ନାଗାବଳି ନଦୀରେ ଭାସିଗଲେ ବାପପୁଅ

ରାୟଗଡା: ରାୟଗଡା ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀର ଝୁଲାପୋଲ ଏବଂ ହାତିପଥର ନିକଟରେ ପାରଳାଖେମୁଣ୍ଡିର ଦୁଇଜଣ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ନିଖୋଜ ଦୁଇ ଜଣ ହେଲେ ପାରଳାଖେମୁଣ୍ଡି ସହରର କେ. ଜିତେନ୍ଦ୍ର (୧୯) ଓ କେ. ଶ୍ରୀନିବାସ (୪୫)। ସେମାନେ ବାପା ଓ ପୁଅ ବୋଲି ଜଣାପଡିଛି। ସେମାନଙ୍କ ଘର ପାରଳାଖେମୁଣ୍ଡି ସହର କାମ୍ପ ସାହିରେ । ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ଯ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ। ମନ୍ଦିରରେ ଦର୍ଶନ ସାରି ସହର ପାର୍ଶ୍ବଦେଇ ବୋହିଯାଉଥିବା ନାଗାବଳୀ ଉପରେ ଝୁଲାପୋଲକୁ ଯାଇଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଝୁଲାପୋଲ ଏବଂ ହାତିପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ। ସେଠାରେ ବାପା ଶ୍ରୀନିବାସ ଗୋଡ ଧୋଇଥିଲେ। ସ୍ଥାନଟି ସମ୍ପୂର୍ଣ୍ଣ ରୁପେ ପଥୁରିଆ। ପାଣିର ସୁଅରେ ଶିଉଳି ପଡିଥିବା ଯୋଗୁଁ ବାପା ଶ୍ରୀନିବାସଙ୍କ ପାଦ ଖସିଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସିଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବାପାଇଁ ପୁଅ ଜିତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁପଡିଥିଲେ। ଏଭଳି ସ୍ଥିତି ଦେଖି ଅନ୍ୟ ପର୍ଯ୍ୟଟକ ମାନେ କୂଳରେ ରହି ପାଟି କରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ପାଣି ଭିତରେ ଖୋଜିବା ସମ୍ଭବ ନହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

five × 5 =