ମୁଁ ଓଡିଶା କ୍ୟାମ୍ପେନରେ ନିର୍ଭରଯୋଗ୍ୟ ଅଂଶିଦାର ହେବ ରିଲାଏନ୍ସ

କୋଣାର୍କ ସମତୁଲ ନୂଆ ବିସ୍ମୟ ସୃଷ୍ଟି କରିବ ଓଡିଶା – ମୁକେଶ

ଭୁବନେଶ୍ବର () ମେକ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ମୁଖ୍ୟ ଆକର୍ଷଣ ଥିଲେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଜନେସ ଟାଇକୁଲ ମୁକେଶ ଅମ୍ବାନୀ । ଏହି କନକ୍ଲେଭକୁ ସମ୍ବୋଧିତ କରି ସେ କହିଥିଲେ ଯେ, ଓଡିଶାର ରିଲାଏନ୍ସ 6ହଜାର କୋଟି ଟଙ୍କା ପୁଂଜି ନିବେଶ କରିଛି । ଆହୁରି 3ହଜାର କୋଟି ଟଙ୍କା ନିବେଶ କରିବ ।

ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଭାଷଣ ଆରମ୍ଭ କରିଥିବା ମୁକେଶ ଅମ୍ବାନୀ କହିଥିଲେ ଯେ, ତାଙ୍କ ବାପା ଧିରୁଭାଇ ଅମ୍ବାନୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଅନ୍ତରଙ୍ଗ ବନ୍ଧୁ ଥିଲେ । ଉଭୟ ସେ ସମୟରେ ସମସ୍ତଙ୍କ ଠାରୁ ଅଲଗା ଥିଲେ । ସେମାନେ କହୁଥିଲେ କିଛି ବି ଅସମ୍ଭବ ନୁହେଁ, ଯେଉଁଥିପାଇଁ ଏହି ଦୁଇ କିମ୍ବଦନ୍ତି ପୁରୁଷ ଦେଶର ନିୟୁତ ନିୟୁତ ଲୋକଙ୍କ ପାଇଁ ଆଜି ବି ଆଦର୍ଶ ହୋଇ ରହିଛନ୍ତି ।

ଏହି ଅବସରରେ ସେ ବିଜୁ ପଟ୍ଟନାୟକଙ୍କ ବହୁ ଚର୍ଚ୍ଚିତ ଏବଂ ଅନୁପ୍ରେରିତ ଭାଷଣକୁ ଉଦ୍ଦୃତ କରିଥିଲେ । ବିଜୁ ବାବୁ ଏକଦା କହିଥିଲେ ୟେ, ତାଙ୍କ ସ୍ବପ୍ନ ହେଉଛି, ଏକବିଂଶ ଶତାବ୍ଦୀରେ ଓଡିଶାର ସବୁ ଯୁବକ ଓ ଯୁବତୀ ନିଜ ପାଇଁ ଗର୍ବ ଅନୁଭବ କରିବା ସହ ସେମାନଙ୍କ ମାନସିକ ସ୍ତରରେ, ବୁଦ୍ଧିମତାରେ ଏବଂ ଦକ୍ଷତା ଉପରେ ଗଭିର ଆତ୍ମବିଶ୍ବାସର ଅଧିକାରୀ ହୋଇଥିବେ । ବିଜୁ ବାବୁଙ୍କ ଏହି ସପ୍ନ ନବୀନ ପଟ୍ଟନାୟକଙ୍କର ଏବଂ ତାଙ୍କର ମଧ୍ୟ ରହିଛି ବୋଲି ମୁକେଶ କହିଥିଲେ । ବିଜୁଙ୍କ ଏହି ସ୍ବପ୍ନକୁ ସାକାର କରିବାକୁ ସେ ନବୀନ ବାବୁଙ୍କୁ ସହଯୋଗର ହାତ ବଢାଇଥିଲେ । ଓଡିଶାକୁ ପୁଣି ଥରେ ବିଶ୍ବସ୍ତରରେ ସବୁଠାରୁ ଜଗତିକରଣ ଅଂଚଳ ଭାବେ ଗଢି ତୋଲିବାକୁ ସେ ସହଯୋଗର ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ଓଡିଶା କୋଣାର୍କ ସୂର୍ଯ୍ୟ ମନ୍ଦିର ସମତୁଲ ନୂଆ ନୂଆ ବିସ୍ମୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ଶିଳ୍ପର ବିକାଶକୁ ପ୍ରଶଂସା କରିବା ସହ କହିଥିଲେ ଯେ ଓଡିଶା 8 ପ୍ରତିଶତ ହାରରେ ଅଭିବୃଦ୍ଧି କରୁଛି, ଯାହାକି ଜାତୀୟ ହାର ଠାରୁ ମଧ୍ୟ ଅଧିକ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏବେ ଓଡିଶା ପୁଂଜି ନିବେଶ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି ।

ରିଲାଏନ୍ସ ଏବଂ ଜିଓ ସେବା ମୁଖ୍ୟମନ୍ତ୍ରୀଙ୍କ ମେକ ଇନ ଓଡିଶା ମିଶନ ଓ ମୁଁ ଓଡିଶା କ୍ୟାମ୍ପେନରେ ନିର୍ଭର ଯୋଗ୍ୟ ଅଂଶିଦାର ହେବେ ବୋଲି କହିଛନ୍ତି ଅମ୍ବାନୀ । ସେ କହିଥିଲେ ଯେ, ରିଲାଏନ୍ସର ଆଭିମୁଖ୍ୟ ସଂପୁର୍ଣ୍ଣ ସ୍ପଷ୍ଟ । ଆମର ଆଭିମୁଖ୍ୟ ହେଉଛି ବିକାଶ ପାଇଁ ସମସ୍ତଙ୍କ ସଶକ୍ତିକରଣ । ଜିଓର ନେଟୱର୍କ ପାଇଁ ଏବେ ସର୍ବାଧିକ ପୁଂଜି ନିବେଶ ହେଉଛି । ତେବେ ରିଲାଏନ୍ସ ପାଇଁ ଜିଓ ଆଉ ଏକ ବ୍ୟବସାୟ ନୁହେଁ । ଏହା ଭାରତ ଓ ଓଡିଶାର ରୂପାନ୍ତରିକରଣ ପାଇଁ ଆଉ ଏକ ମିଶନ । ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 30ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି । ଜିଓ ଦେଶର ସବୁ ସହର ଏବଂ ଓଡିଶାର 43ହଜାର ଗାଁକୁ ସଂଯୋଗ କରିଛି । ଗତ ଆଠ ମାସ ମଧ୍ୟରେ ଲକ୍ଷାଧିକ ଗ୍ରାମୀଣ ଲୋକ ସୁଲଭ ମୂଲ୍ୟରେ ଜିଓ ସ୍ମାର୍ଟ ଫୋନ ପାଇଛନ୍ତି ।

ରାଜ୍ୟର ମୁଣ୍ଡପିଛା ଡାଟା ବ୍ୟବହାର ଦେଶରେ ସର୍ବାଧିକ । ଶିକ୍ଷା, ଆର୍ଥିକ ସେବା ଏବଂ ମନୋରଂଜନ ପାଇଁ ଡାଟାର ସର୍ବାଧିକ ବ୍ୟବହାର ହେଉଛି । ରିଲାଏନ୍ସ ଜିଓ ସେବା ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଲକ୍ଷାଧିକ ମହିଳା ମହିଳାଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଡିଜିଟାଲ ସେବା ସହ ଯୋଡିବାକୁ ଚେଷ୍ଟା କରୁଛି । ଆଗକୁ ଜିଓ ଗିଗା ଫାଇବର ସେବା ଆରମ୍ଭ ହେବାକୁ ଯାଉଛି । ଏହାଦ୍ବାରା ଘରକୁ ଫାଇବର ସେବା ସହ ଯୋଡାଯିବ । ବର୍ତ୍ତମାନ ବିଶ୍ବରେ ଭାରତ ବ୍ରଡବ୍ୟାଣ୍ଡ ବ୍ୟବହାରରେ 135 ନମ୍ବର ସ୍ଥାନରେ ରହିଛି । ବିଶ୍ବର ପ୍ରମୁଖ ତିନୋଟି ସର୍ବାଧିକ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀ ରାଷ୍ଟ୍ର ମଧ୍ୟରେ ଭାରତକୁ ସ୍ଥାନିତ କରିବା ରିଲାଏନ୍ସର ଲକ୍ଷ୍ୟ ବୋଲି ସେ କହିଥିଲେ । ଏକାଠି ଆମେ ଓଡିଶାରୁ ଭାରତରେ ଏବଂ ବିଶ୍ବରେ ଡିଜିଟାଲି ସବୁଠାରୁ ଉନ୍ନତ ରାଜ୍ୟ ଭାବେ ଛିଡା କରିପାରିବା ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ କ୍ରିଡା ହବ ଭାବେ ଗଢି ତୋଳିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ମଧ୍ୟ ରିଲାଏନ୍ସ ଅଂଶିଦାର ହେବ ବୋଲି ସେ କହିଥିଲେ । ଏଦିଗରେ ରାଜ୍ୟ ସରକାରଙ୍କ ଭାଗିଦାରିତାରେ ଅତ୍ୟାଧୁନିକ ଆଥଲେଟିକ୍ସ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି କେନ୍ଦ୍ରରେ ବିଶ୍ବସ୍ତରୀୟ କ୍ରିଡା ତାଲିମଦାତାଙ୍କ ଦ୍ବାରା ସ୍ଥାନୀୟ ଖେଳାଳୀଙ୍କୁ ଅଲମ୍ପିକ୍ସ ବିଜେତା କରାଯିବ ।

Share

Leave a Reply

Your email address will not be published. Required fields are marked *

5 − 3 =