ରତୀଙ୍କ ସ୍ବପ୍ନର ରାଜକୁମାର ମହାରଥୀ

ଭୁବନେଶ୍ବର ୩|୮:  ଆଇଟମ୍ ଗର୍ଲ ରାଣୀ ପଣ୍ଡା ତାଙ୍କ ଦେହଖୋଲା ଡ୍ୟାନ୍ସ ପାଇଁ ଯେମିତି ବିବାଦରେ ସେମିତି ବିଭିନ୍ନ ବିବୃତି ଦେଇ ମଧ୍ୟ ଚର୍ଚ୍ଚିତ ହେଉଛନ୍ତି । ନିକଟରେ ତାଙ୍କ ବାସ୍ତବ ଜୀବନର କାହାଣୀକୁ ନେଇ ଆଧାରିତ ଯାତ୍ରା ନାଟକ ଓ ଫିଲ୍ମ ସ୍କ୍ରିପ୍ଟ ଲେଖାଯାଇଥିଲା । ସଚ୍ଚିଦାନନ୍ଦ ଗଣନାଟ୍ୟ ଏହି ନାଟକ ଆଗାମୀ ସିଜିନରେ ପରିବେଷଣ କରିବା ପାଇଁ ଜୋରଦାର ରିହରସାଲ ଚଳାଇଛି । ଅପରପକ୍ଷରେ ଫିଲ୍ମ ରିଲିଜ୍ ପୂର୍ବରୁ ନାଟକ ମଞ୍ଚସ୍ଥ ହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ଫିଲ୍ମ ପ୍ରଯୋଜନା ସଂସ୍ଥା ଏବଂ ଏହାର ନିର୍ଦ୍ଦେଶକ ସଞ୍ଜୟ ନାୟକ କହିଛନ୍ତି । ଏହା ଏକ ବିବାଦୀୟ ମୋଡରେ ରହିଛି ।

ଏହି ସମୟରେ ସେଲଫି ଭିଡିଓ ଶୁଟିଂ କରି ରାଣୀ ନିଜ ମନର ମଣିଷ କଥା କହିଛନ୍ତି । ଭିଡିଓରେ ରାଣୀ ନିଜକୁ ବିବାଦୀୟ ନାୟିକା ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି । ନିଜର ମନର ମଣିଷର ସ୍ବରୂପ ବର୍ଣ୍ଣନା କରିବାକୁ ଯାଇ ରାଣୀ ପଣ୍ଡା ଯେଉଁ ରୂପକଳ୍ପର ସହାୟତା ନେଇଛନ୍ତି ତାହା ଏବେ ପୁଣି ମାର୍କେଟ୍ ରେ ନିଆଁ ଲଗାଇବ ବୋଲି ଚର୍ଚ୍ଚା ହେଉଛି ।

ରାଣୀ କହିଛନ୍ତି ଯେ, ସେ କେବେ ବିବାହ କରିବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ତାଙ୍କ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସେଥିପାଇଁ ସେ ସେଲଫି ଭିଡିଓରେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି ଯେ, କେମିତିକା ପୁରୁଷ ମିଳିଲେ ସେ ବିବାହ କରିବେ । ଏ ସଂପର୍କରେ ସୂଚନା ଦେବାକୁ ଯାଇ ରାଣୀ କହିଛନ୍ତି ଯେ, ଶହେ ଘୋଡାକୁ ଶହେ ହାତୀ… ଆପଣଙ୍କ ପ୍ରିୟ, ସାରା ଓଡିଶାର ପ୍ରିୟ, ପିପିଲିର ପ୍ରିୟ ପ୍ରଦୀପ ମହାରଥୀ ସାର୍ ଙ୍କୁ ମୋର ପ୍ରଣାମ । ତାଙ୍କୁ ମୁଁ ସମ୍ମାନ କରେ… ଲାଇକ୍ କରେ । ସେଭଳି ଜଣେ ପୁରୁଷ ମିଳିଲେ ମୁଁ ତାଙ୍କୁ ବିବାହ କରିବି ।

ସୂଚନାଯୋଗ୍ୟ ଯେ, ନିଜର ନିଆରା ଚାଲିଚଳନ ଓ ରଙ୍ଗଢଙ୍ଗ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ମଧ୍ୟ ବେଶ୍ ଚର୍ଚ୍ଚିତ । ତାଙ୍କ ବକ୍ତବ୍ୟ ମଧ୍ୟ ଅନେକ ସମୟରେ ବିବାଦର ସୂତ୍ରପାତ କରିଛି । ଗତ ସାଧାରଣ ନିର୍ବାଚନ ବେଳେ ତାଙ୍କ ଫାର୍ମ ହାଉସ୍ ରେ ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଥିବାବେଳେ ମାଜିଷ୍ଟ୍ରେଟ ଚଢାଉ କରିଥିଲେ । ତାଙ୍କ ଉପରେ ସେଠାରେ ଆକ୍ରମଣ ହୋଇଥିଲା । ଏହି ଅଭିଯୋଗରେ ପ୍ରଦୀପ ମହାରଥୀ ଗିରଫ ମଧ୍ୟ ହୋଇଥିଲେ ।

କେବଳ ସେତିକି ନୁହେଁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସଂପର୍କରେ ଟିପ୍ପଣୀ ଦେଇ ବିବାଦରେ ଫସିଥିଲେ । ପିପିଲି ଗଣଦୁଷ୍କର୍ମ ଘଟଣାର ରାୟ ଉପରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରି ମଧ୍ୟ ବିବାଦରେ ଫସିବା ସହ ମନ୍ତ୍ରୀପଦ ହରାଇଥିଲେ । ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରିଙ୍କ ମଧ୍ୟରେ ବିଧାନସଭାରେ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

seventeen − 13 =