ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ବୁଧବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏହି ଲଘୁଚାପ । ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳରୁ ପ୍ରବଳତର ବର୍ଷା ହେବ ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ । କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ।

ଲଗାଣ ବର୍ଷା ପୂର୍ବାନୁମାନ ପରେ ପୁଣି ଥରେ ବନ୍ୟା ଚିନ୍ତା ବଢ଼ିଛି । ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ଫୁଲିପାରେ । ଅନ୍ୟପକ୍ଷରେ ଉତ୍ତର ଓଡ଼ିଶା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଉଛୁଳିବା ସହ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲଗାଣ ବର୍ଷାକୁ ଲକ୍ଷ୍ୟ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।ପାଣିପାଗ ବିଭାଗ ବିଭାଗ ସତର୍କ କରାଇ ଦେଇଛି, ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ଭଦ୍ରକ, କେନ୍ଦୁଝର, ଯାଜପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡା଼ ଓ ସୋନପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଦେବଗଡ଼, ସମ୍ବଲପୁରର କେତେକ ଜାଗାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷାରେ ତଳି ଇଲାକାରେ ପାଣି ପଶିବା ସହ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ ।

ଏହାବାଦ୍‌ ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖ (ଗୁରୁବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଦେବଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବଲାଙ୍ଗିର, ନୂଆପଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ସରକାର ଆଶଙ୍କା କରୁଛନ୍ତି, ଲଗାଣ ବର୍ଷାରେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର ବଢ଼ିପାରେ । ହେଲେ ବର୍ତ୍ତମାନ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଜଳସ୍ତର ସତର୍କ ସଙ୍କେତରୁ ବହୁ ତଳେ ପ୍ରବାହିତ ହେଉଛି ।

Share

Leave a Reply

Your email address will not be published. Required fields are marked *

4 − one =