ଦେଶର ଉନ୍ନତି ପାଇଁ ଜ୍ଞାନ ଏବଂ ଅଭିନବ ଗବେଷଣା ଆବଶ୍ୟକ

ଭୁବନେଶ୍ୱର, ୧୬/୧୧ :  ଦେଶକୁ ଆଗକୁ ନେବା ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ ଏବଂ ପ୍ରଯୁକ୍ତି ବିଦ୍ୟାର ସହିତ ଜ୍ଞାନ ଏବଂ ଅଭିନବ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ, ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ ନିତିନ୍ ଗଡ଼କରି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଇ ନିଜ ଅଭିଭାଷଣରେ ଶ୍ରୀ ଗଡ଼କରି କହିଛନ୍ତି ଯେ ଅନେକ କିଛି ଦୂରଦୃଷ୍ଟି, ପ୍ରଯୁକ୍ତି ବିଦ୍ୟା ଏବଂ ଜ୍ଞାନ ଉପରେ ନିର୍ଭର କରେ । ଏହା ଦ୍ୱାରା ହିଁ ବର୍ଜ୍ୟବସ୍ତୁରୁ ଆମେ ପ୍ରାଚୂର୍ଯ୍ୟ ପାଇପାରିବା ବୋଲି ସେ କହିଛନ୍ତି ।

ଗବେଷଣା କ୍ଷେତ୍ରରେ ସୋଆର କାର୍ଯ୍ୟକୁ ପ୍ରଶଂସା କରି ଗଡ଼କରି କହିଛନ୍ତି ଯେ ଏହି ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନେକ ଅବଦାନ ରହିଛି । ଆନ୍ତର୍ଜାତୀକ ସ୍ତରରେ ସୋଆ ପାଇଥିବା ର‌୍ୟାଙ୍କିଙ୍ଗକୁ ନେଇ ସେ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀକ ସ୍ତରରେ ମଧ୍ୟ ମାନ୍ୟତା ପାଇଛି ।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୋଆର ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା, କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ।

ସୋଆର କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବର୍ତନ ଉତ୍ସବରେ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ବିବରଣୀ ପ୍ରଦାନ କରିଥିଲେ । ସମାବର୍ତନ ଉତ୍ସବ ଅବସରରେ ବିଶିଷ୍ଟ ବୈଜ୍ଞାନିକ ତଥା କୋଲକତା ସ୍ଥିତ ବିର୍ଲା ପ୍ଲାନେଟୋରିୟମର ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସାଦ ଦୁଆରୀଙ୍କୁ ଅନରିସ୍ କଜା (ଡକ୍ଟର ଅଫ ସାଇନ୍ସ) ଉପାଧି ପ୍ରଦାନ କରାଯାଇଥିଲା ।

ଗବେଷଣା କାର୍ଯ୍ୟକୁ ଅଧିକ ଦୃଢୀଭୂତ କରିବା ପାଇଁ ସୋଆରେ ୧୩ ଟି ଗବେଷଣା କେନ୍ଦ୍ର ଏବଂ ୩୮ଟି ଗବେଷଣା ଲାବୋରେଟୋରୀ ରହିଥିବା ପ୍ରସଙ୍ଗରେ ଖୁସି ବ୍ୟକ୍ତ କରି ଗଡ଼କରି କହିଥିଲେ ବର୍ତମାନ ଦେଶରେ ଗବେଷଣା କ୍ଷେତ୍ରରେ ଅଧିକ ମନୋନିବେଷ କରିବାର ଆବଶ୍ୟକତା ରହିଛି ।

ମାଲେସିଆର ଜଣେ ଇଞ୍ଜିନିୟର ତାଙ୍କୁ ଏକ ନୂଆ ଟେକନୋଲଜି ଦ୍ୱାରା ପୋଲ ଓ ଫ୍ଲାଇ ଓଭର ବିକାଶ କ୍ଷେତ୍ରରେ ଇସ୍ପାତ ବଦଳରେ ଇସ୍ପାତ ଫାଇବର ବ୍ୟବହାର କରାଯାଉଥିବା କହିବା ପରେ ସେ ଏହାକୁ ଅନୁସନ୍ଧାନ କରି ଏହା ସତ୍ୟ ବୋଲି ଜାଣିପାରି ଏହି ଟେକନୋଲଜି ବ୍ୟବହାର କରିବାକୁ ନିଷ୍ପତି ନେଇଥିଲେ । ଏହା ଦ୍ୱାରା ନିର୍ମାଣ କାର୍ଯ୍ୟରେ ୨୫ ପ୍ରତିଶତ କମ୍ ଖର୍ଚ୍ଚ ହେଲା ବୋଲି ସେ କହିଥିଲେ ।

ବର୍ତମାନ ଉଡାଜାହାଜରେ ବାୟୋ ଫୁଏଲ ବ୍ୟବହାର କରିବା ନେଇ ଗବେଷଣା ଜାରି ରହିଛି ବୋଲି ସେ ପ୍ରକାଶ କରି  କହିଥିଲେ ଯେ ଡେରାଡୁନରୁ ନୂଆଦିଲ୍ଲୀ ଆସିଥିବା ଏକ ସ୍ପାଇସ ଜେଟ୍ ଫ୍ଲାଇଟରେ ୨୫% ଜାଟ୍ରୋଫା ଇନ୍ଧନ ଉଡାଣ ପାଇଁ ବ୍ୟବହାର କରାଯାଇଥିଲା ।  ସେ କହିଥିଲେ ଯେ ବାୟୋ ଫୁଏଲର ବିକାଶ କ୍ଷେତ୍ରରେ ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ।କୃଷି କ୍ଷେତ୍ରର ଅଧିକ  ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରି ଗଡ଼କରି କହିଥିଲେ ଯେ କୃଷି ହିଁ କର୍ମଯୋଗାଣର ପ୍ରକୃଷ୍ଟ ଉପାୟ ହୋଇ ପାରିବ ।

ସମାବର୍ତନ ଉତ୍ସବରେ ନିଜ ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ ଯଦିଓ ପ୍ରଯୁକ୍ତି ବିଦ୍ୟା ଏବଂ ନବ ପ୍ରବର୍ତନର ଆବଶ୍ୟକତା ରହିଛି ତେବେ ଏହା ଯଥେଷ୍ଟ ନୁହେଁ । ଆମକୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ସହ ଏ ଦିଗରେ ଜ୍ଞାନ ଆହରଣ କରିବାକୁ ପଡ଼ିବ । ଆମକୁ ହୃଦୟଙ୍ଗମ କରିବାକୁ ପଡ଼ିବ ଯେ ଆମେ ଈଶ୍ୱରୀୟ ଶକ୍ତିର ଅଂଶ ଯିଏ କି ସାରା ବିଶ୍ୱକୁ ଗଢ଼ିଛନ୍ତି ଏବଂ ଆମକୁ ମଧ୍ୟ ପୃଥିବୀକୁ ପଠାଇଛନ୍ତି ।

ବାଇବେଲକୁ ଉଦ୍ଧୃତ କରି ସେ କହିଥିଲେ ଯେ ଈଶ୍ୱର ମଣିଷକୁ ତାଙ୍କ ପ୍ରତିମୂର୍ତିରେ ହିଁ ଗଢ଼ିଛନ୍ତି ।  ତେଣୁ ମଣିଷର ଖୁସି ରହିବା ଛଡା ଅନ୍ୟ କୌଣସି ପନ୍ଥା ନାହିଁ । ସମସ୍ତଙ୍କୁ ଭଲ ପାଇବା ସହ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଆକୁ ଏକ ସମ୍ମାନ ଜନକ ବିଶ୍ୱବିଦ୍ୟାଳୟ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଯଦିଓ ଏହା ଏକ ନୂତନ ବିଶ୍ୱବିଦ୍ୟାଳୟ ତଥାପି ଉଚ୍ଚ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ପରିଚୟ ବନାଇ ସାରିଛି । ବିଶ୍ୱବିଦ୍ୟାଳୟ ନିଜର ନୂତନ ଚିନ୍ତାଧାରା ଆଣିବା ସହ ନିୟମ ପ୍ରଣେତା ମାନଙ୍କୁ ଏହାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିବା ଉଚିତ ବୋଲି ସେ କହିଥିଲେ ।

ଓଡ଼ିଶାରେ ପ୍ରାଚୁର୍ଯ୍ୟର ଅଭାବ ନାହିଁ । ତେବେ ବିଶ୍ୱ ବିଦ୍ୟାଳୟ ମାନେ ସେମାନଙ୍କର ବୁଦ୍ଧି ପ୍ରୟୋଗ କରି ଉନ୍ନତି କ୍ଷେତ୍ରରେ ରାଜ୍ୟକୁ କିଭଳି ଆଗେଇ ନେଇ ହେବ ସେ ଦିଗରେ ସାହାଯ୍ୟ କରିବା ଉଚିତ ବୋଲି ସେ କହିଥିଲେ ।

ସୋଆକୁ ଅଭିନନ୍ଦନ ଜଣାଇ ଡ. ସାହୁ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଖୁବ୍ ଦ୍ରୁତ ଗତିରେ ଆଗେଇ ଚାଲିଛି । ରାଜ୍ୟରେ ପରିବେଶ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ତଥା କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ପରିବେଶ ଏବଂ ଜଳବାୟୁ କେନ୍ଦ୍ର ଏକ ଉତମ ନିଷ୍ପତି ବୋଲି ସେ କହିଥିଲେ ।

କୂଳାଧିପତି ପ୍ରଫେସର ପ୍ରଧାନ କହିଥିଲେ ଯେ ଭାରତର ଅର୍ଥନୈତିକ ବିକାଶ ଏବଂ ଦେଶର ଉନ୍ନତି ସହିତ ଶିକ୍ଷା ବ୍ୟବସ୍ଥା ଏବଂ ଦକ୍ଷତା ବିକାଶର ସମ୍ପର୍କ ରହିଛି । ବର୍ତମାନର ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପରେ କଣ ପାଠ ପଢ଼ିଛନ୍ତି ତାହା ଭୁଲି ଯାଉଛନ୍ତି । ଏହା ଶିକ୍ଷା ବ୍ୟବସ୍ଥାର ଏକ ମୌଳିକ ତୃଟି ବୋଲି ସେ କହିଥିଲେ ।

୨୦୧୮-୧୯ ଲଗାତାର ୨ ବର୍ଷ ଧରି ସୋଆ ସାରା ଦେଶରେ ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟଳୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଟାଇମ୍ସ ହାୟର ଏଜୁକେଶସନ ୱାର୍ଲଡ ର‌୍ୟାଙ୍କିଙ୍ଗରେ ମଧ୍ୟ ୬୦୦+ କ୍ୟାଟେଗୋରୀରେ ସ୍ଥାନ ପାଇଥିବା ନେଇ କୂଳପତି ପ୍ରଫେସର ଅମିତ ବାନାର୍ଜୀ ସୂଚନା ଦେଇଥିଲେ । ସେହିପରି  ଚଳିତ ବର୍ଷ କ୍ୟୁଏସ ଇଣ୍ଡିଆ ର‌୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୫୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବାର ସୂଚନା ଦେଇ ସେ କହିଥିଲେ ଯେ ସୋଆ ୟୁଜିସି ଦ୍ୱାରା ଗ୍ରେଡେଡ ଅଟୋନୋମୀର ମାନ୍ୟତା ପାଇଥିବା ବେଳେ ଏହାର ୩ଟି ବୈଷୟିକ କାର୍ଯ୍ୟକ୍ରମ ଯୁକ୍ତରାଷ୍ଟ ଆମେରିକାର ଆକ୍ରେଡିଏସନ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି (ଆବେଟ)ର ମାନ୍ୟତା ପାଇଛି ।

ପ୍ରଫେସର ବାନାର୍ଜୀ କହିଥିଲେ ଯେ ସମାବର୍ତନ ଉତ୍ସବରେ ୧୬୭ ଜଣଙ୍କୁ ପିଏଚଡ଼ି ଡିଗ୍ରୀ ପ୍ରଦାନ କରାଯାଇଥିବାବେଳେ ୪ ଜଣଙ୍କୁ କୂଳାଧିପତି ସ୍ୱର୍ଣ୍ଣ ପଦକ ଏବଂ ୧୩୨ ଜଣଙ୍କୁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ସେହିପରି ବିଶ୍ୱବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇଥିବା ୪୫୪୨ ଜଣ ସ୍ନାତକ ଏବଂ ୧୨୪୩ ଜଣ ସ୍ନାତୋକତରଙ୍କୁ ମଧ୍ୟ ଡିଗ୍ରୀ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × three =