କେନ୍ଦ୍ର କୋର୍ଟରେ ଦେଶାନ୍ତର ବଲ

ମହାକାଳପଡା () କେନ୍ଦ୍ରାପଡା ଜିଲ୍ଲାରୁ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିବା ଘଟଣା ବିରୁଡି ବଶା ସଦୃଶ ହୋଇଛି । କେହି ହାତ ମାରିବାକୁ ନାରାଜ, ନା ଜିଲ୍ଲା ପ୍ରଶାସନ ନା କେନ୍ଦ୍ର ସରକାର । ଜିଲ୍ଲା ପ୍ରଶାସନ ଗତ କିଛି ବର୍ଷ ମଧ୍ୟରେ ଅତି ଚତୁରତାର ସହ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ଦେଇ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗି ଦେଇଛି ।

2004ରେ ଗୃହ ବିଭାଗର ଦେଶାନ୍ତର (କ୍ବିଟ ଇଣ୍ଡିଆ) ନୋଟିସ ପରେ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳରେ ରହୁଥିବା ଅନୁପ୍ରବେଶକାରୀ ପ୍ରତିବାଦ କରିଥିଲ । ସେମାନେ ପ୍ରତିବାଦ କରିବା ମଧ୍ୟ ସ୍ବାଭାବିକ । କାରଣ ଗତ 50 ବର୍ଷ ମଧ୍ୟରେ ବାଙ୍ଗଲାଦେଶରୁ ଅନୁପ୍ରବେଶ କରି ଓଡିଶା ସୀମାରେ ପ୍ରବେଶ କରିଥିବା ଏହି ବିଦେଶୀ ନାଗରିକଙ୍କୁ ରାଜନୈତିକ ନେତାମାନେ ନିଜର ଭୋଟ ରାଜନୀତି ପାଇଁ ଭାରତୀୟ ନାଗରିକର ପ୍ରମାଣପତ୍ର ଦେଇସାରିଛନ୍ତି । କିଏ ଭୋଟର କାର୍ଡ ପାଇଛି ତ କିଏ ରାସନ କାର୍ଡ । ଆଉ କିଏ ଅନ୍ୟ ସରକାରୀ ଯୋଜନାରେ ପଂଜିକୃତ ହୋଇଛି । ଏପରିକି ଏହି ପରିବାରର କିଛି କିଛି ସଦସ୍ୟ ମଧ୍ୟ କେନ୍ଦ୍ରାପଡା ଓ ଆଖ ପାଖ ଜିଲ୍ଲାର କଳ କାରଖାନାରେ ଛୋଟ ମୋଟ ଚାକିରି କରିଛନ୍ତି । ତେଣୁ ସେମାନେ ଏବେ ନିଜକୁ ଭାରତର ନାଗରିକ ବୋଲି ଦାବି କରୁଛନ୍ତି ।

ଅନୁପ୍ରବେଶକାରୀଙ୍କ ପ୍ରତିବାଦ ପରେ ଗୃହ ବିଭାଗ ଜରିଆରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ମଗାଯାଇଥିଲା । କେନ୍ଦ୍ର ଗୃହ ଗୃହ ମନ୍ତ୍ରଣାଳୟ ମାଜିଷ୍ଟରିଆଲ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ମାଜିଷ୍ଟରିଆଲ ତଦନ୍ତ ବି ହୋଇଥିଲା । ତଦନ୍ତ ପରେ ଗତ 2016ରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯାଇ ପରବର୍ତ୍ତି କାର୍ଯ୍ୟପନ୍ଥା ନେଇ ପରାମର୍ଶ ଲୋଡାଯାଇଛି । କେନ୍ଦ୍ର ସରକାର ବି ଏହି ବିବାଦରେ ପଶିବାକୁ ଉଚିତ ନମଣି ଫାଇଲକୁ ଚାପି ରଖିଦେଇଛନ୍ତି ।

ପ୍ରାୟ 14 ବର୍ଷ ତଳର ଚିହ୍ନଟ ତାଲିକା ଅନୁଯାୟୀ ମହାକାଳପଡା ବ୍ଲକରେ 1551 ଜଣେ, ରାଜନଗରରେ 96 ଜଣ ଓ ପଟାମୁଣ୍ଡାଇରେ 30ଜଣଙ୍କୁ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା । କିନ୍ତୁ ସେମାନଙ୍କ ଦେଶାନ୍ତର କରିବା ପରିବର୍ତ୍ତେ ସମୟ କ୍ରମେ ସେମାନେ ଭୋଟର ପରିଚୟପତ୍ର, ଆଧାର କାର୍ଡ, ରାସନ କାର୍ଡ ଆଦି ପାଇବାରେ ସକ୍ଷମ ହୋଇଛନ୍ତି । ଅନୁପ୍ରବେଶକାରୀଙ୍କୁ ଭାରତୀୟ ନାଗରିକତ୍ବ ଭାବେ ପରିଚୟପତ୍ର ଦେବା ପଛରେ ହାତ କାହାର ସେନେଇ ଏବେ ବାଦବିବାଦ ଚାଲିଛି । ପ୍ରଶାସନିକ ଅଧିକାରୀମାନେ ରାଜନେତଙ୍କୁ ଦାୟୀ କରୁଥିବା ବେଳେ ନେତାମାନେ ପ୍ରଶାସନିକ ଅଫିସରଙ୍କୁ ଦାୟୀ କରୁଛନ୍ତି ।

ଏଭିତରେ ଆସାମ ଏନଆରସି ବିବାଦ ଉଠିବା ପରେ ପୂଣି ଥରେ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ବେଆଇନ ଭାବେ ଓଡିଶା ସୀମା ଭିତରକୁ ପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେନ୍ଦ୍ରାପଡାବାସୀଙ୍କ କହିବା ଅନୁଯାୟୀ ଏଭଳି ଚିହ୍ନଟ ପ୍ରକ୍ରିୟା କେବଳ ଧର୍ମକୁ ଆଖିଠାର । ବର୍ଷ ବର୍ଷ ଧରି ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିବା ପରିବର୍ତ୍ତେ ସେମାନଙ୍କୁ ଭାରତୀୟ ଭୋଟରର ମାନ୍ୟତା ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

six − two =