ବନ୍ୟା ପ୍ରଭାବିତ ଅଂଚଳରେ 7 ଦିନ ରିଲିଫ

ଭୁବନେଶ୍ବର (): ବୈତରଣୀ ଓ ଏହାର ଉପନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁ କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ ଅଞ୍ଚଳର ପାଣି ଘେରରେ ରହିଛି । ଏହି ପରିସ୍ଥିତିରେ ଲୋକଙ୍କୁ ସହାୟତା ହେବା ତଥା ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁସାରେ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଆସନ୍ତା ୭ ଦିନ ପାଇଁ ରିଲିଫ୍‍ ଘୋଷଣା କରିଛନ୍ତି । ବୟସ୍କ ତଥା ପୌଢ଼ମାନଙ୍କ ପାଇଁ ୬୦ ଟଙ୍କା ଏବଂ ପିଲାମାନଙ୍କ ପାଇଁ ମୁଣ୍ଡ ପିଛା ୪୫ ଟଙ୍କା ହିସାବରେ ଦୈନିକ ରିଲିଫ୍‍ ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ କନ୍‍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହିକ୍ରମରେ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ମଧ୍ୟ ୯୦ ମେଟ୍ରିକ୍‍ ଟନ୍‍ ଖାଦ୍ୟ ବ୍ୟବସ୍ଥା ସହ ସେମାନଙ୍କୁ ଆବଶ୍ୟକ ଟୀକାକରଣ କରାଯିବାକୁ ବ୍ୟବସ୍ଥା ହୋଇଛି ।

ସମୀକ୍ଷାରୁ ଜଣାପଡ଼ିଛି ଯେ, ଏହି ତିନୋଟି ଜିଲ୍ଲାର ୧୭ଟି ବ୍ଲକ୍‍, ୪ଟି ପୌର ପରିଷଦ ଏବଂ୯୦୩ ଗାଁର ସାଢ଼େ ସାତ ଲକ୍ଷ ଲୋକ ବନ୍ୟା ପାଣି ଘେରରେ ରହିଛନ୍ତି । ଏହିସବୁ ଅଞ୍ଚଳରେ ପରିସ୍ଥିତିର ମୁକାବିଲା କରିବା ତଥା ସମସ୍ତ ଜରୁରୀକାଳୀନ ସୁବିଧା ସୁଯୋଗ ଯୋଗାଇଦେବା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ପାଣି ଛାଡ଼ିଲାପରେ ଯେମିତି ଜଳବାହିତ ରୋଗ ନବ୍ୟାପିବ ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଏହା ସହ ବିଶୁଦ୍ଧ ପାଣି ଯୋଗାଣ ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି ।

ଏହି ସଚିବାଳୟରେ ଆୟୋଜିତ ଏହି ଭିଡିଓ କନ୍‍ଫରେନ୍ସିଂ ତଥା ସମୀକ୍ଷା ବୈଠକରେ ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତି, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଜଳସମ୍ପଦ, କୃଷି, ମତ୍ସ୍ୟ ପ୍ରାଣୀପାଳନ ବିଭାଗ ସଚିବଙ୍କ ସହ ସ୍ବତନ୍ତ୍ର ରିଲିଫ୍‍ କମିଶନର ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

15 + 17 =