ପାନୀୟ ଜଳ ଯୋଗାଣରେ ଆଖିଦୃଶିଆ ଉନ୍ନତି

ଭୁବନେଶ୍ବର () ପାନୀୟ ଜଳ ସଂଯୋଗୀକରଣ ଏବଂ ବ୍ୟକ୍ତିଗତ ପାଇଖାନା ପ୍ରତିଷ୍ଠାରେ ଓଡିଶା ଆଖିଦୃଶିଆ ଅଗ୍ରଗତି କରିଛି । ରାଜ୍ୟ ସରକାର ଗତ 6 ବର୍ଷ ମଧ୍ୟରେ 4.6 ଲକ୍ଷ ନଳକୂପ ଖନନ କରିଥିବା ବେଳେ 16,545ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ 78ଟି ଜଳ ବିଶୋଧନାଗାର ପ୍ରତିଷ୍ଠା କରିଛନ୍ତି । ଜଳର ମାନରେ ଓଡିଶାର ଜଳ ବିଶୋଧନା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ଏକ ନମ୍ବର ମାନ୍ୟତା ପାଇଛି । ସେହିଭଳି ବ୍ୟକ୍ତିଗତ ଘରେ ପାଇଖାନା ନିର୍ମାଣ 2012-13ରେ 12 ପ୍ରତିଶତରୁ 2019 ଜାନୁଆରୀ ସୁଦ୍ଧା 82 ପ୍ରତିଶତକୁ ବୃଦ୍ଧି ପାଇଛି । ରାଜ୍ୟର 15ଟି ଜିଲ୍ଲାରେ ପାଣିରେ ଲୌହ ଅଂଶ ଅଧିକ ରହିଥିବାରୁ ଏହିସବୁ ଜିଲ୍ଲାରେ 650ଟି ଆଇରନ ରିମୁଭାଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ସେହିଭଳି 9ଟି ଜିଲ୍ଲାରେ ଫ୍ଲୋରାଇଡ ମିଶା ପାଣି ସମସ୍ୟା ଥିବାରୁ ସେହିସବୁ ଜିଲ୍ଲାରେ 800ଟି ଡି-ଫ୍ଲେରାଇଡ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି ।

ଓଡିଶା ୱାଟର ଆଣ୍ଡ ସାନିଟେସନ ମିଶନର ସାଧାରଣ ପରିଷଦ ବୈଠକରୁ ଏହି ତଥ୍ୟ ମିଳିଛି । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ଲୋକଙ୍କ ପାନୀୟ ଜଳ ଏବଂ ପାଇଖାନା ବ୍ୟବହାର ନେଇ ପ୍ରକୃତିରେ ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଇଥିଲେ । ଲୋକଙ୍କୁ ପାଇଖାନା ବ୍ୟବହାରର ଉପକାରିତା ସଂପର୍କରେ ବୁଝାଇାବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ଏଦିଗରେ ସ୍ଥାନୀୟ ସଂଗଠନ ଏବଂ ଗୋଷ୍ଠିଗତ ଓପିନିୟନ ଲିଡରମାନଙ୍କୁ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା 4ଟି ଜିଲ୍ଲାର 54ଟି ବ୍ଲକ ଅନ୍ତର୍ଗତ 19,974ଟି ଗାଁକୁ ଖୋଲା ମଳ ମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି ।

ମିଶନ ନିର୍ଦ୍ଦେଶକ ରୂପା ମିଶ୍ର ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ବସୁଧା, ଓଏମବିଡିସ, ଜାତୀୟ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ, ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ, ରାଜ୍ୟ ଅର୍ଥ କମିଶନ ସହାୟତା ଆଦି ଯୋଜନାରେ ପାନୀୟ ଜଳ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସୁଦ୍ଧା 6587ଟି ଗ୍ରାମପଂଚାୟତରେ ଗୋଟିଏ କିମ୍ବା ଦୁଇଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଖୋର୍ଦ୍ଧା, ଗଂଜାମ ଓ ଦେବଗଡ ଭଳି ଜିଲ୍ଲାରେ 75 ପ୍ରତିଶତ ଲୋକ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଛନ୍ତି । କନ୍ଧମାଲ, ମାଲକାନଗିରି ଓ ଦେବଗଡ ଆଦି ଜିଲ୍ଲାରେ ପ୍ରତି 45ଜଣ ଜନସଂଖ୍ୟାରେ ଗୋଟିଏ ଲେଖାଏଁ ନଲକୂପ ରହିଛି ।

Share

Leave a Reply

Your email address will not be published. Required fields are marked *

5 × three =