ନୂଆ ପୋଲିସ କମିଶନରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ନୂଆ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ । ମଙ୍ଗଳବାର ଭୁବନେଶ୍ଵର ପୋଲିସ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ୧୯୯୫ ଆଇପିଏସ୍ ବ୍ୟାଚର ଏହି ଅଫିସର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି।

ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କମିଶନର ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ କଟକ ଓ ଭୁବନେଶ୍ବର ଟୁଇନ୍‌ ସିଟିରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ , ଏବଂ ପୋଲିସ ଓ ପବ୍ଲିକ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନ ହୋଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସର ବିଭିନ୍ନ ସମୟରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ସାଜିଛନ୍ତି ।

ରଥଯାତ୍ରା ଭଳି ବଡ ଦାୟିତ୍ୱ ହେଉ, ନବକଳେବର ଭଳି ଆହୁରି ବଡ କାମ ହେଉ କିମ୍ବା ଫନି ଭଳି ବଡ ବାତ୍ୟା ପରେ ଉଦ୍ଧାର ଓ ପୁନଃନିର୍ମାଣ କାମ ହେଉ, ସବୁଥିରେ ଖୋଜାପଡନ୍ତି ସୌମେନ୍ଦ୍ର ।ଅଫିସର ଅନ୍ ସ୍ପେଶାଲ ଡ୍ୟୁଟିରେ ରହି ନବକଳେବର ଭଳି ଜଟିଳ ଏବଂ ସମ୍ବେଦନଶୀଳ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । କ୍ରାଇମବ୍ରାଂଚର ଏଡିଜି ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ହାଇପ୍ରୋଫାଇଲ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ମାମଲାର ତଦନ୍ତ କରୁଥିଲେ । ଏହାଛଡା ବହୁ ଚର୍ଚ୍ଚିତ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଂଚ ।ତେବେ ପ୍ରିୟଦର୍ଶୀ ବର୍ତ୍ତମାନ ଟ୍ଵିନ୍ ସିଟିର କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେଇଛନ୍ତି। ସୁଧାଂଶୁ ଷଡଙ୍ଗୀଙ୍କୁ ଓଡିଶା ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − 6 =