ଡିଜେ ବାଲା ବାବୁଙ୍କ ଉପରେ ଲାଗିଲା ରୋକ

ଭଦ୍ରକ () ଭଦ୍ରକରେ ବ୍ୟାନ ହେଲା ଡିଜେ  । ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା ପରେ ଜିଲ୍ଲା ଏସପି ବି.ଗଙ୍ଗାଧର ଡିଜେ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ଏହାସହ ୧୧ଟି ଡିଜେ ଗାଡିକୁ ଅଟକ ରଖାଯାଇଛି । ମଙ୍ଗଳବାର ରାତିରେ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ରଜଭସାଣି ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା  । ଲୁଙ୍ଗା ଗ୍ରାମରେ ରଜ ଉତ୍ସବ ଠାକୁର ଭସାଣି ବେଳେ ସେହି ଗ୍ରାମର କ୍ଷିତୀଶ ସେଠୀଙ୍କ ୭ବର୍ଷର ଝିଅ ଡିଜେ ଗାଡି ବାଜି ଆହତ ହୋଇଥିଲେ  । ଖବର ପାଇ ଘଟଣାସ୍ଥଳରେ ପହଚିଂଥିଲେ ବାସୁଦେବପୁର ଥାନା ଅଧିକାରୀ  । ସେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ  । ଗାଁ ଦାଣ୍ଡ ମଝିରେ ଆଇଆଇସିକୁ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଲୋକଙ୍କ ମାଡରେ ଆଇଆଇସି ଗୁରୁତର ଆହତ ହୋଇଥିଲେ । ଉତ୍ୟକ୍ତ ଲୋକେ ପୋଲିସ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ ।

ଉଲ୍ଲେଖ ଥାଉ କି, ୧୯ ତାରିଖ ରାତିରେ ବାସୁଦେବପୁର ଥାନା ଲୁଙ୍ଗା ଗାଁର ପୃଥକ୍ ପୃଥକ୍ କମିଟି ରଜ ଠାକୁର ଭସାଣି ଉତ୍ସବ ମନାଉଥିଲେ । ଏହାକୁ ଦେଖିବା ପାଇଁ ସେହି ଗାଁର କ୍ଷିତୀଶ ସେଠୀଙ୍କ ୭ ବର୍ଷର ଝିଅ କୁମକୁମ୍ ପ୍ରିୟଦର୍ଶିନୀ ଘର ଆଗରେ ଠିଆ ହୋଇଥିବା ବେଳେ ନାଚୁଥିବା ଯୁବକମାନେ କୁମକୁମ୍ ଉପରେ ମାଡି ଯାଇଥିଲେ । ତଳେପଡ଼ି କୁମକୁମ୍ ଆହତ ହେବା ପରେ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ । ଏଭଳି କାର୍ଯ୍ୟକଳାପକୁ ନେଇ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉନ୍ମତ୍ତ ଯୁବକମାନଙ୍କ ସହ ବଚସା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

କ୍ଷିତୀଶ ଏ ନେଇ ବାସୁଦେବପୁର ଥାନାକୁ ଜଣାଇଥିଲେ । ଆଇଆଇସି ନବକୃଷ୍ଣ ନାୟକ ଜଣେ କନେଷ୍ଟବଳଙ୍କୁ ନେଇ ସେଠାରେ ପହଞ୍ଚିଥିଲେ  । ଘଟଣାସ୍ଥଳରେ ଡିଜେର ପ୍ରଚଣ୍ଡ ଶବ୍ଦକୁ ରୋକିବାକୁ ଶ୍ରୀ ନାୟକ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ହୋଇ ଯୁବକମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଢେଲା ଓ ପଥରମାଡ଼ରେ ଶ୍ରୀ ନାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା । ସେ ଆହତ ହୋଇ ପଡ଼ିଯିବା ପରେ ଯୁବକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପଥର, ଢେଲା ମାଡ଼ରେ ଥାନା ଗାଡ଼ି ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ଲହୁଲୁହାଣ ହୋଇ ଥାନା ଅଧିକାରୀ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

three × 3 =