ଧାନ ସଂଗ୍ରହ ନୀତି ଓ ଆମ ଗାଁ ଆମ ବିକାଶ ନୀତିକୁ ମଂଜୁରୀ

ଭୁବନେଶ୍ବର () ରାଜ୍ୟ କ୍ୟାବିନେଟ ଆଜି 2018 ଧାନ ସଂଗ୍ରହ ନୀତିକୁ ଅନୁମୋଦନ ଦେଇଛି । ଏଥର ଖରିଫ ଓ ରବିରେ 55 ଲକ୍ଷ୍ୟ ମେଟ୍ରିକ ଟନ ଧାନ ସଂଗ୍ରହର ଲକ୍ଷ ରଖାଯାଇଛି । ଏଥିସହିତ 24ରୁ 72 ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯିବ ।

ଧାନ ସଂଗ୍ରହ ନୀତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ, ଗତ ଖରିଫ ଋତୁରେ 54 ଲକ୍ଷ୍ୟ ମେଟ୍ରିକ ଟନ ଧାନ ସଂଗ୍ରହର ଲକ୍ଷ ରଖାଯାଇଥିଲା । କିନ୍ତୁ କିଛି ଅଂଚଳରେ ମରୁଡି ପରିସ୍ଥିତି ଓ ଅଦିନିଆ ବର୍ଷା ଯୋଗୁଁ 49 ଲକ୍ଷ ଧାନ ସଂଗ୍ରହ ହୋଇଥିଲା । ଏବର୍ଷ କିନ୍ତୁ ଧାର୍ଯ୍ୟ ଲକ୍ଷ ପୁରଣ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏଥିସହିତ ଚଳିତ ବର୍ଷ ଚାଷୀଙ୍କଠାରୁ ଧାନ ସଂଗ୍ରହ ସମୟରେ ମୁଣ୍ଡପିଛା ସର୍ବନିମ୍ନ 3 କ୍ୱିଣ୍ଟାଲ ଧାନ କଟାଯିବନି । ଏହାଦ୍ବାରା କ୍ଷୁଦ୍ର ଓ ମଧ୍ୟବିତ୍ତ ଚାଷୀ ଉପକୃତ ହେବେ । ଧାନ ସଂଗ୍ରହ ପାଇଁ ଚାଷୀମାନେ ପୂର୍ବପରି ପଞ୍ଜିକରଣ କରିବେ । ଏଥିପାଇଁ ଚାଷୀଙ୍କୁ ସେମାନଙ୍କ ଜମିର ସମ୍ପୂର୍ଣ୍ଣ ତଥ୍ୟ ଦେବେ।  ଏହି ତଥ୍ୟକୁ ଭୂଲେଖ ସହ ତାଳମେଳ କରାଯିବ ।

ଏବର୍ଷ ନଭେମ୍ବର 24ରୁ 2019 ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତର ଖରିଫ ଋତୁରେ ସାଧାରଣ ମାନର ଧାନ ପାଇଁ ଏମଏସପି କ୍ବିଣ୍ଟାଲ ପିଛା 1750 ଟଙ୍କା ଓ ଗ୍ରେଡ ଏ ମାନର ଧାନ ପାଇଁ ଏମଏସପି 1770 ଟଙ୍କା ଧାଯ୍ୟ ହୋଇଛି ।

ସେହିଭଳି ଆଜିର କ୍ୟାବିନେଟ ବୈଠକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ନୀତିକୁ ମଞ୍ଜୁରୀ ମିଳିଛି । ଏହି କାର୍ଯ୍ୟକ୍ରମରେ 1ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ଅନୁମୋଦନ ଦିଆଯିବ । ସ୍ଥାନୀୟ ବିଧାୟକଙ୍କ ଜରିଆରେ ଗ୍ରାମବାସୀ ପ୍ରକଳ୍ପ ପ୍ରସ୍ତାବ ଦେବେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଏହାକୁ ମଞ୍ଜୁରୀ ଦେବେ । ବର୍ଷକ ମଧ୍ୟରେ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ସମ୍ପୂର୍ଣ୍ଣ ଭାବେ ଏହି ପ୍ରକଳ୍ପ ବିଭାଗ ଜରିଆରେ କାର୍ଯ୍ୟକାରୀ ହେବ । କୋଣସି ଠିକାଦାରଙ୍କୁ ନିୟୋଜିତ କରାଯିବନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + 12 =