ରାଜଧାନୀରେ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର() କରୋନାା ସଂକ୍ରମଣ ହାର ଜାଣିବାକୁ ରାଜଧାନୀରେ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ। ଚଳିତ ସପ୍ତାହର ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ରାଜଧାନୀର ୨୫ଟି ୱାର୍ଡରେ ସେରୋ ସର୍ଭେ କରାଯିବ। ଏଥର ୧୫୦୦ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି।

୨୮ ଦିନ ତଳେ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କରାଯାଇଥିଲା। ସେତେବେଳେ ୯୦୦ ଲୋକଙ୍କ ନମୁନା ପରୀକ୍ଷା ହୋଇଥିଲା। ମାତ୍ର ୧.୪୨% ଲୋକଙ୍କ ନମୁନାରେ ଆଣ୍ଟିବଡି (ପ୍ରତିରୋଧକ ଶକ୍ତି) ବିକଶିତ ହୋଇଥିବା ପରିଲକ୍ଷିତ ହୋଇଥିଲା। ଅର୍ଥାତ୍‌ ଶହେ ଲୋଙ୍କ ନମୁନାରୁ ମାତ୍ର ୧.୪୨% ଲୋକ କରୋନା ସଂକ୍ରମିତ ହୋଇ ସେମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥିବା ଜଣାପଡ଼ିଥିଲା। ଏଥିରୁ ରାଜଧାନୀରେ କରୋନା ସଂକ୍ରମଣ ହାର କମ୍‌ ଥିବା ଜଣାପଡ଼ିଥିଲା।

ଏବେ ଭୁବନେଶ୍ୱରରେ ଦ୍ରୁତ ଗତିରେ କରେନା ବ୍ୟାପୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବାକୁ ଯାଉଛ। ପୂର୍ବ ଥର ଯେଉଁ ଅଞ୍ଚଳରେ ସେରୋ ସର୍ଭେ କରାଯାଇଥିଲା, ଏଥର ବି ସେଇ ଅଞ୍ଚଳରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ। ସେରୋ ସର୍ଭେ ପାଇଁ ରକ୍ତ ନମୁନା ସଂଗ୍ରହ ହେବ। ଏହି ପରୀକ୍ଷାରୁ ଆଣ୍ଟିବଡି ବିକଶିତ ହୋଇଛି କି ନାହିଁ, ତାହା ଜଣାପଡ଼ିବ । ଆଣ୍ଟିବଡି ବିକଶିତ ହୋଇଥିଲେ, ସଂପୃକ୍ତ ବ୍ୟକ୍ତି ଅଜାଣତରେ କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ସହ ତାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ଗଣନା କରାଯିବ। ପୂର୍ବ ଥର ଉକ୍ତ ଅଞ୍ଚଳରେ କେତେ ପ୍ରତିଶତ ଆଣ୍ଟିବଡି ଥିଲା, ଏବେ ଏହା କେତେ ପ୍ରତିଶତ ହୋଇଛି, ତାହା ଅନୁଧ୍ୟାନ କରାଯିବ।

ଏଥର ସେରୋ ସର୍ଭେ ପାଇଁ ୫ଟି ଟିମ୍‌ ନିୟୋଜିତ କରାଯାଇଛି। ଏମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ନମୁନା ସଂଗ୍ରହ କରିବେ । ଦୁଇଦିନିଆ ସର୍ଭେ ପରେ ଅନ୍ତରୀଣ ରିପୋର୍ଟ ବିଏମ୍‌ସିକୁ ଦିଆଯିବ। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଏହି ସର୍ଭେ ପାଇଁ ବୈଷୟିକ ସହାୟତା ଯୋଗାଇବ। ସର୍ଭେର ନେତୃତ୍ୱ ନେବ ବିଏମସି।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ଆରଏମଆରସି ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ଏହି ସେରୋ ସର୍ଭେ କାର୍ଯ୍ୟକୁ ତଦାରଖ କରିବେ। ଆର୍‌ଏମ୍‌ଆରସିର ବୈଜ୍ଞାନିକ ଡକ୍ଟର ଜୟସିଂହ କ୍ଷତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୯୦୦ ଲୋକଙ୍କ ନମୁନା ପରୀକ୍ଷା ହୋଇଥିଲା। ସେତେବେଳେ ସଂକ୍ରମଣ ହାର ଖୁବ କମ୍‌ ଥିଲା।

ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସିଭିଏସଏନ୍‌ ରାଓ କହିଛନ୍ତି, ଭୁବନେଶ୍ୱରରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ଅଧିକରୁ ଅଧିକ ଲୋକେ ମାସ୍କ ପିନ୍ଧୁଛନ୍ତି। ବିଏମସି ଓ କମିଶନରେଟ ପୁଲିସ ନିୟମକୁ ଠିକ୍‌ ଭାବେ ତଦାରଖ କରୁଛନ୍ତି। ସାମାଜିକ ସଚେତନତା ସୃଷ୍ଟି କରାଯାଉଛି। ଲୋକେ ସଚେତନ ରହୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ହାର ଅନ୍ୟ ବଡ଼ ସହର ତୁଳନାରେ କମ୍‌ ରହିଛି।

ସୂଚନାଯୋଗ୍ୟ, ସେରୋ ସର୍ଭେରୁ ବ୍ରହ୍ମପୁର ସହରରେ ୩୧% ଲୋକଙ୍କଠାରେ ଆଣ୍ଟିବଡି ବିକଶିତ କରିଥିବା ଜଣାପଡ଼ିଛି। ପୁନେରେ ଏହା ୪୦% ଥିବାବେଳେ ଅହମ୍ମଦାବାଦରେ ୨୦%, ଦିଲ୍ଲୀରେ ୨୯% ରହିଥିଲା।

Share

Leave a Reply

Your email address will not be published. Required fields are marked *

12 + seventeen =