ଅଣସରରେ ଶ୍ରୀଜିଉ

ଭୁବନେଶ୍ବର()  ଅଣସର ଘରେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଅସୁସ୍ଥତାର ଉପଚାର କରିବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ ଦଇତାପତି ସେବାୟତ । ୧୫ ଦିନ ଧରି ମହାପ୍ରଭୁଙ୍କ ନିକଟରେ ପାରମ୍ପାରିକ ପୂଜାର୍ଚ୍ଚନା, ଦର୍ଶନ ବନ୍ଦ ରହିବ । ଗୁପ୍ତ ସେବା ବା ଉପଚାର ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ସହ ପଟିଦିଅଁ ପୂଜା ପାଇବେ । ରୂପକାର ସେବାୟତମାନେ ପ୍ରସ୍ତୁତ କରିଥିବା ଏହି ପଟିଦିଅଁଙ୍କୁ ମହାପ୍ରଭୁଙ୍କ ପ୍ରତିନିଧିମାନେ ପୂଜାର୍ଚ୍ଚନା କରିବା ପରେ ଦର୍ଶନ ଜାରି ରହିବ । ଶ୍ରୀଜିଉ ଅଣସର ଘରେ ରହୁଥିବାରୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ ।

ସ୍ନାନ ପୂର୍ଣ୍ଣମା ରାତିରେ ପହଣ୍ଡି ସରିବା ପରେ ପୂର୍ବରୁ ପଥରରେ ନିର୍ମାଣ କରାଯାଇଥିବା ସିଂହାସନ ଉପରେ ଚତୁର୍ଦ୍ଧାମୁରତିଙ୍କୁ ସେଠାରେ ବିଜେ କରାଯାଇଥାଏ । ଏହାର ୨ ଦିନ ପରେ ଆରମ୍ଭ ହୋଇଥାଏ ଗୁପ୍ତ ନୀତି । ଏହି ନୀତିରେ ପ୍ରଥମେ ଠାକୁରଙ୍କ ଓଦାବସ୍ତ୍ର କଢାଯାଇଥାଏ । ପରେ ଦଇତାପତି ସେବାୟତମାନେ ଆରମ୍ଭ କରିଦିଅନ୍ତି ଗୁପ୍ତ ସେବା । ପ୍ରବଳ ଜ୍ୱରରେ ଠାକୁରଙ୍କ ପାଖରେ ଅବଢା କି କୈାଣସି ପ୍ରକାରର ଶଙ୍ଖୁଡି ଭୋଗ ଲାଗି କରାଯାଇନଥାଏ । ଏହି ସମୟରେ ଶୁଖିଲା ଭୋଗ କେବଳ ଲାଗି କରାଯାଏ ।

ସମସ୍ତେ ଜାଣନ୍ତି ମହାପ୍ରଭୁ ପ୍ରତ୍ୟେକ ସମୟରେ କିଛି ପରିଧାନ କରନ୍ତୁ ବା ନ କରନ୍ତୁ କିନ୍ତୁ ତୁଳସୀ ପରିଧାନ କରନ୍ତି । କେବଳ ଏହି ଅଣସର ପିଣ୍ଡିରେ ଠାକୁରଙ୍କୁ ତୁଳସୀ ଲାଗି କରାଯାଇନଥାଏ । ପ୍ରଭୁଙ୍କର ଏହି ସେବା ସମ୍ପୂର୍ଣ୍ଣ ଭାବରେ ଅନ୍ଧାରରେ କରାଯାଏ । ଜ୍ୱର ସାଙ୍ଗରେ ଦେହରେ ଯନ୍ତ୍ରଣା ମଧ୍ୟ ଅନୂଭୁତ ହୁଏ । ତେଣୁ ପୀଡା କମିବା ପାଇଁ ଭଗବାନଙ୍କ ଦେହରେ ଫୁଲୁରୀ ତେଲକୁ ମାଲିସ କରାଯାଏ । ଏହି ସମୟରେ ଭଗବାନ କୈାଣସି ବେଶ ହୁଅନ୍ତି ନାହିଁ । ପ୍ରଭୁଙ୍କୁ ବସ୍ତ୍ରରେ ଘୋଡାଇ ରଖାଯାଏ ।

Share

Leave a Reply

Your email address will not be published. Required fields are marked *

four × three =