୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

ଦୁଇ ବର୍ଷ ପରେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ଏଥିପାଇଁ ପିଲାମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ଦୁଇ ବର୍ଷ ସ୍କୁଲ ବନ୍ଦ ହେବା କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବଧାନ ଦେଖାଯାଇଥିଲା । ହଠାତ୍‌ ସ୍କୁଲ ଖୋଲିଲେ ସେମାନଙ୍କ ଉପରେ ମାନସିକ ଚାପ ପଡ଼ିବ । ଏହି ଚାପରୁ ମୁକ୍ତ କରିବା, ପିଲାଙ୍କ ଭାବପ୍ରବଣତା ପ୍ରତି ଯତ୍ନବାନ ହେବା, ବିଦ୍ୟାଳୟରେ ଶିକ୍ଷା ପରିବେଶ ସୃଷ୍ଟି କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ପଦକ୍ଷେପ ନେଇଛି । ଏନେଇ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ସ୍କୁଲ ଖୋଲିବାର ସପ୍ତାହେ ପର୍ଯ୍ୟନ୍ତ ରିପୋର୍ଟ ବିଲ୍ଡିଂ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ୭ଦିନ ଯାଏ ପିଲାଙ୍କ ଲାଗି ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପାଠପଢ଼ାକୁ ବିଶେଷ ଗୁରୁତ୍ୱ ଦିଆଯିବ ନାହିଁ । ଏହି ସାରଣୀରେ କୋଭିଡ୍‌ ସମୟରେ ସେମାନଙ୍କ କିଛି ଅଭୁଲା ସ୍ମୃତି, ସ୍କୁଲ ବନ୍ଦ ଥିବା ଯୋଗୁ କ’ଣ ଅନୁଭବ କରୁଥିଲେ, କ’ଣ ଖେଳିବାକୁ ପସନ୍ଦ କରୁଥିଲେ ଆଦି ଖେଳ ମାଧ୍ୟମରେ ଆଲୋଚନା କରାଯିବ। ଶବ୍ଦ ପଜଲ୍‌ ଖେଳ, ଫଳ ଓ ପଶୁପକ୍ଷୀଙ୍କ ନାମ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖିବାକୁ କୁହାଯିବ । କାହାଣୀ କହିବା, କାହାଣୀ କ୍ଲିପଗୁଡ଼ିକ ସଜାଇବା, ଚିତ୍ରାଙ୍କନ ପରି ଅନେକ କାର୍ଯ୍ୟକ୍ରମରେ ପିଲାଙ୍କୁ ସାମିଲ କରାଯିବ ।

ଏହାପରେ ମାର୍ଚ୍ଚ ୯ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀର ପିଲାଙ୍କ ଗଣିତ, ଓଡ଼ିଆ, ଇଂରାଜୀ ପରୀକ୍ଷା ହେବ । ପରୀକ୍ଷାର ପ୍ରଶ୍ନ ଟିଇ ଆଣ୍ଡ ଏସ୍‌ସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯିବ । ପରୀକ୍ଷା ଫଳ ଅନୁସାରେ ପିଲାଙ୍କୁ ଗ୍ରେଡ୍‌ ୧, ୨, ୩, ୪ ଓ ୫ ପ୍ରଦାନ କରାଯିବ । ମାର୍ଚ୍ଚ ମାସ ୯ ତାରିଖରେ ଓଡ଼ିଆ, ୧୦ ତାରିଖରେ ଗଣିତ, ୧୧ ତାରିଖରେ ଇଂରାଜୀ ପରୀକ୍ଷା ହେବ । ପିଲାଙ୍କ ପରୀକ୍ଷା ଫଳ ବେସଲାଇନ୍‌ ଆସେସ୍‌ମେଣ୍ଟ ଅନୁସାରେ ପିତାମାତା ଏବଂ ଶିକ୍ଷକମାନଙ୍କୁ ପ୍ରଦାନ କରାଯିବ । ଏହାପରେ ଶିକ୍ଷକମାନେ ପରୀକ୍ଷା ଫଳ ହିସାବରେ ପୁନର୍ବାର ପାଠ ପଢ଼ାଇବେ।

ସ୍କୁଲରେ ଅକ୍ଷର, ଶବ୍ଦ, ବାକ୍ୟ, ଗଣିତ ପାଠ ଉପରେ ଗୁରୁତ୍ୱ ଦିଆଯିବ । ତା’ସହିତ ପ୍ରତି ସପ୍ତାହରେ ପିତାମାତାମାନଙ୍କୁ ପିଲାମାନଙ୍କ ପାଠପଢ଼ାର ସଫଳତାର ପୋଗ୍ରୋସିଭ୍‌ ରିପୋର୍ଟ ପ୍ରଦାନ କରାଯିବ । ପିଲାଙ୍କ ସାପ୍ତାହିକ ବିଶ୍ଲେଷଣ ରିପୋର୍ଟ ୪୦ଦିନ ଭିତରେ କ୍ଲଷ୍ଟର ଜିଲ୍ଲା ଓ ବ୍ଲକକୁ ଦାଖଲ କରିବାକୁ ପଡ଼ିବ । କମ୍‌ ମାର୍କ ରଖିଥିବା ପିଲାଙ୍କ ଉପରେ ବେଶି ଗୁରୁତ୍ୱ ଦିଆଯିବ । ଗ୍ରେଡ ୧ ଓ ୨ ପିଲାଙ୍କ ମୌଖିକ ପାଠପଢ଼ାର ପ୍ରତି ଅଧିକ ଫୋକସ୍‌ ଦିଆଯିବ । ଏହି ଅଭ୍ୟାସ ଶିକ୍ଷାବର୍ଷର ଜାନୁଆରୀରୁ ମାର୍ଚ୍ଚ ଯାଏ ପ୍ରତି ସ୍କୁଲରେ କଡାକଡି ଭାବେ ପାଳନ କରାଯିବ । ସେହିପରି ଚତୁର୍ଥ ଓ ପଞ୍ଚମ ଗ୍ରେଡ୍‌ ପିଲାଙ୍କୁ ଗଣିତ ଏବଂ ଓଡ଼ିଆ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯିବ । ଷଷ୍ଠ ଓ ସପ୍ତମ ଗ୍ରେଡ୍‌ ପିଲାଙ୍କ ପରୀକ୍ଷା ଫଳ ଉପରେ ଗୁରୁତ୍ୱ ଦିଆଯିବ । ଯାହା ପରବର୍ତ୍ତୀ ଶ୍ରେଣୀରେ ସେମାନଙ୍କ ଲାଗି ସହାୟକ ହେବ । ପିତାମାତା ପିଲାଙ୍କୁ ସ୍କୁଲ ଆସିବାକୁ ବଝାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସ୍କୁଲ ଖୋଲିବା ପରେ ପିଲାମାନଙ୍କ ପିତାମାତାଙ୍କୁ ନେଇ ସଚେତନତା ଉପରେ ଧ୍ୟାନ ଦିଆଯାଇଛି । କାରଣ ସ୍କୁଲକୁ ୧୦୦ ପ୍ରତିଶତ ପିଲା ଆସିବା ନେଇ ବଡ ଅଭିଯାନର ଆୟୋଜନ କରାଯିବ । ଏଥିରେ ସ୍କୁଲ ପରିଚାଳନା କମିଟି ଓ ସିଆର୍‌ସିସି ଭୂମିକା ରହିବ । ଆସନ୍ତା ୨୬ ତାରିଖ ଦିନ ଅଭିଭାବକ ଓ ଶିକ୍ଷକ ବୈଠକ ଆୟୋଜନ କରାଯିବ । ସ୍କୁଲ ପରିଚାଳନା କମିଟି ବୈଠକ ଆସନ୍ତା ୨୫ ଓ ୨୮ ତାରିଖରେ ମିଟିଙ୍ଗ କରାଯିବ । ସେଥିରେ ସ୍କୁଲରେ ସୁରକ୍ଷା, ସଫାସୁତୁରା ଓ ସାନିଟାଇଜେସନ୍‌, ମ୍ୟାନେଜମେଣ୍ଟ ଓ ଅନ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯିବ ।

Share

Leave a Reply

Your email address will not be published. Required fields are marked *

four × 5 =