନି ଗ୍ରୀଷ୍ମ ଋତୁରେ ଗତ 43 ବର୍ଷରେ ପ୍ରଥମ ବିପର୍ଯ୍ୟୟ ଏବଂ ଗତ 150 ବର୍ଷରେ ତୃତୀୟ ପ୍ରଳୟଙ୍କରୀ ବାତ୍ୟା । ବାତ୍ୟା ପରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ କଥା ହୋଇଛନ୍ତି ।

ଏଭଳି ବାତ୍ୟାକୁ ଟ୍ରାକିଂ କରିବା ବେଶ କଷ୍ଟକର ଥିଲା । ବିଭିନ୍ନ ସଂସ୍ଥା ଦ୍ୱାରା ହେଉଥିବା ପୂର୍ବାନୁମାନ ମଧ୍ୟରେ ଲାଣ୍ଡଫଲ ପରେ ଏହାର ଗତିପଥ ସ୍ପଷ୍ଟ ନଥିଲା । ତେବେ ରାଜ୍ୟ ସରକାର ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତି ନେଇଛନ୍ତି ବୋଲି ଆଜି ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି ।

ଏହି ବାତ୍ୟାରେ ଗତ 24 ଘଣ୍ଟା ମଧ୍ୟରେ ଦେଶର ସର୍ବବୃହତ ସ୍ଥାନାନ୍ତରଣ କରାଯାଇଛି । 24 ଘଣ୍ଟାରେ 12 ଲକ୍ଷରୁ ଅଧିକ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମରେ 3ଲକ୍ଷ 20 ହଜାର ଓ ପୁରୀରେ 1ଲକ୍ଷ 20 ଜହାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ 7000 ମାଗଣା ରୋଷେଇଘରେ ଖାଦ୍ୟ ଦିଆଯାଉଛି । ଏଥିରେ 45 ଲକ୍ଷ ସ୍ବେଛାସେବୀ, 2000 ଆପଦକାଳୀନ କର୍ମୀ, ଓଡ୍ରାଫ, ଏନଡିଆରଏଫ ଓ 1 ଲକ୍ଷ ସରକାରୀ କର୍ମଚାରୀ 24 ଘଣ୍ଟା କାମ କରୁଛନ୍ତି ବୋଲି ସେ କହିଛନ୍ତି ।
ଗତକାଲି ପୁରୀରେ ଫନି ସ୍ଥଳଭାଗକୁ ଛୁଇଁବା ସମୟରେ ପବନ ବେଗ 200 ରୁ 240 କିଲୋମିଟର ଥିଲା । ଏଥିରେ ପାନୀୟ ଜଳଯୋଗାଣ, ବିଦ୍ୟୁତ ସେବା ଓ ଟେଲିକମ୍ ସେବା ସମ୍ପୂର୍ଣ ବିପନ୍ନ ହୋଇଛି । ଲକ୍ଷାଧିକ ଗଛ ଶୋଇଯାଇଥିବା ବେଳେ ଘରଦ୍ୱାର ଭାଙ୍ଗିଯାଇଛି ଓ ରାସ୍ତା ଅବରୋଧ ହୋଇଛି । ପୁରୀ ଓ ଖୋର୍ଦ୍ଧାର ଅର୍ଦ୍ଧାଧିକ ଅଂଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ ନଷ୍ଟ ହୋଇଛି । ସମ୍ପୂର୍ଣ ବିଦ୍ୟୁତ ସେବାର ପୁନରୁଦ୍ଧାର କଷ୍ଟକର ବୋଲି ସେ କହିଛନ୍ତି ।
ଏହାଭିନ୍ନ କଟକ, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହିସବୁ ଜିଲ୍ଲାରୁ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ପୁରୀ ଓ ଖୋର୍ଦ୍ଧାରେ ସମସ୍ତ କଚ୍ଚା ଘର ସମ୍ପୂର୍ଣ ଭାଙ୍ଗି ଯାଇଛି । ତେବେ ରାଜ୍ୟ ସରକାର ପ୍ରତ୍ୟେକ ଲୋକଙ୍କ ଜୀବନ ରକ୍ଷା ପାଇଁ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ସାରା ବିଶ୍ୱ ମୃତୁ ସଂଖ୍ୟା କଥା ପଚାରୁଛନ୍ତି ସେତେବେଳେ କ୍ଷତିଗ୍ରସ୍ତ ଲୋକ ପାଣି, ବିଜୁଳି ଓ ଭିତ୍ତିଭୂମି କଥା ପଚାରୁଛନ୍ତି । କାରଣ ସେମାନେ ଜାଣିଛନ୍ତି ସରକାର ସେମାନଙ୍କ ସହ ଅଛନ୍ତି ।
ମହାବାତ୍ୟା ପରି ଏତେବଡ଼ ବାତ୍ୟା ହେଲା । କିନ୍ତୁ ଜନସାଧରଙ୍କ ସହଯୋଗରେ ଆମ ଲୋକ ନିରାପଦରେ ଅଛନ୍ତି । ଏହାହିଁ ପରିବର୍ତ୍ତନ , ଆମ ବ୍ୟବସ୍ଥାରେ ଓ ପ୍ରସ୍ତୁତିରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

9 + 4 =