ବିଜୁ ଯୁବବାହିନୀ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର () ଓଡ଼ିଶାର ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଏବଂ ନିରାପଦ ଗାଡ଼ିଚାଳନା ସଂପର୍କିତ ସଚେତନ କରିବା ଉଦ୍ଦେଶ୍ୟରେ ବିଜୁ ଯୁବବାହିନୀ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମ ସ୍ଥାନୀୟ ଏଜି ଛକଠାରେ ଶୁଭାରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରର ୨୦ଟି ପ୍ରମୁଖ ଟ୍ରାଫିକ୍‌ ଛକ ସହ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏ ସଂପର୍କିତ ଆୟୋଜିତ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ରାଜ୍ୟ ଯୁବସେବା ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ଏବଂ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ସୁରଥ କୁମାର ମଲ୍ଲିକ ପ୍ରମୁଖ ରାଜ୍ୟବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନିରାପଦ ଗାଡ଼ି ଚାଳନା, ଟ୍ରାଫିକ ନିୟମ ପାଳନ ନେଇ ସମସ୍ତେ ସଚେତନ ହେଲେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଅନେକାଂଶରେ ହ୍ରାସ ହେବ ବୋଲି ମତ ଦେଇଥିଲେ ।

ନୂତନ ମୋଟରଯାନ ସଂଶୋଧିତ ନିୟମ-୨୦୧୯ର କଡ଼ାକଡ଼ି ଅନୁପାଳନ ଏବଂ ସଡ଼କରେ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରି ସୁରକ୍ଷିତ ଗାଡ଼ିଚାଳନା ନିମନ୍ତେ ଓଡ଼ିଶାର ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜୁ ଯୁବ ବାହିନୀ ପକ୍ଷରୁ ଏହି ‘ରକ୍ଷକ’ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି । ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବିଜୁ ଯୁବବାହିନୀର ସ୍ବେଚ୍ଛାସେବୀଙ୍କ ଦ୍ବାରା ଚଳିତ ମାସ ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତ ଏବଂ ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ମିଶି ସାଧାରଣ ଜନତାଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ତଥା ସହଯୋଗ ଯୋଗାଇଦେବେ ।

ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ସୁରକ୍ଷା ସାଥୀ, ସୁରକ୍ଷା ସହଯୋଗୀ ଭାବେ ସୁରକ୍ଷା ସର୍ଭେ କରିବା ସହ ସୁରକ୍ଷା ଶିବିରର ଆୟୋଜନ କରି ସ୍ଥାନୀୟ ବାସିନ୍ଦାଙ୍କୁ ଟ୍ରାଫିକ୍‌ ନିୟମର ପାଳନ କରିବା\nପାଇଁ ସଚେତନ କରିବେ । ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ‘ରକ୍ଷକ’ କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀର ସିଇଓ ମନୋଜ କୁମାର ପାଢ଼ି ସ୍ବାଗତ ଭାଷଣ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

18 − 10 =