ୱାନ ମ୍ୟାନ ୱାନ ପୋଷ୍ଟକୁ ନେଇ ଅଡୁଆରେ ନିରଂଜନ

ଚନ୍ତା ବଢାଉଛି କୋରାପୁଟ କନ୍ଦଳ

ଭୁବନେଶ୍ବର () ଜିଲ୍ଲା ସଭାପତି ପରିବର୍ତ୍ତନ ପରେ ରାଜ୍ୟ କଂଗ୍ରେସରେ ସୃଷ୍ଟି ହୋଇଛି ଅସନ୍ତୋଷ । ପିସିସିରେ ୱାନ ମ୍ୟାନ ୱାନ ପୋଷ୍ଟ ନୀତି ଆପଣେଇବାକୁ ନେଇ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତା ଖୋଲାଖୋଲି ସ୍ବର ଉଠାଇଛନ୍ତି । ପିସିସି ସଭାପତି ଏହି ନିଷ୍ପତ୍ତିର ପରିବର୍ତ୍ତନ କରିବା ଉଚିତ ବୋଲି କହିଛି ପୂର୍ବତନ ଜିଲ୍ଲା ସଭାପତି ଓ ମନ୍ତ୍ରୀମାନେ ପ୍ରସ୍ତାବ ଦେଇଛନ୍ତି  । ୱାନ ମ୍ୟାନ ୱାନ ପୋଷ୍ଟ ଆଧାରରେ ବହୁ ବରିଷ୍ଠ ଓ ଦକ୍ଷ ନେତା ନିର୍ବାଚନ ଲଢିବାର ସୁଯୋଗ ହରାଇବେ  । ଏପରିକି ନିଜେ ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି ଓ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ଉପରେ ବି ଏହା ଲାଗୁ ହୋଇପାରେ  । ତେଣୁ ସଭାପତି ଏ ନିଷ୍ପତ୍ତିରେ ସଂଶୋଧନ କରିବା ଆବଶ୍ୟକ  ।

ନିରଂଜନ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ବ ନେବା ପରେ ରାଜ୍ୟ କଂଗ୍ରେସରେ ଏକ ନୂଆ ଉତ୍ସାହ ଓ ଆଶା ସଂଚାର ହୋଇଥିଲା  । କିନ୍ତୁ ନିରଂଜନ ନେତୃତ୍ବ ନେବା ପରେ ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି  । ଏଥିସହିତ କୋରାପୁଟ ଜିଲ୍ଲାରେ ବିଧାୟକ ତାରା ପ୍ରସାଦ ବାହିନିପତି ଓ କୃଷ୍ଣ ସଗରିଆଙ୍କୁ ନେଇ ଯେଉଁ ବିବାଦ ଆରମ୍ଭ ହୋଇଛି ତାହା ମଧ୍ୟ ଜିଲ୍ଲାରେ ଦଳକୁ ଆଗାମୀ ଦିନରେ ପ୍ରଭାବିତ କରିବାକୁ ଯାଉଛି  ।

ମନୋରଂଜନ ଦାସ ଦୀର୍ଘ ଦିନ ଧରି ଭୁବନେଶ୍ବର ଜିଲ୍ଲା ସଭାପତି ଦାୟିତ୍ବରେ ରହିଥିବା ବେଳେ ଗତକାଲି ପ୍ରକାଶ ପାଇଥିବା ସଭାପତି ତାଲିକାରେ ତାଙ୍କୁ ପରିବର୍ତ୍ତନ କରାଯାଇଛି  । ୱାନ ମ୍ୟାନ ୱାନ ପୋଷ୍ଟ ଫର୍ମୁଲାକୁ ବଦଳାଯିବା ଉଚିତ ବୋଲି ମନୋରଂଜନଙ୍କ ସହ ସ୍ବର ମିଳାଇଛନ୍ତି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ  । ଏଥିସହିତ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତିକୁ ନେଇ ମଧ୍ୟ ଦଳରେ ଅସନ୍ତୋଷ ତେଜୁଛି  । କିନ୍ତୁ ଏ ସଂପର୍କରେ କେହି ଖୋଲାଖୋଲି ବିରୋଧ ପ୍ରଦର୍ଶନ କରି ସଭାପତିଙ୍କ କୋପଦୃଷ୍ଟିର ଶିକାର ହେବାକୁ ଚାହୁଁନାହାଁନ୍ତି  ।

କେବଳେ ଏହି ଗୋଟିଏ ପ୍ରସଙ୍ଗ ନୁହେଁ, କୋରାପଟୁ କଂଗ୍ରେସ ରାଜନୀତିକୁ ନେଇ ବି ବରିଷ୍ଠ ନେତାମାନେ ଚିନ୍ତାରେ ପଡିଯାଇଛନ୍ତି  । ଦୁଇ ବିଧାୟକ ତାରା ପ୍ରସାଦ ବାହିନିପତି ଓ କୃଷ୍ଣ ସଗରିଆଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ତଦନ୍ତ ପାଇଁ ଦଳୀୟ ସ୍ତରରେ ତିନି ଜଣିଆ କମିଟି ଗଠନ ହୋଇଛି ସତ  । ହେଲେ କୃଷ୍ଣ ଆଗାମୀ ଦିନରେ ତାରା ବିଧାନସଭା ମାଡିପାରିବେ ନାହିଁ ବୋଲି ଖୋଲାଖୋଲି ଆହ୍ବାନ ଦେଉଛନ୍ତି  । ଏଥିସହିତ କୋରାପୁଟ ଜିଲ୍ଲା ସଭାପତିଙ୍କ ଚୟନ ପ୍ରକ୍ରିୟା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି  । କୋରାପୁଟ ସଭାପତି ତଥା ବିଧାୟ ତାରା ବାହିନିପତିଙ୍କ ପତ୍ନୀ ମିନାକ୍ଷୀ ବାହିନିପତି ଗତ ପଂଚୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ କୌଣସି ଭୂମିକା ତୁଲାଇନଥିଲେ ବୋଲି କହିଛନ୍ତି କୃଷ୍ଣ  । ସେପଟେ ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ମିନାକ୍ଷୀ  । ଏଥିସହିତ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର କରି ବିବାଦକୁ ଅଡାଇ  ଯାଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

fifteen − four =