ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଦୁଇ ବୀର ଓଡିଆଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଆତଙ୍କବାଦୀ ଆକ୍ରମଣରେ ସହିଦ ୨ ଓଡିଆ ବୀର ଯବାନଙ୍କ ପାର୍ଥିବ ଶରରୀ । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଦୁଇ ସହିଦଙ୍କ ମରଶରୀର ଭୁବନେଶ୍ୱରରେ ବିମାନବନ୍ଦରରେ ପହଂଚିଛି । ସହିଦଙ୍କୁ ଶେଷ ସଲାମ ପାଇଁ ସିଆରପିଏଫ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସେଠାରୁ ଦୁଇ ବୀରଙ୍କ ମରଶରୀରକୁ ଜନ୍ମମାଟିକୁ ନିଆଯିବ । ଦେଶ ପାଇଁ ଜୀବନ ଦେଇଥିବା ଦୁଇ ଓଡିଆ ବୀର ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର ଗାଁର ମନୋଜ ବେହେରା ।
ଆତଙ୍କବାଦୀ ହମଲାରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ଗାଁରେ ପହଂଚିବା ପରେ ଅଂଚଳରେ ସ୍ତବ୍ଧ ହୋଇଯାଇଛି ଜନ୍ମମାଟି । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି । ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ । ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର୍ୟ୍ୟରତ ଥିଲେ । ୨୦୦୬ ମସିହାରେ ମନୋଜ ସିଆରପିଏଫରେ ଯୋଗ ଦେଇଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରିଶିଖର ଗାଁ ଯାଇ ସହିଦ ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ସୂଚନା ରହିଛି । ସେହିପରି ରତନପୁର ଗାଁରେ ପହଂଚି ସହିଦ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ସହିଦଙ୍କ ପରିବାରକୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗ୍ରାମର ବୀର ସହିଦ୍ ପ୍ରସନ୍ନ କୁମାର ସାହୁଙ୍କ ପ୍ରାର୍ଥୀବ ଶରୀରକୁ ଅପେକ୍ଷା ।ସେଥିପାଇଁ ପୈତୃକ ଘର ନିକଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଅନ୍ତିମ ସଂସ୍କାର ପାଇଁ ଗାଁ ନଦୀ ପଠାରେ ପ୍ରସ୍ତୁତି କରାଯାଇଛି । ଜନ୍ମମାଟିରେ ସହିଦଙ୍କ ମରଶରୀର ପହଁଚିବା ପରେ ଶୋଭାଯାତ୍ରା କରାଯାଇ ଏହି ମଶାଣିକୁ ଅଣାଯିବ ଓ ସେଠାରେ ରାଷ୍ଟ୍ରିୟ ମର୍ୟ୍ୟାଦା ସହ ଶେଷ ମେଲାଣି ଦିଆଯିବ ।
ନିଆଳୀରେ ମଧ୍ୟ ବୀର ପୁଅ ମନୋଜଙ୍କୁ ଅପେକ୍ଷା କରିଛି ଜନ୍ମମାଟି । ସହିଦ ମନୋଜ ବେହେରାଙ୍କୁ ଶେଷ ବିଦାୟ ଦେବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସମଗ୍ର ଅଂଚଳବାସୀ ଅପେକ୍ଷା କରିଛନ୍ତି କେତେବେଳେ ଫେରିବେ ମାଟି ପାଇଁ ଗର୍ବ ଆଣିଥିବା ଏହି ବୀର ପୁଅ । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଜନ୍ମମାଟିକୁ ଅଣାଯାଇ ମନୋଜଙ୍କର ଶେଷକୃତ୍ୟ କରାଯିବ ।

Share

Leave a Reply

Your email address will not be published. Required fields are marked *

twelve + 2 =