ରାଜସ୍ବ ପ୍ରଶାସନରେ ବୈପ୍ଳବିକ ପରିବର୍ତ୍ତନ : ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (): ରାଜସ୍ୱ ସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ମୋବାଇଲ୍ ମୋବାଇଲ୍ ପାଉତି ଆପ୍ ଓ ଇ-ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଭିଡ଼ିଓ କନଫରେନସିଂ ଜରିଆରେ କରିଛନ୍ତି । ଏହାଦ୍ୱାରା ଲୋକମାନେ ଘରେ ବସି ମୋବାଇଲ୍ ଆପ୍ ଜରିଆରେ ଜମିଜମାର ଖଜଣା ପ୍ରଦାନ କରି ପାଉତି ପାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟୋଗ । ସାରା ଦେଶରେ ଏହା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।

କେବଳ ସେତିକି ନୁହେଁ, ରାଜସ୍ୱ ପ୍ରଶାସନକୁ ପ୍ରକୃତ ଭାବେ ଲୋକାଭିମୁଖୀ କରିବା ପାଇଁ ବାସସ୍ଥାନ, ଆୟ ତଥା ଅନ୍ୟାନ୍ୟ ସାର୍ଟିଫିକେଟ ସବୁ ହିତାଧିକାରୀଙ୍କ ସ୍ୱ-ଘୋଷିତ ତଥ୍ୟ ଉପରେ (ସେଲ୍ଫ ସାର୍ଟିଫିକେଟ) ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହିସବୁ ସାର୍ଟିଫିକେଟ ଗୁଡିକ ହିତାଧିକାରୀମାନଙ୍କୁ  ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହିସବୁ ସାର୍ଟିଫିକେଟ ଗୁଡିକ ପାଇବା ଲୋକମାନଙ୍କର ଅଧିକାର । ତେଣୁ ଏହିସବୁ ସାର୍ଟିଫିକେଟ ଗୁଡିକୁ ପାଇବା ପାଇଁ ହିତାଧିକାରୀଙ୍କୁ କୌଣସି ଦେୟ ପ୍ରଦାନ କରିବାକୁ ପଡିବ ନାହିଁ । ଏହାସହିତ ସୋଲ୍ଭେନ୍ସି ସାର୍ଟିଫିକେଟ ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଗଲା ।

ଆଗାମୀ ଦିନରେ ଆହୁରି  ଅନେକ ସାର୍ଟିଫିକେଟ ସୁବିଧା ଏହି କାର୍ଯ୍ୟକ୍ରମରେ ସାମିଲ ହେବ ବୋଳି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଉଛି । ସେହିପରି ସରକାରୀ  କର୍ମଚାରୀଙ୍କ ମୃତ୍ୟୁକ୍ଷେତ୍ରରେ ଏବଂ ପ୍ରାପ୍ୟ ପାଇବା ପାଇଁ ଉତ୍ତରାଧିକାରୀ ସାର୍ଟିଫିକେଟର ଆବଶ୍ୟକତା ଏଣିକି ରହିବ ନାହିଁ । କର୍ମଚାରୀଙ୍କ ସର୍ଭିସ ବୁକ୍ର ଏଣ୍ଟ୍ରି ଅନୁଯ୍ରାୟୀ ସେମାନଙ୍କ ଉତ୍ତରାଧିକାରୀ ମାନେ ସବୁପ୍ରକାର ସୁବିଧା ପାଇପାରିବେ ।
ବୈଠକରେ ଏହି ମୋବାଇଲ୍ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସହଜତା ଆଣିବା ପାଇଁ ସବୁ ସରକାରୀ ସେବାଗୁଡିକୁ ଲୋକଙ୍କ ନିକଟକୁ ନେବା ପାଇଁ ଉଦ୍ୟମ ଜାରି ରହିଛି । ଏହିସବୁ ପଦକ୍ଷେପ ଲୋକଙ୍କ ସାଧାରଣ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ କହିଥିଲେ ଯେ, ଏହି ପଦକ୍ଷେପ ଦ୍ୱାରା ରାଜସ୍ୱ ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇପାରିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ, ୫-ଟି କାର୍ଯ୍ୟକ୍ରମ ଲୋକଙ୍କ ଦୈନନ୍ଦିନ ଚଳଣୀରେ ବହୁତ ସୁବିଧା ଆଣିପାରିଛି ଏବଂ ଦେଶରେ ଏଭଳି ସୁବିଧା ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ରାଜ୍ୟରେ ଉପଲବ୍ଧ ହୋଇନାହିଁ ।

ମାତ୍ର ୪ ମାସ ମଧ୍ୟରେ ଏହି ଉଦ୍ୟମର କଳ୍ପନା କରାଯିବା ସହିତ କାର୍ଯ୍ୟକାରୀ ହୋଇପାରିଥିବାରୁ ୫-ଟି ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଭବିଷ୍ୟତରେ ବିବାହ ପ୍ରମାଣପତ୍ର ସମେତ ଅନ୍ୟାନ୍ୟ ସୁବିଧା କିପରି ଲୋକମାନେ ସହଜରେ ପାଇପାରିବେ, ସେ ସଂପର୍କରେ ମତାମତ ଜଣାଇବା ପାଇଁ ଜିଲ୍ଲାପାଳ ଓ କର୍ମଚାରୀମାନଙ୍କ ପରାମର୍ଶ ଆହ୍ୱାନ କରିଥିଲେ ।

ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଉପଦେଷ୍ଟା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ୫-ଟି ସଚିବ, ବିଭିନ୍ନ ଜିଲ୍ଲାର  ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

ten − 4 =