ଓଡିଶା ବଜାରରେ ଆନ୍ଧ୍ର ମାଛ ବିକ୍ରି ବନ୍ଦ

ଭୁବନେଶ୍ବର, 16/07 () ମାଛରେ ଫର୍ମାଲିନ ମିଶିଥିବା ଘଟଣା ପଦକୁ ଆସିବା ପରେ ରାଜ୍ୟ ସରକାର ଆସନ୍ତା10 ଦିନ ପାଇଁ ଓଡିଶା ବଜାରରେ ଆନ୍ଧ୍ର ମାଛର ବିକ୍ରି ଉପରେ କଟକଣା ଜାରି କରିଛନ୍ତି । ଏଥିସହିତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ମାଛ ନମୁନା ସଂଗ୍ରହ କରାଯିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଅର୍ଚ୍ଚନା ପଟ୍ଟନାୟକ ଏହି ମର୍ମରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଓ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି ।

ମାଛରେ ଫର୍ମାଲିନ ମିଶିଥିବା ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପତ୍ରରେ କୁହାଯାଇଛି ଯେ ଜିଲ୍ଲାସ୍ତରରେ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବହୁଳ ଭାବେ ବଜାରରୁ ମାଛ ନମୁନା ସଂଗ୍ରହ କରି ତାହାକୁ ବରଫ କଣ୍ଟେନରରେ ପୂରାଇ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଇବେ ।

ମାଛ ନମୁନାକୁ ସ୍ବତନ୍ତ୍ର ବ୍ୟକ୍ତିଙ୍କ ହାତରେ ପରୀକ୍ଷାଗାରକୁ ପଠାଇବା ପାଇଁ କମିଶନରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ଲୋକେ ଯେଭଳି ସ୍ବାସ୍ଥ୍ୟପ୍ରଦ ଓ ପୁଷ୍ଟିକର ମାଛ ପାଇବେ ତାହା ତୁରନ୍ତ ଅବଗତ କରିବାକୁ ପତ୍ରରେ ଦର୍ଶାଯାଇଛି । ଜିଲ୍ଲାସ୍ତରରେ ଖାଦ୍ୟ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନେ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରଙ୍କ ସହିତ ସମନ୍ବୟ ରକ୍ଷା କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଫର୍ମାଲିନ ମିଶ୍ରିତ ମାଛ ବିକ୍ରି ଅଭିଯୋଗରେ ଆସାମ ସରକାର ୧୦ ଦିନ ପାଇଁ ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟରୁ ଆସୁଥିବା ମାଛ ବିକ୍ରି ଉପରେ କଟକଣା ଲଗାଇବା ପରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ମାଛ ନମୁନା ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।

ରାଜଧାନୀରୁ ସଂଗୃହୀତ କେତେକ ମାଛ ନମୁନା ମଧ୍ୟରୁ ପମ୍ଫ୍ରେଟ ମାଛରେ ଫର୍ମାଲିନ ମିଶିଥିବା ପରୀକ୍ଷାରୁ ଜଣାପଡ଼ିଛି । ଏହାକୁ ନେଇ ଏବେ ସାରା ରାଜ୍ୟରେ ଉଦ୍‍ବେଗ ପ୍ରକାଶ ପାଇଥିବା ବେଳେ ଖାଦ୍ୟ ସୁରକ୍ଷା କମିଶନର ଏବେ ନିଜ ଆଡ଼ୁ ପଦକ୍ଷେପ ଗ୍ରହଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 4 =