ଏଣିକି କ୍ଷେତ୍ର ବୁଲିବେ ବରିଷ୍ଠ କୃଷି ଅଧିକାରୀ

ସ୍ଥିତି ପରଖି ସରକାରଙ୍କୁ ଦେବେ ରିପୋର୍ଟ

ଭୁବନେଶ୍ବର () ଚଳଚଞ୍ଚଳ ହୋଇଛି କୃଷି ବିଭାଗ । ଏଣିକି କୃଷି ଅଧିକାରୀମାନେ ଆଉ ସଚିବାଳୟର ଶୀତତାପ ନିୟନ୍ତ୍ରିତ କକ୍ଷରେ ନୁହେଁ, କ୍ଷେତ୍ରରେ ବୁଲି ସ୍ଥିତି ଅନୁଧ୍ୟାନ କରିବେ । କୃଷି ପାଣିପାଗର ସ୍ଥିତି ଅନୁଧ୍ୟାନ ସାଙ୍ଗକୁ, ବିହନ ଯୋଗାଣ, କେଉଁଠି ଫସଲରେ ପୋକ ଲାଗିଛି କି ନାହିଁ, ଜିଲ୍ଲା ସ୍ତରରେ ସାର ଗଛିତର ସ୍ଥିତି, ରାଷ୍ଟ୍ରିୟ କୃଷି ବିକାଶ ଯୋଜନାର ସ୍ଥିତି, ଆତ୍ମା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅଗ୍ରଗତି, କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ପ୍ରଦାନର ଅଗ୍ରଗତି ଭଳି 18ଟି ବିଭିନ୍ନ ପ୍ରସଙ୍ଗ ଉପରେ ନିର୍ଦ୍ଧିଷ୍ଟ ତଥ୍ୟ ସଂଗ୍ରହ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଉପସଚିବଙ୍କ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷେତ୍ର ପରିଦର୍ଶନ କରିବେ । ଏଥିପାଇଁ କୃଷି ବିଭାଗର 10ଜଣ ଅଧିକାରୀଙ୍କୁ 30ଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଆଜିଠାରୁ ସେମାନେ କ୍ଷେତ୍ର ପରିଦର୍ଶନରେ ଯିବେ ଏବଂ 22 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତ କରି ରିପୋର୍ଟ ଦେବେ ।

ଅକ୍ଷୀ ତୃତୀୟାରୁ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି । ଆଉ ଦିନ କେଇଟା ପରେ ମୌସୁମୀ ଓଡିଶା ଛୁଇଁଲା ପରେ ଚାଷ କାମ ଜୋର ଧରିବ । କିନ୍ତୁ ବିଭିନ୍ନ ସମୟରେ ଚାଷ ସଂପର୍କିତ ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ, ଏଥର କୃଷି ବିଭାଗ ଆଗୁଆ ସତର୍କ ହୋଇଯାଇଛି । ଏବେଠାରୁ ଜିଲ୍ଲାରେ କୃଷି ଓ କୃଷକ ସଶକ୍ତିକରଣ ସଂପର୍କିତ ଯୋଜନାର କାର୍ଯ୍ୟକାରିତା ଏବଂ ଚାଷ ପାଇଁ ସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗ ହିତାଧିକାରୀଙ୍କ ପାଖରେ ପହଁଚୁଛି କି ନାହିଁ, ତାର ତନାଘନା ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟରେ ଚାଷୀମାନେ କିଭଳି ପର୍ଯ୍ୟାପ୍ତ ପରିମାଣରେ ଉନ୍ନତମାନର ବିହନ, ସାର ଓ କିଟନାସକ ପାଇପାରିବେ ସେନେଇ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ବୁଲି ସ୍ଥିତି ପରଖିବେ ।

କୃଷି ବିଭାଗର ଉପସଚିବଙ୍କ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ସଚିବଙ୍କ ପର୍ଯ୍ୟନ୍ତ 10 ଜଣ ଅଧିକାରୀଙ୍କୁ ଜିଲ୍ଲା ବୁଲି କ୍ଷେତ୍ର ପରିଦର୍ଶନ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏ ସଂପର୍କରେ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି । ପ୍ରତି ଅଧିକାରୀଙ୍କୁ ତିନୋଟି ଲେଖାଏଁ ଜିଲ୍ଲା ବୁଲିବାକୁ ଦାୟିତ୍ବ ଦିଆଯାଇଛି । ଆଜିଠାରୁ କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ସୋମାନେ ସବୁ ଜିଲ୍ଲା ଗସ୍ତ ଶେଷ କରି ରିପୋର୍ଟ ଦେବେ । 18ଟି ଏଜେଣ୍ଡାରେ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା ଗସ୍ତ କରୁଥିବା ଅଧିକାରୀମାନେ କୃଷି ପାଣିପାଗର ସ୍ଥିତି ଅନୁଧ୍ୟାନ ଅର୍ଥାତ ମରୁଡି, ବନ୍ୟା କି ଶୁଶ୍କ ବାତାବରଣ ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଏଥିସହିତ ପର୍ଯ୍ୟାପ୍ତ ପରିମାଣରେ ଏବଂ ଉପଯୁକ୍ତ ମାନର ବିହନ ଯୋଗାଣ ହେଉଛି କି ନାହିଁ, କେଉଁଠି ଫସଲରେ ପୋକ ଲାଗିଛି କି, ଜିଲ୍ଲା ସ୍ତରରେ ସାର ଉପଲବ୍ଧ ଅଛି କି ନାହିଁ, ପଏଣ୍ଟ ଅଫ ସେଲ ମେସିନର ସ୍ଥିତି ଏବଂ ଏ ସଂପର୍କରେ ତାଲିମ ଦିଆଯାଇଛି କି ନାହିଁ ତାର ମଧ୍ୟ ଅନୁଧ୍ୟାନ କରିବେ । ଏଥିସହିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସ୍ଥିତି, ଆତ୍ମା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅଗ୍ରଗତି, କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ପ୍ରଦାନର ଅଗ୍ରଗତି ଏବଂ ଜିଲ୍ଲା ଭିତ୍ତିକ କିଛି ସ୍ବତନ୍ତ୍ର ସମସ୍ୟା ରହିଛି କି ନାହିଁ ତାର ଅନୁଧ୍ୟାନ କରିବେ ।

Share

Leave a Reply

Your email address will not be published. Required fields are marked *

4 − 3 =