ଅଖ ଓ ଚକ ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ

ପୁରୀ() ବେଶ୍ ତତ୍ପରତାର ସହ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ। ଅଖ ଓ ଚକ ନିର୍ମାଣ କାର୍ୟ୍ୟ ବର୍ତ୍ତମାନ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ତିନି ରଥର ୨୧ଟିରୁ ୧୯ଟି ଅଖ କାର୍ୟ୍ୟ ସରିଛି । ତାଳଧ୍ୱଜ ରଥର ସମସ୍ତ ୭ଟି ଅଖ, ଦର୍ପଦଳନ ରଥର ସମସ୍ତ ୬ଟି ଓ ନନ୍ଦିଘୋଷ ରଥର ମୋଟ ୮ଟି ଅଖରୁ ୬ଟି ସମ୍ପୂର୍ଣ୍ଣ ହୋଇଛି । ଅନ୍ୟ ଦୁଇଟି ଅଖ କାମ ଚାଲିଛି ।

ରଥତ୍ରୟର ମୋଟ ୪୨ ଚକ ମଧ୍ୟରୁ ଶୁକ୍ରାବର ଦିନ ୩୧ଟି ଚକ କାର୍ୟ୍ୟ ଶେଷ ହୋଇଯାଇଛି । ତିନି ରଥର ଚାରିନାହାକା ଅନୁକୂଳ ହୋଇ ଜୋରସୋରରେ କାମ ଚାଲିଛି । ବିଶ୍ୱକର୍ମାମାନେ ଗରଗରା ହାଣି ପ୍ରସ୍ତୁତ କରୁଛନ୍ତି । ତିନି ରଥର ୨ଟି ଲେଖାଏଁ ଗରଗରା କାମ ଚାଲିଛି । ସ୍ନାନ ପୂର୍ଣ୍ଣିମାରେ ଗରଗରା ଉପରେ ଚାରିନାହାକା ଉଠିବାର ପରମ୍ପରା ରହିଛି । ଦୋଳବେଦି ପରିସରରେ କରତୀ ଓଝା ସେବକମାନେ ଦୋଳବେଦି ଶାଳରେ କଣ୍ଟା ପ୍ରସ୍ତୁତ କରୁଛନ୍ତି । ୨୦ ଏମ୍ଏମ୍ ମୋଟେଇ କଣ୍ଟାରେ ଓଝା ସେବକମାନେ ଚଉରସ ଓ ଆଗପାତେଳି କଣ୍ଟା ତିଆରୁଛନ୍ତି ।ରଥଖଳାରେ ରୂପକାରମାନେ ଗୁଜରେ ସିଂହବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି ।

ସକାଳେ କାମରେ ଯୋଗଦେବା ପୂର୍ବରୁ ନିର୍ମାଣକାରୀଙ୍କ ଥର୍ମାଲ ସ୍କ୍ରିନିଂ ହୋଇଥିଲା । ସମସ୍ତ ନିର୍ମାଣକାରୀ ସେବକ ସୁସ୍ଥ ଥିବା ଏପିଆର୍ଓ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।ସେବକମାନେ ଗୟଳ ଚିରଟ କରୁଛନ୍ତି । ୬ଟି ଗୟଳ ମଧ୍ୟରୁ ୨ଟି ଗୟଳ ଚିରଟ କାର୍ୟ୍ୟ ସାରିଛନ୍ତି କରତୀ ସେବକ ।

Share

Leave a Reply

Your email address will not be published. Required fields are marked *

four × 1 =