ଉତ୍କଳ ଦିବସରୁ ଦ୍ବିତୀୟ କିସ୍ତି କାଳିଆ ସହାୟତା

ଭୁବନେଶ୍ବର () କାଳିଆ ଯୋଜନାର ଦ୍ବିତୀୟ କିସ୍ତି ସହାୟତା ଆସନ୍ତା ଅପ୍ରେଲ ପହିଲା ଉତ୍କଳ ଦିବସରୁ ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଢେଙ୍କାନାଳରେ ଆୟୋଜିତ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏହି ଚାଷୀ ସମାବେଶରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ପ୍ରମିଳା ମାଝୀ ଅପ୍ରେଲ ପହିଲାରେ ଦ୍ବିତୀୟ କିସ୍ତି କାଳିଆ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ଅନୁରୋଧ ରକ୍ଷା କରି ଏହି ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ 30 ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇସାରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆ ଯୋଜନା ରାଜ୍ୟର କୃଷି ଅର୍ଥନୀତିକୁ ମଜବୁତ କରିବ ଏବଂ ଚାଷୀ ପରିବାରର ଭବିଷ୍ୟତ ଉଜ୍ବଳ କରିବ । ଏହି ଯୋଜନାରେ ରାଜ୍ୟର 92 ପ୍ରତିଶତ ଚାଷୀ ଉପକାର ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାରେ ଭଗଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିଙ୍କୁ ସାମିଲ କରାଯାଇନଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ଏହା ସହିତ କେନ୍ଦ୍ରୀୟ ଯୋଜନାରେ ଚାଷୀ ଭାଇଙ୍କୁ 6ହଜାର ପରିବର୍ତ୍ତେ 10ହଜାର ଟଙ୍କା ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଦୁଇଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାରେ 953 କୋଟି ଟଙ୍କାର 103 ପ୍ରକଳ୍ପ ଏବଂ ଅନୁଗୁଳ ଜିଲ୍ଲାରେ 1129 କୋଟି ଟଙ୍କାର 36ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାନପ କରିଥିଲେ ।

Share

Leave a Reply

Your email address will not be published. Required fields are marked *

6 + fifteen =