୯ ଜିଲ୍ଲା ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ବର୍ଷା ସହ ଘଡ଼ଘଡ଼ି ବି ହୋଇପାରେ । ୨୩ ତାରିଖ ସକାଳୁ ଉତ୍ତର ପୂର୍ବ ଓଡ଼ିଶାରେ ଝିପିଝିପି ବର୍ଷା ଆରମ୍ଭ ହୋଇଯିିବ । ୨୪ରୁ ବର୍ଷା ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଜାରି କରିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ୱାସ ପୂର୍ବାନୁମାନ ଅନୁସାରେ ୨୩ ତାରିଖ ସକାଳୁ ବର୍ଷା ଆରମ୍ଭ ହେବ। ତେବେ ଏହି ବର୍ଷାର ପରିମାଣ କମ୍‌ ରହିବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେଓଗଡ଼, କେଉଁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଳ୍ପ ବର୍ଷା ହେବ । ୨୪ ତାରିଖ ସକାଳୁ ନିର୍ଧୁମ ବର୍ଷା ଛେଚିବ । ଉତ୍ତର ପୂର୍ବ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୨୪ ତାରିଖ ସକାଳୁ ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଭୁବନେଶ୍ୱରରେ ମଧ୍ୟ ଜୋର୍‌ ବର୍ଷା ହେବାର ସମ୍ଭାବନା ରହିଛି ।

୨୫ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ । କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଭଦ୍ରକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳରେ ମଧ୍ୟ ବର୍ଷିବ ।

୨୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଆଉ କିଛି ସ୍ଥାନରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଓଡ଼ିଶା ବାୟୁମଣ୍ଡଳ ଉପରେ ଏକ ଟ୍ରଫ୍‌ଲାଇନ୍‌ ସୃଷ୍ଟି ହେବ । ଏଥିସହ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରୁ ପବନ ବହିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ଡ. ସାହୁ କହିଛନ୍ତି ।

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ଡିଗ୍ରୀ ଉପରେ ଥିଲା । ମାଲକାନଗିରିରେ ୩୫ଡିଗ୍ରୀ, ଟିଟିଲାଗଡ଼ରେ ୩୪.୨, ବୌଦ୍ଧରେ ୩୪, ତାଳଚେର ଓ ଭବାନୀପାଟଣାରେ ୩୩.୬, ସମ୍ବଲପୁରରେ ୩୩.୫, ଭୁବନେଶ୍ୱରରେ ୩୩, ଅନୁଗୁଳରେ ୩୨.୭, କଟକ ଓ ଝାରସୁଗୁଡ଼ାରେ ୩୨.୪, ସୋନପୁରରେ ୩୨.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଉପକୂଳ ଓଡ଼ିଶାରେ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Share

Leave a Reply

Your email address will not be published. Required fields are marked *

19 + 12 =