ଡିଜି ଲକର ଓ ଏମ-ପରିବହନର ବୈଦ୍ୟୁତିକ ଦସ୍ତାବେଜକୁ ମିଳିଲା ସ୍ୱୀକୃତି

ସ୍କୁଲ, କଲେଜ ଓ ବ୍ଲକ ଅଫିସରେ ଖୋଲିବ ଡିଏଲ କ୍ୟାମ୍ପ

ଭୁବନେଶ୍ୱର () ଏଣିକି ଗାଡି ଚାଳକମାନେ ବୈଦ୍ୟୁତିକ ଫର୍ମରେ ଗାଡିର କାଗଜପତ୍ର ଦେଖାଇ ପାରିବେ । ଯାଞ୍ଚ କରୁଥିବା ଅଧିକାରୀମାନେ ମଧ୍ୟ ଗାଡି ଚାଳକଙ୍କୁ ମୂଳ କପି ଦେଖାଇବାକୁ ବାଧ୍ୟ କରିପାରିବେ ନାହିଁ । କେନ୍ଦ୍ର ସରକାର ଏନେଇ କେନ୍ଦ୍ରୀୟ ମୋଟର ଯାନ ଆଇନରେ ଆବଶ୍ୟକ ସଂଶୋଧନ କରିବା ପରେ ରାଜ୍ୟ ପରିବହନ କମିଶନର ଆଜି ସବୁ ଏସପି, ଡିସିପି, ଆରଟିଓମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

କେନ୍ଦ୍ର ସରକାର ଡିଜି ଲକର ଏବଂ ଏମ-ପରିବହନ ଭଳି ମୋବାଇଲ ଆପକୁ ସ୍ୱୀକୃତି ଦେଇଛନ୍ତି । ତେଣୁ ଏହି ଆପରେ ବୈଦ୍ୟୁତିକ ଫର୍ମରେ ରହିଥିବା କାଗଜପତ୍ରକୁ ବୈଧ ଭାବେ ଗ୍ରହଣ କରିବାକୁ ପରିବହନ କମିଶନର ଏହି ଚିଠିରେ ଉଲ୍ଲେଖ କରିଛନ୍ତି । କାରଣ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଏହି ଦୁଇଟି ବୈଦ୍ୟୁତିକ ଆପକୁ ସ୍ୱୀକୃତି ଦେଇ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ଧାରା ୧୩୯ରେ ଆବଶ୍ୟକ ସଂଶୋଧନ କରିଛନ୍ତି ।

ଏହି ଆପରେ ଗାଡି ଚାଳକମାନେ ସେମାନଙ୍କ ଗାଡିର ପଂଜିକରଣ, ଇନସ୍ୟୁରାନ୍ସ, ଫିଟନେସ, ପର୍ମିଟ, ଡ୍ରାଇଭିଂ ଲାଇସେନ୍ସ, ପ୍ରଦୁଷଣ ଯାଞ୍ଚ ସାର୍ଟିଫିକେଟ ଅପଲୋଡ ହୋଇଛି । ତେଣୁ ଯାଞ୍ଚ ସମୟରେ ଅଧିକାରୀଙ୍କ ଆବଶ୍ୟକତା ଅନୁସାରେ ଗାଡି ଚାଳକ ମୂଳ କପି କିମ୍ବା ବୈଦ୍ୟୁତିକ ଫର୍ମରେ ମଧ୍ୟ ନିଜ ଯାନର ସବୁ ଦସ୍ତାବେଜ ଦେଖାଇପାରିବେ । ଏସମ୍ପର୍କିତ ଏସପିଓକୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଗତ ଡିସେମ୍ବର ୧୭ ତାରିଖରୁ ଗ୍ରହଣ କରିସାରିଛନ୍ତି ।

ତେବେ ଗାଡି ଚାଳକ ଯଦି ଡିଜି ଲକର କିମ୍ବା ଏମ-ପରିବହନ ଆପରେ ନିଜର ବୈଦ୍ୟୁତିକ ଦସ୍ତାବେଜ ଦେଖାଇ ପାରିବେ ନାହିଁ, ତେବେ ଉପସ୍ଥିତ ଅଧିକାରୀ ନିଜେ ଏମ-ପରିବହନ କିମ୍ବା ଇ-ଚାଲାଣ ଆପ ଜରିଆରେ ସମ୍ପୃକ୍ତ ଗାଡିର ସବୁ ତଥ୍ୟ ଯାଞ୍ଚ କରିପାରିବେ । ତେଣୁ ଗାଡି ଚାଳକଙ୍କୁ ବିନା କୌଣସି ଅସୁବିଧାରେ ଏନଫୋର୍ସମେଣ୍ଟ ଅଧିକାରୀମାନେ ବୈଦ୍ୟୁତିକ କିମ୍ବା ମୂଳ କପି ଜରିଆରେ ଗାଡିର କାଗଜପତ୍ର ଯାଞ୍ଚ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅଧିକ ଫାସିଲିଟେସନ କେନ୍ଦ୍ର ଖୋଲିବାକୁ ମଧ୍ୟ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଲୋକେ ଡ୍ରାଇଭିଂ ଲାଇସେନ ପାଇଁ ଆବେଦନ କରିବାକୁ ଅସମ୍ଭବ ଭିଡକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଅଧିକ ସମୟ କାର୍ଯ୍ୟ କରି ଲୋକଙ୍କ ଆବଦେନକୁ ଶୀଘ୍ର କ୍ଲିୟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅଧିକ କମ୍ପ୍ୟୁଟରର ବ୍ୟବହାର କରିବା କମ୍ପ୍ୟୁଟର ଲାବ ଥିବା ସ୍କୁଲ, କଲେଜ ଓ ବ୍ଲକ ଅଫିସ ପରିସରରେ ସ୍ୱତନ୍ତ୍ର କ୍ୟାମ୍ପ କରି ଆବେଦନକାରୀଙ୍କ ବାୟୋମେଟ୍ରିକ ଡାଟା ସଂଗ୍ରହ କରାଯାଇପାରିବ । ଆଖପାଖର ସାଇବର କାଫେକୁ ତାଲିମ ଦେଇ ଲୋକଙ୍କୁ ଅନଲାଇନରେ ଆବେଦନ କରିବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two × 2 =