ଆଜିଠୁ ନିଦ୍ରାରେ ଗଲେ ମହାପ୍ରଭୁ

ପୁରୀ() ଗୁରୁବାର ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି । ଆଜିଠୁ ନିଦ୍ରା ଯାଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠିବେ । ଏହି ମଧ୍ୟବର୍ତ୍ତୀ ୪ ମାସରେ ସମସ୍ତ ସାମାଜିକ ଶୁଭ କାର୍ଯ୍ୟ ନିଷେଧ । ଠାକୁରେ ଶୟନରେ ଥିଲେ ସନାତନ ଧର୍ମରେ ଉତ୍ସବ ଆଦି ବନ୍ଦ ଥାଏ। ଠାକୁର ଶୟନରୁ ଉଠିଲେ ପୁଣି ସମସ୍ତ ସାମାଜିକ ଶୁଭ କାର୍ଯ୍ୟ ହେବ ।

ଅଧିକାଂଶ ବର୍ଷ ରଥ ଉପରେ ଏହି ନୀତି ପାଳନ କରାଯାଏ । ଚଳିତ ବର୍ଷ ଶ୍ରୀମନ୍ଦିରରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ନୀତି ସମ୍ପନ୍ନ ହୋଇଛି । ତିନି ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ରତ୍ନସିଂହାସନକୁ ଆଣିଥିଲେ । ଶ୍ରୀବଳଭଦ୍ରଙ୍କ ବାଡ଼ରେ ବାସୁଦେବଙ୍କୁ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀଙ୍କୁ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ (ଶୟନଠାକୁର)ଙ୍କୁ ବିଜେ କରାଯାଇଥିଲା । ଶୟନ ଠାକୁର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ହେଲାପରେ ମହାସ୍ନାନ ନୀତି ବଢ଼ିଥିଲା । ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗା ଲାଗି ଓ ମାଳଫୁଲ ଲାଗି ହୋଇଥିଲେ । ପୂଜାପଣ୍ଡା ସାମନ୍ତମାନେ ଷୋଡ଼ଶ ଉପଚାରରେ ବଲ୍ଲଭ ବଡ଼ସିଂହାର ଭୋଗ ପୂଜା କରିବାପରେ କର୍ପୂର ଆଳତି ବଢିଥିଲା। ଏହାପରେ ଶୟନ ଠାକୁରଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତମାନେ ଭଣ୍ଡାର ଦୁଆରଠାକୁ ନେଇଥିଲେ । ସେଠାରେ ବିଧି ମୁତାବକ ଶୟନ ନୀତି ଅନୁଷ୍ଠିତ ହୋଇଥିଲା । ହରିଶୟନ ଏକାଦଶୀରେ ପୂଜାପଣ୍ଡା ସାମନ୍ତଙ୍କ ସମେତ ଭଣ୍ଡାର ମେକାପ, ପାଳିଆ ପଢିଆରି,ତଳୁଛ ମହାପାତ୍ର, ପ୍ରଧାନୀ, ଘଣ୍ଟୁଆ, ଛତାର, କୋଠ ସୁଁଆସିଆ, ତାଟ ଦରଜି, ମୁଦିରସ୍ତ ଓ ତଡ଼ାଉ କରଣ ଆଦି ସେବକ ଠାକୁରଙ୍କ ସେବା କରିଥିଲେ ।

ସନାତନ ଧର୍ମରେ ଚତୁର୍ମାସ୍ୟାରେ ମହାପ୍ରଭୁ ଅନନ୍ତଶୟନରେ ରହିଥାନ୍ତି । ଏହି ସମୟରେ କୌଣସି ଉତ୍ସବ,ମହୋତ୍ସବ, ବ୍ରତୋପନୟନ, ଶୁଭ ବିବାହ ଆଦି ବାରଣ ରହିଛି । ଠାକୁରେ ଶୟନରେ ଥିବାରୁ ଏହି ଚାରି ମାସ ଶୁଭକାର୍ଯ୍ୟ ମନା ଥାଏ। ମହାପ୍ରଭୁଙ୍କ ଶୟନଯାତ୍ରା ହେଉଛି ୪ମାସ । ଏଥିରେ କମ୍‌ ବେଶି ହୁଏ ନାହିଁ । ସାଧାରଣତଃ ଆଷାଢ଼ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ବଡ଼ ଏକାଦଶୀ ୪ମାସ ଠାକୁରଙ୍କ ଶୟନଯାତ୍ରା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ବ୍ୟତିକ୍ରମ ହୋଇଛି । ଆଶ୍ୱିନ ମାସରେ ମଳ ମାସ ପଡ଼ିଛି । ଆଷାଢ଼ ମାସରେ ଏକାଦଶୀ ବିଧି ହୋଇଥିଲେ ଶୟନଯାତ୍ରା ୫ ମାସ ହୋଇଥାନ୍ତା । ଏଣୁ ଚଳିତ ନୀତି ତିଥିରେ ପରିବର୍ତ୍ତନ ହୋଇଛି ।

Share

Leave a Reply

Your email address will not be published. Required fields are marked *

8 − 6 =