ସଚିବାଳୟ ସଂଘରେ ପୁଣି ସଭାପତି-ସମ୍ପାଦକ ଲଢେଇ

ଭୁବନେଶ୍ବର: ରାଜ୍ୟ ସଚିବାଳୟ ସେବାସଂଘ ନିର୍ବାଚନକୁ ବର୍ଷେ ପୂରିଥିବାବେଳେ ଏବେ ପୁଣିଥରେ ସଂଘର ନେତାମାନେ ହଳଦିଆ ଲିଫଲେଟ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି । ଏଥର ଲିଫଲେଟ ବାଣ୍ଟିଛନ୍ତି ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ । ଏହାକୁ ନେଇ ଏବେ ସଚିବାଳୟ କର୍ମଚାରୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି ।

ଶ୍ରୀ ସାମଲ ତାଙ୍କ ପ୍ରଚାରପତ୍ରରେ ଦର୍ଶାଇଛନ୍ତି ଯେ ବର୍ଷକ ଭିତରେ ସେ ଅନେକ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସଚିବଙ୍କ ସହିତ ଆଲୋଚନ କରିଥିବାବେଳେ ସଂଘର ସଭାପତି ଓ ତାଙ୍କ ଗୋଷ୍ଠିଙ୍କ ଅସହଯୋଗ ଯୋଗୁଁ ତାହା ପୂରଣ ହୋଇପାରୁନାହିଁ । କେନ୍ଦ୍ରୀୟ ସଚିବାଳୟ କର୍ମଚାରୀଙ୍କ ହାରରେ ରାଜ୍ୟ ସଚିବାଳୟ କର୍ମଚାରୀମାନେ ଦରମା ପାଇବାନେଇ  ସେ ଦାବି କରୁଥିବାବେଳେ ପୂର୍ବତନ ସଂଘ ନେତାମାନଙ୍କ ଦୃରଦୃଷ୍ଟିର ଅଭାବ ଯୋଗୁଁ ତାହା ହୋଇପାରୁନାହିଁ ।

ନିର୍ବାଚନକୁ ବର୍ଷଟିଏ ପୂରିଥିବାବେଳେ ସଂଘର ପୂର୍ଣ୍ଣାଙ୍ଗ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇପାରୁନାହିଁ । ଏଥିରେ ୯ଜଣ ସଭ୍ୟଙ୍କୁ ନେଇ କମିଟି ଗଠନ କରାଯିବା କଥା । ସଭାପତି ଓ ତାଙ୍କର ଅନୁଗତମାନେ ଏହା କରାଇ ଦେଉନାହାନ୍ତି । ନିଜ ପସନ୍ଦର ସଭ୍ୟଙ୍କୁ ଏଥିରେ ସ୍ଥାନ ଦେବାପାଇଁ ଏଭଳି କାର୍ଯ୍ୟ କରୁଥିବା ଶ୍ରୀ ସାମଲ ଖୋଲାଖୋଲି ଭାବେ ପ୍ରଚାରପତ୍ରରେ ଉଲ୍ଲେଖ କରିଛନ୍ତି ।

କେବଳ ସେତିକି ନୁହେଁ ନିର୍ବାଚନର ବର୍ଷକ ପରେ ବି ସଂଘର ଏପର୍ଯ୍ୟନ୍ତ କୌଣସି ଖାତା ଖତିଆନା ନାହିଁ । ସଂଘର ଖାରବେଳନଗର ସ୍ଥିତ ଘରୁ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଥିବାବେଳେ ସେ ସବୁର କୌଣସି ହିସାବ ନାହିଁ । କ୍ୟାସ୍୍ବୁକ ନାହିଁ କି ବିଲ୍୍ ଭାଉଚର ବି ନାହିଁ । ଯାହା ଆୟ ହେଉଛି ତାହାକୁ ଉଡାଇ ଦିଆଯାଉଛି । ଏଠାରେ ଅଡିଟ ବ୍ୟବସ୍ଥା ଥିଲେ ବି ଅଡିଟର ମହାଶୟ ଆଖିବୁଜି ଅଡିଟ୍ କରୁଥିବା ଏଥିରେ ଦର୍ଶାଯାଇଛି । ସଂଘକୁ ମିଳିଥିବା ଆଉ ଗୋଟିଏ ସରକାରୀ ଘରର ଭଡା ଅର୍ଥ ବି ସଭାପତିଙ୍କ ଗୋଷ୍ଠି ଆଦାୟକରି ଚଳୁ କରୁଥିବା ଲେଖାଯାଇଛି । ଏଥି ସହିତ ସଂଘକୁ ଦୁର୍ବଳ କରିବା ସହିତ ନିଜ ପଟକୁ କର୍ମଚାରୀମାନଙ୍କୁ ନେବାପାଇଁ ସଂଘର ସଭାପତି ମିଛ ଅପପ୍ରଚାର ଚଳାଇଥିବା ସମ୍ପାଦକ କହିଛନ୍ତି ।

ଦୁଇ ବର୍ଷିଆ ସଂଘକୁ ବର୍ଷେ ପୂରିବାପରେ ନେତାମାନଙ୍କ ଭିତରେ ଏଭଳି ଆକ୍ଷେପ ପ୍ରତିଆକ୍ଷେପ ଏବେ କର୍ମଚାରୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷକରି ସଚିବାଳୟକୁ ନୂଆକରି ଆସିଥିବା ଏଏସ୍୍ଓମାନେ ଏହାକୁ ନେଇ ଆଲୋଚନା ଚଳାଇଥିବାବେଳେ କେଉଁ ପଟକୁ ଯିବେ ତାହାନେଇ ଦ୍ୱନ୍ଦରେ ଅଛନ୍ତି । ତେବେ ସମ୍ପାଦକଙ୍କ ଏଭଳି ହଳଦିଆ କାଗଜ ଅଭିଯୋଗକୁ କିନ୍ତୁ ଏପର୍ଯ୍ୟନ୍ତ କାଉଣ୍ଟର କରାଯାଇନଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

eleven − 1 =